ଚିକିତ୍ସା ଦାବି: ଧାରଣା ବେଳେ ଆଖି ବୁଜିଲେ କର୍କଟ ପୀଡ଼ିତା ଛାତ୍ରୀ

ମାହାଙ୍ଗା : ମାହାଙ୍ଗା ବ୍ଲକ୍‌ ପଲ୍ଲୀସାହି ପଞ୍ଚାୟତ ଶୁକ୍ଳେଶ୍ୱର ଗ୍ରାମରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଚିକିତ୍ସା ଅବହେଳାର ପ୍ରତିବାଦରେ ଧାରଣା ଦେଇଥିବା ଜଣେ କର୍କଟ ପୀଡ଼ିତା ଛାତ୍ରୀଙ୍କୁ ଧାରଣାସ୍ଥଳରୁ ଉଠାଇ କଟକ ବଡ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସଂଧ୍ୟାରେ ଗ୍ରାମବାସୀ ମୃତଦେହ ରଖି ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ମୃତ ଛାତ୍ରୀ ଜଣକ ହେଉଛନ୍ତି କରୁଣାକର ଜେନାଙ୍କ ବଡ ଝିଅ ଗୀତାଞ୍ଜଳି ଜେନା। +୨ର ପ୍ରଥମ ବର୍ଷର ଛାତ୍ରୀ ଗୀତାଞ୍ଜଳି ଦେଢ ମାସ ତଳେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ପରିବାର ଲୋକ କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ସେଠାରେ କିନ୍ତୁ ତାଙ୍କୁ ଚିିକିତ୍ସା କରା ନଯାଇ ମାହାଙ୍ଗା ମେଡିକାଲ ଜରିଆରେ ଆସିବାକୁ ପରାମର୍ଶ ଦିଆଯାଇଥିଲା। ପରିବାର ଲୋକେ ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜରିଆରେ ପୁଣି କର୍କଟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଗୀତାଞ୍ଜଳିଙ୍କୁୁ ଚିକିତ୍ସା କରାନଯାଇ ହେମାଟୋଲୋଜି ବିଭାଗକୁ ଯିବାକୁ ପରାମର୍ଶ ଦିଆଯାଇଥିଲା। ହେମାଟୋଲୋଜି ବିଭାଗରେ ୮ ଦିନ ରହି ଗୀତାଞ୍ଜଳି ଘରକୁ ଫେରିଥିଲେ। କିନ୍ତୁ ପୁଣି ୧୫ ଦିନ ପରେ ଦେହ ଖରାପ ହୋଇଥିଲେ ବି ଅର୍ଥାଭାବରୁ ଗୀତାଞ୍ଜଳିଙ୍କ ଆବଶ୍ୟକ ଚିକିତ୍ସା କରାଯାଇ ପାରି ନଥିଲା। କରୁଣାକର ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ନିକଟରେ ସରକାରଙ୍କ ସ୍ୱାସ୍ଥ୍ୟବୀମା କାର୍ଡ ନ ଥିବାରୁ ଝିଅର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାକ୍ଷାତ କରି ସହାୟତା ନିବେଦନ କରିିଥିଲେ। କିନ୍ତୁ ଗତକାଲି ଗୀତାଞ୍ଜଳିଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ପୁଣି ହେମାଟୋଲୋଜି ବିଭାଗକୁ ନିଆଯାଇଥିଲା। କିନ୍ତୁ ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ଗୀତାଞ୍ଜଳିଙ୍କୁ ଚିକିତ୍ସା ନ କରି ସୋମବାର ଦିନ ଆସିବାକୁ କହିଥିଲେ। ସେଠାରୁ ନିରାଶ ହୋଇ ସେ ଗତକାଲି ରାତିରେ ଗାଁକୁ ଫେରିଥିଲେ।

ଗୀତାଞ୍ଜଳିଙ୍କ ଏଭଳି ଚିକିତ୍ସା ଅବହେଳା ପ୍ରତିବାଦରେ ଆଜି ଶୁକ୍ଳେଶ୍ୱର ଗ୍ରାମର ଶତାଧିକ ଗ୍ରାମବାସୀ କର୍କଟ ପୀଡିତା ଗୀତାଞ୍ଜଳି ଏବଂ ତାଙ୍କ ପରିବାର ଲୋକଙ୍କ ସହ ଖନ୍ଦୋଳ ଓସ୍ତମୂଳଠାରେ ଧାରଣା ଦେଇ ସାଲେପୁର-କୁଆଁପାଳ ପୂର୍ତ୍ତରାସ୍ତାକୁ ଅବରୋଧ କରିଥିଲେ। ଏଭଳି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ସଂପର୍କରେ ଖବର ପାଇ ମାହାଙ୍ଗା ବ୍ଲକ୍‌ ଅଧ୍ୟକ୍ଷ ଶରତ ନାୟକ ଓ ମାହାଙ୍ଗା ଆଇଆଇସି ଯୁଗଳ କିଶୋର ଦାସ ରାସ୍ତା ଅବରୋଧସ୍ଥଳରେ ପହଞ୍ଚ ଲୋକଙ୍କୁ ବୁଝାସୁଝା କରି ଦିନ ପ୍ରାୟ ୧ଟା ସମୟରେ ଗୀତାଞ୍ଜଳିଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲ ପଠାଇଥିଲେ। କିନ୍ତୁ ସେଠାରେ ପହଞ୍ଚବାର କିଛି ସମୟ ମଧ୍ୟରେ ଗୀତାଞ୍ଜଳିଙ୍କର ମୃତ୍ୟୁ ହୋଇଥିଲା। ଗୀତାଞ୍ଜଳିଙ୍କୁ ଚିକିତ୍ସା ନ କରି ଫେରାଇ ଦେବା ଓ ଚିକିତ୍ସା ସେବାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର