ଲୋକସଭା ଓ ବିଧାନସଭା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ବିଭିନ୍ନ ଦଳର ନେତା

ଭୁବନେଶ୍ୱର: ରାଜ୍ୟର କେତେକ ଲୋକସଭା ଏବଂ ବିଧାନ ସଭା ଆସନ ଲାଗି ଗୁରୁବାର ଦିନ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବାର ଖବର ଆସିଛି।

ସମ୍ବଲପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଡାକ୍ତର ଅଶ୍ୱିନୀ ପୂଜାହାରୀ , ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନ ଓ କଂଗ୍ରେସର ଶରତ ପଟ୍ଟନାୟକ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଢେଙ୍କାନାଳ ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ମହେଶ ସାହୁ ତାଙ୍କର ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ଯାଇ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀ ନିଖିଳ ପବନ କଲ୍ୟାଣଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଢେଙ୍କାନାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଢେଙ୍କାନାଳ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନବୀନ ନନ୍ଦ ମଧ୍ୟ ଉପଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ କାର୍ଯ୍ୟାଳୟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସୋର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପର୍ଶୁରାମ ଧଡ଼ା ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ବାଲେଶ୍ୱର ସିମୁଳିଆ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ମଧ୍ୟ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଭଦ୍ରକ ଲୋକସଭା ଆସନରୁ ମଞ୍ଜୁଲତା ମଣ୍ଡଳ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ପାଟକୁରା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ପରମାନନ୍ଦ ମହାରଣା ନାମକ ଜଣେ ବ୍ୟକ୍ତି ଫର୍ମ ପୂରଣ ନ କରି ଶୋଭାଯାତ୍ରାରେ ବାଣ ଆଦି ଫୁଟାଇ ରିଟର୍ଣ୍ଣିଂ ଅଫିସର୍‌ଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ବାଣ ଫୁଟିବା ଯୋଗୁଁ ଶୋଭାଯାତ୍ରାରେ ଥିବା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରାର୍ଥୀଜଣକ ଫର୍ମପୂରଣ କରି ନ ଥିବାରୁ ପ୍ରାର୍ଥୀପତ୍ର ଦାଖଲ କରି ନ ପାରି ଫେରି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର