‘ସୁନ୍ଦରୀ’ ପାଇଁ କ୍ୟାମେରା ଧାର୍

ଶିମିଳିପାଳକୁ ଲେଖିଲେ ଚିଠି, ଆଣିବେ ଦୁଇ ଶହ କ୍ୟାମେରା, ମହାନଦୀ ଡିଭିଜନରୁ ବି ଉଠାଇ ଆଣିବେ

ଅନୁଗୁଳ : ଏନ୍‌ଟିସିଏ ତାଗିଦା ପରେ ବନ ବିଭାଗର ହୋଇଛି ଚୈତନ୍ୟ ଉଦୟ। ଯୁବ ମହାବଳ ମହାବୀରକୁ ସିନା ଅପାରଗ ସାତକୋଶିଆ କର୍ତୃପକ୍ଷ ସୁରକ୍ଷା ଦେଇ ପାରିଲେ ନାହିଁ, କିନ୍ତୁ ବଞ୍ଚିଥିବା ବାଘୁଣୀ ‘ସୁନ୍ଦରୀ’ ସୁରକ୍ଷାରେ ଯେମିତି ତିଳେ ମାତ୍ର ଅବହେଳା ନ ହୁଏ ସେଥିପାଇଁ ସାତକୋଶିଆ କର୍ତୃପକ୍ଷ ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। ସୁନ୍ଦରୀକୁ ୨୪ଘଣ୍ଟିଆ ନଜର ବନ୍ଦୀ କରିବା ପାଇଁ ୩ଶହ କ୍ୟାମେରା ଲୋଡ଼ା ପଡ଼ୁଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରୁ ୨ଶହ କ୍ୟାମେରା ଉଧାର ଆଣିବାକୁ ଚିଠି ଲେଖାଯାଇଛି।

ଉଲ୍ଲେଖଯୋଗ୍ୟ, ସାତକୋଶିଆରେ ମହାବୀର ମୃତ୍ୟୁ ଖବର ରାଜ୍ୟ ତଥା ଦେଶରେ ଆଲୋଡ଼ନ ଖେଳାଇ ଦେଇଛି। ଘଟଣା ପରେ ଏନଟିସିଏ ଆଇଜି ଅମିତ୍ ମଲ୍ଲିକ ସାତକୋଶିଆ ଗସ୍ତ କରି ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ସୁନ୍ଦରୀକୁ ସାତକୋଶିଆରୁ ସ୍ଥାନାନ୍ତର କରାଯିବା ଘଟଣାକୁ ଯଦିଓ ସେ ମନା କରିଥିଲେ, କିନ୍ତୁ ବ୍ୟାଘ୍ର ପ୍ରକଳ୍ପ ପୁଣି ଥରେ ଚାଲୁ କରିବା ପୂର୍ବରୁ ସାତକୋଶିଆ ବନବାସୀଙ୍କୁ ରାଜ୍ୟ ବାହାରର ବ୍ୟାଘ୍ର ପ୍ରକଳ୍ପ ବୁଲାଇବା, ଜଙ୍ଗଲରେ ପ୍ରାୟ ୩ଶହ କ୍ୟାମେରା ଖଞ୍ଜିବା, ଏନକ୍ଲୋଜରର ପରିସର ବଢ଼ାଇବା, ଗଣମାଧ୍ୟମକୁ ସାଥୀରେ ନେଇ ପ୍ରକଳ୍ପ ଆଗେଇବା ଆଦି ବିଭିନ୍ନ ପରାମର୍ଶ ଦେଇଥିଲେ। ଏନଟିସିଏ ତାଗିଦା ପରେ ବନ ବିଭାଗ ଗୋଟିଏ ପରେ ଗୋଟିଏ ପରାମର୍ଶ କାର୍ଯ୍ୟକାରୀ କରିବା ଆରମ୍ଭ କଲାଣି। ଏତେ ସଂଖ୍ୟକ କ୍ୟାମେରା ହଠାତ୍ କିଣିବା ବ୍ୟୟ ସାପେକ୍ଷ ହୋଇଥିବା ବେଳେ ସାମୟିକ ସମୟ ପାଇଁ ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶହ କ୍ୟାମେରା ଧାର ସୂତ୍ରରେ ଆଣିବାକୁ ବନ ବିଭାଗ ଚିଠି ଲେଖିଛି। କେବଳ ଶିମିଳିପାଳ ନୁହେଁ, ମହାନଦୀ ଡିଭିଜନରେ ଖଞ୍ଜା ଯାଇଥିବା କ୍ୟାମେରା ମଧ୍ୟ ସାତକୋଶିଆ ଡିଭିଜନକୁ ଅଣାଯିବାକୁ ଯୋଜନା ହୋଇଛି। ଅବଶିଷ୍ଟ ହାତ ଗଣତି କିଛି କ୍ୟାମେରା ଟଙ୍କା ଦେଇ କିଣାଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ସାତକୋଶିଆ ଡିଏଫଓ ରାମା ସ୍ବାମୀ ପି.ଙ୍କୁ ପଚାରିବାରୁ ସେ କହିଛନ୍ତି, କ୍ୟାମେରା ଆଣିବାକୁ ଶିମିଳିପାଳକୁ ଚିଠି ଲେଖା ସରିଛି। କିନ୍ତୁ ଏଯାବତ୍‌ କ୍ୟାମେରା ଆସି ପାରିନାହିଁ। କ୍ୟାମେରା ଆସିଲେ ଜଣାଇ ଦିଆଯିବ ବୋଲି ଶ୍ରୀ ସ୍ବାମୀ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର