କର୍କଟକୁ ରୋକିବ ସୁସ୍ଥ ଜୀବନଚର୍ଯ୍ୟା: ମନୀଷା

ବ୍ରହ୍ମପୁର : ବିଶୃଙ୍ଖଳିତ ଜୀବନ ଶୈଳୀହିଁ କର୍କଟ ରୋଗ ସୃଷ୍ଟିର ମୁଖ୍ୟ କାରଣ। କର୍କଟକୁ ଦୁରାରୋଗ୍ୟ ଭାବେ ବିବେଚନା କରାଯାଉଛି। କିନ୍ତୁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଦ୍ବାରା ଏହାର ନିରାକରଣ କରାଯାଇପାରୁଛି। ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗ ସମ୍ପର୍କରେ ଯଦି ଜଣାପଡ଼େ, ତେବେ ଉପଯୁକ୍ତ ଚିକିତ୍ସା ଦ୍ବାରା ଏଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟତା ଲାଭ କରିହେବ। ତେଣୁ ଶରୀରରେ ଯଦି କୌଣସି ପ୍ରକାରର ଅସ୍ବାଭାବିକତା ଅନୁଭବ ହୁଏ ତୁରନ୍ତ ଏହାର ପରୀକ୍ଷା କରାଇନେବା ଆବଶ୍ୟକ। କକର୍ଟ ରୋଗର ଶିକାର ହୋଇ ଆରୋଗ୍ୟ ଲାଭ କରିଥିବା ବଲିଉଡ୍‌ ଅଭିନେତ୍ରୀ ମନୀଷା କୋଇରାଲା ଏହା କହିଛନ୍ତି।

ସ୍ବେଚ୍ଛାସେବୀ ଅନୁଷ୍ଠାନ ‌େସ୍ନହା ଗ୍ରାମୀଣ ଫାଉଣ୍ଡେସନ୍‌ ପକ୍ଷରୁ ଆଜି ଗଂଜାମ ଜିଲ୍ଲା ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜରୁ କର୍କଟ ରୋଗ ‌ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଏକ ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ମନୀଷା ଯୋଗ ଦେଇ ସୁସ୍ଥ ଜୀବନଚର୍ଯ୍ୟା ଉପରେ ଗୁରୁତ୍ବାରୋପ କରିଥିଲେ।। ଅନ୍ୟମାନଙ୍କ ମଧ୍ୟରେ, ସମ୍ମାନିତ ଅତିଥି ଭାବେ ମେଜର ଜେନେରାଲ୍ ପି.ଏସ୍‌.ଭାଟିଆ, ବ୍ରିଗେଡିୟର୍ ଆର୍. ଶ୍ରୀବାସ୍ତବ, ଆଚାର୍ଯ୍ୟ ହରିହର କ୍ୟାନ୍‌ସର ରିସଚର୍ଚ୍ଚ ସେଣ୍ଟର ନିର୍ଦ୍ଦୋକ ଡ.ଏଲ.ଷଡ଼ଙ୍ଗୀ, ଏମ୍‌ସ ଜାତୀୟ କ୍ୟାନସର ଅନୁଷ୍ଠାନର ମୁଖ୍ୟ ଜିକେ.ରଥ ପ୍ରମୁଖ ଯୋଗ ଦେଇ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ୨୫ଜଣ ସାଇକେଲ ଯାତ୍ରୀ ବାହାରିଥିଲେ। ସେମାନେ ୨୩ଦିନରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ ମୋଟ ୫ଟି ରାଜ୍ୟର ୧୪ଟି ଜିଲ୍ଲା ଅତିକ୍ରମ କରି ପୁନେଠାରେ ଯାତ୍ରା ଶେଷ କରିବେ। ମୋଟ ୧୪୮୧କିମି ଦୂରତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର