ସମର୍ଥକମାନଙ୍କ ଗହଣରେ ଆସି ଲୋକସଭା ଓ ବିଧାନସଭା ଲାଗି ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ନେତା, ବାତାବରଣ ସରଗରମ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ। ତିନି ପ୍ରମୁଖ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ସହିତ ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ନିଜ ନିଜ ନିର୍ବାଚନ ମଣ୍ଡଳୀ ଲାଗି ନାମାଙ୍କନ ଦାଖଲ କରୁଛନ୍ତି।

ବୁଧବାର ଦିନ ୧୧: ୧୫ରେ ଢେଙ୍କାନାଳ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହଦେଓ ତାଙ୍କ ସମର୍ଥକଙ୍କ ଗହଣରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଅପରାହ୍ଣ ୧୨: ୫୦ରେ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ପ୍ରାର୍ଥୀ ସୁଧୀର କୁମାର ସାମଲ ତାଙ୍କ ସମର୍ଥକମାନଙ୍କ ଗହଣରେ ଆସି ଉପଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

କେନ୍ଦ୍ରାପଡ଼ା ବିଧାନସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା ମଧ୍ୟ ତାଙ୍କ ପ୍ରାର୍ଥୀପତ୍ର ଉପଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କ ନିକଟରେ ଦାଖଲ କରିଛନ୍ତି। ଏହା ହେଉଛି ଚଳିତ ନିର୍ବାଚନ ଲାଗି ଜିଲ୍ଲାର ପ୍ରଥମ ପ୍ରାର୍ଥୀପତ୍ର ଦାଖଲ। 

ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସମର୍ଥକଙ୍କ ଗହଣରେ .ସେ ନାମାଙ୍କନ ଦାଖଲ କରିଛନ୍ତି।

ଭୋଗରାଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ଲାଗି ବିଜେଡି ପ୍ରାର୍ଥୀ ଅନନ୍ତ ଦାସ ତାଙ୍କ ସମର୍ଥକମାନଙ୍କ ମେଳରେ ଯାଇ ବାଲେଶ୍ୱର ଏଡିଏମ୍‌ ସମ୍ବିତ ନାୟକଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ବାଲେଶ୍ୱର ଲୋକସଭା ଆସନ ଲାଗି ସ୍ୱାଧୀନ ପ୍ରାର୍ଥୀ ରମାନାଥ ବାରିକ ମଧ୍ୟ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଯାଜପୁର ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ବରୀ ବିଧାନସଭା ଆସନ ଲାଗି ବିଜେପି ପ୍ରାର୍ଥୀ ବିଶ୍ୱ ମଲ୍ଲିକ, ବଡ଼ଚଣା ବିଧାନସଭା ଆସନ ଲାଗି ବିଜେପି ପ୍ରାର୍ଥୀ ଅମର ନାୟକ ଏବଂ ସୁକିନ୍ଦା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଭାବେ ଶରତ ରାଉତ ସେମାନଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଭଦ୍ରକ ବାସୁଦେବପୁର ବିଧାନସଭା ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ବିଶାଳ ପଟୁଆରରେ ଆସି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

କେନ୍ଦୁଝର ଜିଲ୍ଲାରୁ ତେଲକୋଇ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଧନୁର୍ଜୟ ସିଧୁ, ସଦର ବିଧାନସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଦେହୁରୀ ଓ ସ୍ୱାଧୀନ ପ୍ରାର୍ଥୀ ସୁବର୍ଣ୍ଣ ନାୟକ, ପାଟଣା ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାୟକ, କେନ୍ଦୁଝର ଲୋକସଭା ଆସନ ଲାଗି ବିଜେପି ପ୍ରାର୍ଥୀ ଅନନ୍ତ ନାଏକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର