ନର୍ସିଂହୋମ୍‌ରେ କ୍ୟାନସର୍‌ ପୀଡ଼ିତଙ୍କ ଆତ୍ମହତ୍ୟା : ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁ…

କଟକ : ‘ ଓଁ ମା’ ମଂଗଳାୟ ନମଃ… ମୁଁ ମରିବା ପାଇଁ କେହି ଦାୟୀ ନୁହନ୍ତି…ମୋ’ ପୁଅକୁ କେହି ହଇରାଣ କରିବେ ନାହିଁ… ।’ କ୍ୟାନ୍‌ସର୍‌ ରୋଗରେ ଆକ୍ରାନ୍ତ ୫୮ ବର୍ଷିୟ ରଂଗାଧର ବୋଇତି ଆତ୍ମହତ୍ୟା ପୂର୍ବରୁ ଏମିିତି ଶେଷ ଚିଠି ଲେଖିଥିଲେ । ଚିିଠିରେ ସମୟ ରାତି ୧ଟା ୩୦ ମିନିଟ୍‌ ଉଲ୍ଲେଖ ଥିଲା। ଯନ୍ତ୍ରଣା ସହି ନପାରି ବେକରେ ଗାମୁଛା ବାନ୍ଧି ଗତକାଲି ବିଳମ୍ବିତ ରାତିରେ ମଙ୍ଗଳାବାଗ ଅଞ୍ଚଳରେ ଏକ ଘରୋଇ ନର୍ସିଂ ହୋମ୍‌ରେ ସେ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବାରୋ ଅଞ୍ଚଳର ରଘୁନାଥ ବୋଇତିଙ୍କ ପୁଅ ରଂଗାଧର ବୋଇତି ଗତ ଏକ ବର୍ଷ ହେବ କ୍ୟାନସର୍‌ ରୋଗରେ ପୀଡ଼ିତ ଥିଲେ। ପୁଅ ରତିକାନ୍ତଙ୍କ କହିବା ଅନୁଯାୟୀ, ତାଙ୍କୁ ପ୍ରଥମେ କଲିକତାରେ ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ରଂଗାଧରଙ୍କୁ ପରିବାର ଲୋକେ ଗତ ୧୨ ତାରିଖରେ କଟକ ମଙ୍ଗଳାବାଗ ଥାନା ରାଣୀହାଟ ଅଞ୍ଚଳର ଗ୍ରୀନ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ସେ କେବିନ୍‌ ନମ୍ବର ୧୦୨ରେ ଚିକିତ୍ସିତ ହେଉଥିଲେ। ସେଠାରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ତାଙ୍କୁ ଡାକ୍ତର ସାଲାଇନ୍‌ ଦେଇଥିଲେ। ରାତି ପ୍ରାୟ ଗୋଟାଏ ବେଳେ ସାଲାଇନ୍‌ ସରିଯାଇଥିଲା। ତାଙ୍କ ପାଖରେ ଥିବା ୧୮ ବର୍ଷିୟ ପୁଅ ରତିକାନ୍ତ ବୋଇତି ଏବଂ ଶଳା ରମାକାନ୍ତ ନାୟକ ଉକ୍ତ କେବିନ୍‌ରେ ଥିବା ଅନ୍ୟ ଏକ ବେଡ୍‌ରେ ଶୋଇଥିଲେ । ରାତି ପ୍ରାୟ ୪ଟା ବେଳକୁ ରତିକାନ୍ତଙ୍କ ନିଦ ଭାଙ୍ଗିରୁ ବାପା ରଂଗାଧର ତାଙ୍କ ବେଡ୍‌ରେ ନଥିଲେ । ତାଙ୍କୁ ଖୋଜିବାକୁ କେବିନ୍‌ ବାହାରକୁ ଆସିଥିଲେ। ପାଖରେ ଥିବା ୧୦୮ କେବିନ୍‌ର କବାଟ ଖୋଲାଥିଲା। ଭିତରକୁ ପଶିଯିବାରୁ ରଂଗାଧରଙ୍କୁ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ନିଜ ଗାମୁଛାକୁ ବେକରେ ବାନ୍ଧି ରଂଗାଧର ଆତ୍ମହତ୍ୟା କରିଥିଲେ। ଏ ସମ୍ପର୍କରେ ତୁରନ୍ତ ସେ ଡାକ୍ତରଙ୍କୁ ଜଣାଇଥିଲେ। ଡାକ୍ତର ପହଞ୍ଚି ଦେଖିବା ପରେ ତାଙ୍କ ମୃତ୍ୟୁ ଅନେକ ସମୟ ପୂର୍ବରୁ ହୋଇଥିବା ଜାଣିବାକୁ ପାଇଥିଲେ। ଆଜି ମଙ୍ଗଳାବାଗ ଥାନା ପୁଲିସ ନର୍ସିଂହୋମ୍‌ରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତାଙ୍କ ଶବ ନିକଟରୁ ପୁଲିସ ଏକ ସୁଇସାଇଡ ନୋଟ୍‌ ଜବତ କରିଛି । ପୁଲିସ ଏକ ଅପମୃତ୍ୟୁ ମାମଲା(କେସ୍‌ ନଂ ୬୮୯) ରୁଜୁ କରିଛି । କଟକ ବଡ଼ ମେଡିକାଲ୍‌ରେ ଶବ ବ୍ୟବଚ୍ଛେଦ ପରେ ମେଡିକାଲ୍‌ ପକ୍ଷରୁ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ ଶବ ସଂସ୍କାର ପାଇଁ ଭଦ୍ରକ ନେଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର