ଅସହାୟ ସ୍ଥିତିରେ କର୍କଟ ଆକ୍ରାନ୍ତ ବୃଦ୍ଧା : ଛାଡ଼ି ପଲାଇଥିଲେ ପରିବାର, ଏବେ ଓ୍ଵାର୍ଡରୁ ତଡ଼ି ଦେଲେ ଡାକ୍ତର

କଟକ : ଚିକିତ୍ସା ପାଇଁ କଟକ ଆଣି ପରିବାର ଲୋକ ଦେଢ ମାସ ତଳେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଛାଡି ପଳାଇଥିଲେ। ଏବେ ତାଙ୍କୁ ଓ୍ଵାର୍ଡରୁ ତଡ଼ି ଦେଇଛନ୍ତି ଡାକ୍ତର। ଫଳରେ ଗୁରୁତର ଅବସ୍ଥାରେ ଓ୍ଵାର୍ଡ ବାହାରେ ବାରଣ୍ଡାରେ ପଡିରହିଛନ୍ତି ବାଲେଶ୍ୱରର ଅସହାୟ କନକଲତା ଜେନା(୬୦)। ଦିନକୁ ଦିନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି।

ସୂଚନା ଅନୁସାରେ, କନକ ଲତାଙ୍କ ପୁଅ ମରି ଯାଇଥିବା ବେଳେ ଝିଅର ବାହାଘର ହୋଇଯାଇଛି। ୭/୮ବର୍ଷ ତଳେ ରୋଷେଇ କରୁଥିବା ବେଳେ କନକଙ୍କ ମୁହଁରେ ପେଜ ପଡିଗଲା। ସେହି ପୋଡା ଘା’ ବଢି ଚାଲିଥିଲା। ସ୍ୱାମୀ ଚିକିତ୍ସା କଲେନି। ଅସୁସ୍ଥ ହେବାରୁ ସ୍ୱାମୀ ପର କରି ଦେବାପରେ କନକ ବାପଘରକୁ ଆସି ଭାଇମାନଙ୍କ ପାଖରେ ଆଶ୍ରୟ ନେଲେ। ସେମାନେ ଯାହା କିଛି ଚିକିତ୍ସା କରିଥିଲେ ବି ସେହି ପୋଡା ଘା’ର ଚିକିତ୍ସା ଠିକ୍‌ ଭାବରେ ହୋଇପାରିନଥିଲା। ଶେଷରେ ବାଲେଶ୍ୱରରେ ଡାକ୍ତର ଏହି ଘା’ କ୍ୟାନସର୍‌ ଆଡକୁ ଯାଉଛି ବୋଲି କହି କଟକର ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ କେନ୍ଦ୍ରକୁ ନେବା ପାଇଁ ପରାମର୍ଶ ଦେଲେ। ଦୁଇ ଭାଇ କନକଲତାଙ୍କୁ ଧରି ଗତ ମାସ ୬ତାରିଖରେ ପହଞ୍ଚି ଥିଲେ ଆଚାର୍ଯ୍ୟ ହରିହର କେନ୍ଦ୍ରରେ। ସେଠାରେ ଆଶୁ ଚିକିତ୍ସା ବିଭାଗରେ କନକଲତାଙ୍କୁ ଛାଡିଦେଇ ଚାଲି ଯାଇଥିଲେ ଦୁଇଭାଇ। ଦେଢମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ତାଙ୍କୁ କେହି ଦେଖିବାକୁ ଆସୁନାହାନ୍ତି। ଏପଟେ ରୋଗଯନ୍ତ୍ରଣାରେ ଛଟପଟ ହେଉଥିବା କନକଲତାଙ୍କୁ ଠିକ୍‌ ଭାବରେ ଚିକିତ୍ସା କରାଯାଉନଥିବାରୁ କିଛି ସ୍ୱେଚ୍ଛାସେବୀ ପହଞ୍ଚି ପ୍ରତିବାଦ କରିବା ପରେ କାଜୁଆଲିଟି ଦାୟିତ୍ୱରେ ଥିବା ଡାକ୍ତର କେବଳ ଡ଼୍ରେସିଂ କରି ତାଙ୍କର କର୍ତ୍ତବ୍ୟ ସାରିଦେଲେ। କିନ୍ତୁ ପୁଣି ପ୍ରତିବାଦ ହେବାରୁ ବାୟୋପ୍‌ସି କରାଯିବା ପରେ କର୍କଟ ରୋଗ ବୋଲି ସ୍ୱଷ୍ଟ ହୋଇଥିଲା। ବେଡ୍‌ ନଂ ୧୩୦ରେ ଅସହାୟ କନକଲତା ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ଦୁଇଦିନ ହେଲା ତାଙ୍କୁ ଓ୍ଵାର୍ଡ ବାହାରକୁ ବାହାର କରିଦେଇଛନ୍ତି।

ସମ୍ବନ୍ଧିତ ଖବର