ଯାଜପୁରରେ କୋବିର ଅଭାବୀ ବିକ୍ରିସଂକଟରେ କୋବି ଚାଷୀ

ଦଲାଲଙ୍କ କବଜାରେ ପରିବା ବଜାର

ଯାଜପୁରରୋଡ଼ : ଯାଜପୁରରେ କୋବିର ଅଭାବୀ ବିକ୍ରି। କୋବି ଉତ୍ପାଦନ ଯେତିକି ହେଉଛି ତାହା ବିକ୍ରି ହେଉନାହିଁ। ଗୋଟିଏ କୋବି ଉତ୍ପାଦନ ପାଇଁ ଚାଷୀ ପାଖାପାଖି ୫ ଟଙ୍କା ଖର୍ଚ କରୁଥିବା ବେଳେ ଏବେ ପାଉଛି ମାତ୍ର ଟଙ୍କାଟିଏ। ଯାହାକି ଖର୍ଚର ୪ ଭାଗରୁ ବି କମ୍ ମିଳୁଛି। ବାହାର ରାଜ୍ୟର ଦଲାଲ ସ୍ଥାନୀୟ ପରିବା ବାଜରକୁ ନିୟନ୍ତ୍ରଣ କରି ଏଭଳି କୃତ୍ରିମ ସଂକଟ ସୃଷ୍ଟି କରୁଥିବା ନେଇ ଅଭିଯୋଗ ହେଉଛି। ଅନ୍ୟ ପଟେ ଫଳରେ ଚାଷୀ ବ୍ୟାପକ କ୍ଷତି ସହୁଛି।

ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଉଥିଲେ ମଧ୍ୟ ଚାଷୀକୁଳଙ୍କ ଉତ୍ପାଦକୁ ବିକ୍ରି କରିବା ପାଇଁ ସେମିତି କୌଣସି ଠୋସ୍ ପଦ‌କ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। ଆବଶ୍ୟକ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷୀ ତାର ଉତ୍ପାଦକୁ ସାଇତି ରଖି ପାରୁନାହିଁ। ଫଳରେ ଇଚ୍ଛା ନଥିଲେ ବି କ୍ଷତି ସହି ଉତ୍ପାଦକୁ ବିକ୍ରି କରିଦେଉଛି।

ରାଜ୍ୟରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଯାଜପୁର ଜିଲ୍ଲାର ବାରବାଟୀ ଅଞ୍ଚଳ ପରିବାର ମାର୍କେଟରେ ଏବେ କୋବି ଗୋଟିକୁ ଟଙ୍କାଏ ବିକ୍ରି ହେଉଛି। ରସୁଲପୁର ବ୍ଲକର ବାରବାଟୀ, ସିଂହାପୁର, ନଟୁଆବର, ଶ୍ରୀବନ୍ତପୁର, ଯାବରା, ବଡ଼କଇଁଚି, ଅତଲାପୁର, ଗନ୍ଧଣ, ଭୋଟକା ଆଦି ବହୁ ପଞ୍ଚାୟତର ପ୍ରାୟ ସବୁ ଗ୍ରାମର ଚାଷୀ ପରିବା ଫସଲ ଉପରେ ନିର୍ଭର କରୁଛନ୍ତି। ଏସବୁ ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ କୋବି ଚାଷ ହୋଇଛି। ଏଠାକାର ଚାଷୀ କୋବି ଉତ୍ପାଦନ ପରେ ବାରବାଟୀ ଓ ଜିଲ୍ଲାର ଅନ୍ୟ ବଜାରରେ ବିକ୍ରି କରିଥାନ୍ତି। କୋବି ଉତ୍ପାଦନ ପରେ ପଡୋଶୀ ପଶ୍ଚିମବଂଗ ଓ ଆନ୍ଧ୍ର ଆଦି ଅଞ୍ଚଳକୁ ଏଠାରୁ ଚାଲାଣ ହୋଇଥାଏ। ବାହାରର ବେପାରୀ କୋବି କିଣି ଏଠାରୁ ରାଜ୍ୟ ବାହାରକୁ ନେଇଥାନ୍ତି। ବର୍ତ୍ତମାନ ଏବେ କୋବି କିଣୁ ନାହାନ୍ତି। ବିଶେଷ କରି ଫୁଲକୋବିର ଚାହିଦା ଆଉ ନାହିଁ। ଫୁଲକୋବି ଗୋଟାପିଛା ଦର ବର୍ତ୍ତମାନ ମାତ୍ର ଟଙ୍କାଟିଏ।

କେବଳ ରସୁଲପୁର ବ୍ଲକ ନୁହେଁ, ପଡ଼ୋଶୀ ବରୀ, ଧର୍ମଶାଳା, କୋରେଇ ଆଦି ବ୍ଲକର ବହୁ ଚାଷୀ ନିଜର ଉତ୍ପାଦିତ ପରିବା ଆଣି ବାରବାଟୀ ବଜାରରେ ବିକ୍ରି କରିଥାନ୍ତି। ଉଭୟ ଖାଉଟି ଓ ବ୍ୟବସାୟୀ ଫଲକୋବି କିଣୁ ନଥିବା ଏବଂ ବଜାରରେ ଏହାର ଚାହିଦା ନଥିବାରୁ ଏବେ ‌କୋବି ବ୍ୟବସାୟ ମାନ୍ଦା ହେଉଛି। କେତେକ ଚାଷୀ ଆଉ ବିଲରୁ କୋବି କାଟିବାକୁ ପସନ୍ଦ କରୁନାହାନ୍ତି।

ଶରବଣା ଗ୍ରାମର ଚାଷୀ କେଶବ ବିଶ୍ବାଳ କହିଛନ୍ତି ଯେ ଫୁଲ କୋବିର ଚାହିଦା ଆଉ ନାହିଁ। ଲୋକେ ଏବେ ବନ୍ଧା କୋବି କିଣୁଛନ୍ତି। ବନ୍ଧା କୋବି ସାମାନ୍ୟ ଅଧିକ ଦରରେ ବିକ୍ରି ହେଉଛି ସିନା ଫୁଲ କୋବି କେହି ନେଉ ନାହାନ୍ତି। ଚାଷୀ ବ୍ରଜବନ୍ଧୁ ବେହେରା ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ଏକର ଜମିରେ କୋବି ଚାଷ ପାଇଁ ପାଖାପାଖି ୪୫ ହଜାର ଟଙ୍କା ଖର୍ଚ କରିଥିଲେ। ଏଯାବତ ୩ ଭାଗ ‌େକାବି କାଟି ବିକ୍ରି କରିସାରିଲେଣି। ମାତ୍ର ପାଇଛନ୍ତି ୧୦ ହଜାର ଟଙ୍କା। ଆଉ ଯେତିକି କୋବି ରହିଛି ତାହା ଅତି ବେଶିରେ ୫ ହଜାର ଟଙ୍କା ବିକ୍ରି ହେବ। ୪୫ ହଜାର ଟଙ୍କା ଖର୍ଚ କରି ୧୫ ହଜାର ଟଙ୍କା ପାଉଥିବା ବେଳେ ପାଖାପାଖି ୩୦ ହଜାର ଟଙ୍କାର କ୍ଷତି ସହିଥିବା ନେଇ ସେ ପ୍ରକାଶ କରିଛନ୍ତି।

ନୟାଗଡ଼ରେ କେଜି‌କୁ ଟଙ୍କାଏ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପନିପରିବା ଚାଷର ପେଣ୍ଠସ୍ଥଳୀ ଓଡ଼ଗାଁ, ରଣପୁର ତଥା ଅନ୍ୟ ଅଞ୍ଚଳର ଚାଷୀ ଚିନ୍ତାରେ। ବିଶେଷ କରି ଫୁଲ କୋବି, ବନ୍ଧା ‌କୋବି ଚାଷର ପ୍ରମୁଖ ସ୍ଥାନ ପାଲଟିଥିବା ଓଡ଼ଗାଁ ଅଞ୍ଚଳର ଗୋଡ଼ିପଲ୍ଲୀ ପଞ୍ଚାୟତବାସୀ କୋବି ଦରକୁ ନେଇ ବର୍ତ୍ତମାନ ଚିନ୍ତାରେ। ଏହି ପଞ୍ଚାୟତ ଅଧୀନସ୍ଥ ଗୋଡ଼ିପଲ୍ଲୀ ଗ୍ରାମବାସୀ, ଖଲିପାଟଣା, ଅଭିମାନପୁର, ମଶାବାରିର ଚାଷୀଙ୍କ ସମେତ ପନ୍ତାଖରୀ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ଚଳିତବର୍ଷ ଅଭାବୀ ବିକ୍ରିର ଶିକାର ହେଉଥିବା ଦେଖାଯାଇଛି। ଗତ ଏକ ସପ୍ତାହ ହେବ ଚାଷୀମାନେ ଗୋଦାମକୁ କେଜି ପ୍ରତି କୋବି ୩ ଟଙ୍କାରେ ବିକ୍ରି କରୁଛନ୍ତି। ଏଥିରେ ‌ପରିବା ଗୋଦାମ ମାଲିକଙ୍କ କମିସନ୍, ଗାଡି ଭଡ଼ା, ମଜୁରୀ ଓ ଅନ୍ୟାନ୍ୟ ଆନୁଷଙ୍ଗୀକ ଖର୍ଚ୍ଚ ପରେ ଚାଷୀ ମାତ୍ର ଟଙ୍କାଟିଏ ପାଉଥିବା ଓଡ଼ଗାଁର ଗୋଡ଼ିପଲ୍ଲୀ ଗ୍ରାମର ଚାଷୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର