ରାଜ୍ୟର ଆର୍ଥିକ ଅଭିବୃଦ୍ଧି ତୁଳନାରେ ଅଧିକ ବେଗରେ ବଢୁଛି ଋଣ : ସିଏଜି ରିପୋର୍ଟ

ଭୁବନେଶ୍ୱର : ଆଜି ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ଦ୍ୱାରା ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ସ୍ଥିତି ଉପରେ ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି ।
ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୮ ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସରକାରଙ୍କ ମୋଟ ବକେୟ ଋଣ ପରିମାଣ ୫୧,୧୯୦ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ପୂର୍ବବର୍ଷ ଅର୍ଥାତ ୨୦୧୬-୧୭ ତୁଳନାରେ ୨୪.୨୧ ପ୍ରତିଶତ ଅଧିକ ଥିଲା । ୨୦୧୬-୧୭ରେ ଓଡ଼ିଶା ସରକାରଙ୍କ ମୋଟ ବକେୟା ଋଣ ପରିମାଣ ୪୨,୦୧୮ କୋଟି ଟଙ୍କା ଥିଲା ଓ ୨୦୧୩-୧୪ରେ ଏହା ମାତ୍ର ୨୩,୩୧୫ କୋଟି ଟଙ୍କା ଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶା ସରକାରଙ୍କ ଋଣ ରାଜ୍ୟ ଜିଡିପିର ଅଭିବୃଦ୍ଧି ଠାରୁ ଅଧିକ ବେଗରେ ବଢିଚାଲିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ଜିଡିପି ୧୦.୨୮ ପ୍ରତିଶତ ହାରରେ ଅଭିବୃଦ୍ଧି ଲାଭ କରିଥିଲା ।
ତେବେ ଆଲୋଚ୍ୟ ଆର୍ଥିକ ବର୍ଷରେ ସରକାରଙ୍କ ରାଜସ୍ୱ ପ୍ରାପ୍ତିରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିଲା । ଏହା ପୂର୍ବବର୍ଷ ତୁଳନାରେ ୧୪.୬୭ ପ୍ରତିଶତ ବୃଦ୍ଧି ହୋଇ ୮୫,୨୦୪ କୋଟି ଟଙ୍କାରେ ପହଞ୍ଚିଛି । ଏହି ବର୍ଷ ରାଜ୍ୟ ୧୩,୩୬୭ କୋଟି ଟଙ୍କାର ରାଜସ୍ୱ ବଳକା ହାସଲ କରିଥିଲା ।

ସମ୍ବନ୍ଧିତ ଖବର