ପୁଲିସ ପରୀକ୍ଷାରେ ଅଘଟଣ : ଦୌଡ଼ିବା ବେଳେ ଅସୁସ୍ଥ ପ୍ରାର୍ଥୀଙ୍କ ମୃତ୍ୟୁ

କଟକ : ରାଜ୍ୟ ସିଲେକ୍ସନ ବୋର୍ଡ ପକ୍ଷରୁ ଆୟୋଜିତ କନେଷ୍ଟବଳ, ସିପାହୀ ପରୀକ୍ଷାରେ ଆଜି ବଡ଼ ଧରଣର ବିଭ୍ରାଟ ଘଟିଛି। ଶାରୀରିକ ଦକ୍ଷତା ପରୀକ୍ଷା କ୍ରସ୍‌ କଣ୍ଟ୍ରି ଚାଲିଥିବା ସମୟରେ ଦୁଇ ଜଣ ପ୍ରାର୍ଥୀ ଚହଟା ଓ ନରାଜ ମଝିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ହୋଇ ପଡ଼ିଥିବା କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନୁଖାପଡ଼ାର ସୁରେଶ ଚନ୍ଦ୍ର ପ୍ରଧାନ(୨୨) ଏବଂ ପୁରୀର ସରୋଜ ସାହୁ(୨୨)ଙ୍କୁ ଉଦ୍ଧାର କରି ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସୁରେଶଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ମେଡିକାଲ୍‌ରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନୁଖାପଡ଼ାରେ ସୁରେଶଙ୍କ ଶବ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଟାୟାର ଜାଳି କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି।

ସୂଚନା ଅନୁଯାୟୀ ରାଜ୍ୟ ସିଲେକ୍ସନ ବୋର୍ଡ ପକ୍ଷରୁ କଳାହାଣ୍ଡି ୯ମ ବାଟାଲିୟନ୍‌ର ୩୭ଟି ସିପାହୀ ପଦବି ଏବଂ ରାଜ୍ୟର ଅନ୍ୟ କନେଷ୍ଟବଳ ପଦବି ପାଇଁ ଏକକାଳୀନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଗତ ୬ ତାରିଖରୁ ଆୟୋଜିତ ହେଉଥିବା ଏହି ପରୀକ୍ଷାରେ ରମେଶ ଚନ୍ଦ୍ର ପ୍ରଧାନଙ୍କ ସାନ ପୁଅ ସୁରେଶ ଯୋଗ ଦେଇଥିଲେ। ଗତକାଲି ସେ ୧୬୦୦ ମିଟର ଦୌଡ଼ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଚହଟା ପାଖରୁ ଆଜି ସୁରେଶ ଓ ସରୋଜ ସକାଳ ପ୍ରାୟ ୮ଟା ୩୦ ବେଳେ ନରାଜ ଅଭିମୁଖେ ୫ କିମି ଦୌଡ଼ ପରୀକ୍ଷାରେ ସାମିଲ ହୋଇଥିଲେ। ଉଭୟ ୩ କିମି ଅତିକ୍ରମ କରିବା ପରେ ନରାଜର ୨ କିମି ପୂର୍ବରୁ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ସକାଳ ପ୍ରାୟ ୯ଟା ପାଖାପାଖି ସମୟରେ ସେମାନେ ଦୌଡ଼ୁଥିବା ବେଳେ ତଳେ ପଡ଼ି ଯାଇଥିଲେ। ସେମାନଙ୍କୁ ତୁରନ୍ତ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ପ୍ରାର୍ଥୀଙ୍କଠାରୁ ଖବର ପାଇ ସୁରେଶଙ୍କ ଭାଇ ନରେଶ ଦିନ ପ୍ରାୟ ୧ଟା ବେଳେ ବଡ଼ ମେଡିକାଲ୍‌ରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ସୁରେଶଙ୍କର ମୃତ୍ର ଘଟିଥିଲା। ଚିକିତ୍ସା ଅବହେଳାରୁ ସୁରେଶଙ୍କ ମୃତ୍ୟୁ ହୋଇଥିବା ନରେଶ ଅଭିଯୋଗ କରିଛନ୍ତି। ମୃତ୍ୟୁ ଘଟଣାକୁ ନେଇ ବଡ଼ ମେଡିକାଲ୍‌ ପରିସରରେ ଦିନ ପ୍ରାୟ ୨ଟା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ପରିବାର ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲା। ଅପରାହ୍ନରେ ବଡ଼ ମେଡିକାଲ୍‌ରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟପଟେ ରାତି ପ୍ରାୟ ୮ଟା ବେଳେ ମୃତ ଦେହ ନୁଖାପଡ଼ା ଗାଁରେ ପହଞ୍ଚିବା ପରେ ଗ୍ରାମବାସୀମାନେ ରାସ୍ତା ରୋକ୍‌ କରିଛନ୍ତି। ଚିକିତ୍ସା ଅବହେଳା ପ୍ରତିବାଦରେ ଟାୟାର ଜାଳିବା ସହିତ କ୍ଷତିପୂରଣ ଦାବି କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର