କର୍କଟ କେନ୍ଦ୍ରରେ ଅଭାବନୀୟ ଦୃଶ୍ୟ, ମୃତ୍ୟୁ ଘୋଷଣା ପାଇଁ ଲାଗିଗଲା ୫ ଘଣ୍ଟା

କଟକ: ‘ସେ ମରିଗଲାଣି, ତା’ ଶବ ମୋତେ ଦେଇଦିଅ, ମୁଁ ଘରକୁ ନେଇଯିବି’। ଏଭଳି କାକୁତି ମିନତି ହୋଇ କାନ୍ଦୁଥା’ନ୍ତି ମୃତକଙ୍କ ସ୍ବାମୀ। ପତ୍ନୀଙ୍କ ଶବ ପାଖଦେଇ ଯାଉଥିବା ପ୍ରତ୍ୟେକ ଲୋକକୁ ଅଟକାଇ ଗୁହାରି କରୁଥିବାର ଦୃଶ୍ୟ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଆଜି ଅଭାବନୀୟ ପରିବେଶ ସୃଷ୍ଟି କରିଛି। ରୋଗୀଙ୍କୁ ମୃତ ଘୋଷଣା କରିବା ପାଇଁ ଡାକ୍ତର ନ ଆସିବାରୁ ଦିନ ୧୦ଟାରୁ ଦୀର୍ଘ ୫ଘଣ୍ଟା ଧରି ସ୍ବାମୀଙ୍କୁ ମୁଣ୍ଡବାଡ଼େଇ ଗୁହାରି କରିବାକୁ ପଡ଼ିଛି। ଶେଷରେ ଅପରାହ୍ନ ପ୍ରାୟ ୩ଟା ବେଳେ ଦ୍ବିତୀୟ ସି‌ଫ୍ଟର ଡାକ୍ତର ଆସି ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ, ପୁରୀ ନିଳାଦ୍ରୀବାହାର ଅଞ୍ଚଳର ଅପର୍ତି ଭୋଇଙ୍କ ସ୍ତ୍ରୀ ରଙ୍ଗ(୫୦) ଗତ କିଛିମାସ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକର ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିଲେ। କେଇମାସ ତଳେ ସେ ଏଠାରେ ‘କେମୋ’ ନେଇ ଘରକୁ ଫେରିଥିଲେ। ହେଲେ ଗତକାଲି ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ସ୍ବାମୀ ଓ ପରିବାରବର୍ଗ ତାଙ୍କୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତାଙ୍କୁ ଜରୁରିକାଳୀନ ବିଭାଗରେ ଭର୍ତ୍ତି କରାଯିବା ପରେ ଡ୍ୟୁଟିରେ ଥିବା ସିଷ୍ଟର୍‌ ଡାକ୍ତରଙ୍କୁ କଲ୍‌ ଦେଇଥିଲେ। ହେଲେ ଡାକ୍ତର ଆସି ନଥିବା କୁହାଯାଉଛି। ତାରି ଭିତରେ ଆରପାରିକୁ ଚାଲିଯାଇଥିଲେ ମହିଳାଜଣକ। କିନ୍ତୁ ରୋଗୀ ମୃତ ନା’ ଜୀବିତ ତାହା ଘୋଷଣା କରିବାକୁ ବି କେହି ଡାକ୍ତର ଆସିଲେନି। ମୃତ୍ୟୁର ୫ଘଣ୍ଟା ପରେ ରୋଗୀଙ୍କୁ ମୃତ ଘୋଷଣା କରାଗଲା। ଜରୁରିକାଳୀନ ବିଭାଗ ଦାୟିତ୍ବରେ ୪/୫ଜଣ କାଜୁଆଲିଟି ମେଡିକାଲ ଅଫିସର ରହିବା କଥା। କିନ୍ତୁ କର୍କଟ କେନ୍ଦ୍ରରେ ସେହି ଅନୁସାରେ କାଜୁଆଲିଟି ମେଡ଼ିକାଲ ଅଫିସର ନଥିବାରୁ ପିଜି ଓ ଏସ୍‌ଆରଙ୍କୁ ନେଇ କାମ ଚାଲିଥିବାରୁ ତାହାକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହେଉଛି। ତୁରନ୍ତ ରାଜ୍ୟ ସରକାର କାଜୁଆଲିଟି ମେଡିକାଲ ଅଫିସର ଜରୁରୀକାଳୀନ ବିଭାଗରେ ନିଯୁକ୍ତି ଦେବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର