ତୋଷାଳି ସ୍ୟାଣ୍ଡସ୍‌ର ବାତିଲ ହେବ ବାର୍‌ ଲାଇସେନ୍ସ

ରେଭ୍‌ ପାର୍ଟି ଭାଇରାଲ୍‌ ଭିଡିଓ:ଏସ୍‌ପି ଦେଲେ ତଦନ୍ତ ନିର୍ଦ୍ଦେଶ

ପୁରୀ: ଏକ ହୋଟେଲ ପରିସରରେ ଚାଲିଥିବା ରେଭ୍‌ ପାର୍ଟିର ଭିଡିଓ ଭାଇରାଲ ହୋଇଛି। ଏହି ପାର୍ଟିର ୧ରୁ ୩ ମିନିଟ ଭିତରେ ପାଖାପାଖି ୫ଟି ଭିଡ଼ିଓ କ୍ଲିପ୍‌ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ତେବେ କେବଳ ଘୂରୁନାହିଁ; ବରଂ ନିକଟ ଅତୀତରେ ତୋଷାଳି ସ୍ୟାଣ୍ଡସ୍‌ ହୋଟେଲ ପରିସରରେ ଚାଲିଥିବା ରେଭ୍‌ ପାର୍ଟିର ଏହା ଭିଜୁଆଲ ବୋଲି ଚର୍ଚ୍ଚା ହେଉଛି। ଯିଏ ସେୟାର କରୁଛି ସେ ତୋଷାଳି ରେଭ୍‌ପାର୍ଟି ବୋଲି ସେୟାର କରୁଛି। ତୋଷାଳିର ରେଭ୍‌ପାର୍ଟିରୁ ବ୍ରହ୍ମପୁର ମେୟରଙ୍କ ଭାଇଙ୍କୁ ପୁଲିସ୍‌ ଉଠାଇ ଆଣିବା ପରେ ଘଟଣାକୁ ନେଇ ବେଶ ଚର୍ଚ୍ଚା ଚାଲିଥିବାରୁ ଏହି ଭିଡିଓର ଆଦୃତି ବଢ଼ିଛି। ନୃତ୍ୟରେ ଏଭଳି ଅଶ୍ଳୀଳତା ରହିଛି କି ଗୋଟିଏ ଦିନରେ ୧୪ ହଜାର ସେୟାର ହୋଇଥିବା ବେଳେ ହ୍ଵାଟ୍‌ସ୍‌ଆପ୍‌ରେ ସେୟାରର ହିସାବ ନାହିଁ। ସେୟାର ହୋଇ ହୋଇ ଏହା ପୁରୀ ଏସ୍‌ପିଙ୍କ ନିକଟରେ ଆସି ପହଞ୍ଚିଛି। ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀ ଏହାକୁ ଗୁରୁତର ସହ ନେଇଛନ୍ତି। ସେ କହିଛନ୍ତି, ଏହାର ତଦନ୍ତ ହେବ। ତୋଷାଳି ସ୍ୟାଣ୍ଡସ୍‌ ହୋଟେଲ ପରିସରରେ ଥିବା ସିସିଟିଭି ବା ସେମାନେ କରିଥିବା ଭିଡିଓ ରେକର୍ଡ଼ିଂ ଯାଞ୍ଚ ହେବ। ଯଦି ଏଭଳି ନୃତ୍ୟ ତୋଷାଳି ହୋଟେଲ ପରିସରରେ ହୋଇଥିବା ପ୍ରମାଣିତ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି ହୋଇନଥାଏ ତେବେ ହୋଟେଲକୁ ବଦନାମ କରିବା ପାଇଁ ହୋଇଥିବା ଏଭଳି ଅପପ୍ରଚାର ପାଇଁ ମଧ୍ୟ ବ୍ୟବସ୍ଥା ହେବ। ଯିଏ ହୋଟେଲ ନା ଲେଖି ସୋୟର କରିଛନ୍ତି ସେମାନେ ତଦନ୍ତ ପରିସରଭୁକ୍ତ ହେବେ। ଆବଶ୍ୟକ ପଡ଼ିଲେ ହ୍ଵାଟ୍‌ସ୍‌ଆପ୍‌ ଓ ଫେସ୍‌ବୁକ୍‌ ସହ ଯୋଗାଯୋଗ କରାଯାଇ ତଥ୍ୟ ସଂଗ୍ରହ ହେବ। ତେବେ ଲାଇସେନ୍‌ସ୍‌ ନ ଥାଇ ବାର୍‌ ଡ଼ାନ୍‌ସ୍‌ କରୁଥିବାରୁ ବାର ଲାଇସେନ୍‌ସ୍‌ ବାତିଲ ପାଇଁ ଅବକାରୀ ଅଧୀକ୍ଷକଙ୍କୁ ଲେଖାଯାଇଛି ବୋଲି ସେ କହିଛନ୍ତି।

ଭାଇରାଲ ଭିଡିଓରେ ସାଂଘାତିକ ଦୃଶ୍ୟ ସବୁ ରହିଛି। ଯୁବତୀ ଜଣେ ନୃତ୍ୟ କରୁଛନ୍ତି। ଯୁବକମାନେ ଚାରିକଡ଼େ ଛିଡ଼ା ହୋଇ ପଇସା ଫିଙ୍ଗୁଛନ୍ତି। ତାଙ୍କ ଭିତରୁ ବାଛି ଯୁବତୀଜଣକ ଜଣେ ଜଣେ ଯୁବକଙ୍କୁ ଟାଣି ଆଣୁଛି। କେତେବେଳେ ମଝିରେ ପଡ଼ିଥିବା ଚେୟାର୍‌ରେ ଯୁବକକୁ ବସାଇ ଦେଉଛି ତ କେତେବେଳେ ଚଟାଣରେ ଚିତ୍‌ କରି ଶୁଆଇ ଦେଉଛି। ଯୁବକଙ୍କ ସାର୍ଟ ଖୋଲି ଯୁବତୀଜଣକ ତାଙ୍କ ପେଟରେ ମଦ ଢ଼ାଳି ପିଇବାର ଦୃଶ୍ୟ ରହିଛି। ଯୁବକଙ୍କ କାନ୍ଧରେ ଯୁବତୀ ବସିବା ବେଳେ ପିନ୍ଧିଥିବା ବସ୍ତ୍ରରୁ ଗୋଟିଏ ପରେ ଗୋଟିଏ ଯୁବତୀ ଖୋଲୁଛନ୍ତି। ଏହା ପରେ ପରେ ଯେଉଁ ଦୃଶ୍ୟ ରହିଛି ତାହା ଦେଖିବା ବା ଲେଖିବା ମଧ୍ୟ ସମ୍ଭବ ନୁହେଁ।

ଗତ ୧୫ ତାରିଖ ଦିନ ତୋଷାଳି ସ୍ୟାଣ୍ଡସ୍‌ ଭିତରେ ଏଭଳି ଲଙ୍ଗଳା ନୃତ୍ୟ ଚାଲିଥିବା ନେଇ ଖବର ପହଞ୍ଚିବା ପରେ ସିଟି ଡିଏସ୍‌ପି ସଦଳବଳ ଚଢ଼ଉ କରିଥିଲେ। ଚଢ଼ଉବେଳେ ଅଭିଯୋଗ ମୁତାବକ କିଛି ଦୃଶ୍ୟ ଦେଖିବା ପରେ ୨୫ ଜଣ ଯୁବକଯୁବତୀଙ୍କୁ ଉଠାଇ ଆଣିଥିଲେ। ମେରାଇନ୍‌ ଥାନାରେ ସେମାନଙ୍କୁ ଅଟକ ରଖାଯାଇଥିଲା। ଅଟକ ଯୁବକଙ୍କ ମଧ୍ୟରେ ବ୍ରହ୍ମପୁର ମେୟରଙ୍କ ଭାଇ ଥିଲେ। ୧୪ ଘଣ୍ଟା ଅଟକ ରହିବା ପରେ ଏହା ରେଭ୍‌ ପାର୍ଟି ନୁହେଁ, ବ୍ୟାଚଲର ପାର୍ଟି ବୋଲି କହି ପୁଲିସ୍‌ ସମସ୍ତଙ୍କୁ ଛାଡ଼ି ଦେଇଥିଲା। ସେମାନେ ଯିବା ବେଳେ ମୁହଁ ଲୁଚାଇ ଯାଇଥିବା ବେଳେ ତୋଷାଳି ପରିଚାଳକ ମଧ୍ୟ ଗଣମାଧ୍ୟମ ଠାରୁ ଦୂରରେ ରହିଥିଲେ। ଏଣୁ ଏହି ରେଭ୍‌ପାର୍ଟିକୁ ନେଇ ସନ୍ଦେହ ବଢ଼ିଥିଲା। ଏବେ ଭିଡିଓ ଭାଇରାଲ ହେବା ପରେ ଭିଡ଼ିଓ ତୋଷାଳିର ନୁହେଁ ବୋଲି ପ୍ରମାଣ କରିବା ପାଇଁ ପୁଲିସ୍‌ ଯୋଜନା କରୁଛି। ସିସିଟିଭି ଭିଜୁଆଲ ମଧ୍ୟ ଉଡ଼େଇ ଦେବାପାଇଁ ଯୋଜନା ହେଉଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ତଦନ୍ତ ପରେ ହିଁ ବାସ୍ତବ କଥା ବା ଭିଡିଓ କାହାର ତାହା ଜଣାପଡ଼ିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର