କ୍ୟାପିଟାଲ ହସ୍ପିଟାଲ ସମେତ ୬ ହସ୍ପିଟାଲକୁ ‘ଲକ୍ଷ୍ୟ ସାର୍ଟିଫିକେଟ୍‌’

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୬ଟି ହସ୍ପିଟାଲକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଲକ୍ଷ୍ୟ ସାର୍ଟିଫିକେଟ୍’ ପ୍ରଦାନ କରାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ଚାଲୁଥିବା ‘ଲକ୍ଷ୍ୟ’ କାର୍ଯ୍ୟକ୍ରମରେ ସାର୍ଟିଫିକେଟ୍ ହାସଲ କରିବା ପାଇଁ ଲେବର ରୁମ୍ ଓ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ଆବଶ୍ୟକ ମାନଦଣ୍ଡ ହାସଲ କରିବାରେ ଏହି ହସ୍ପିଟାଲଗୁଡ଼ିକ ସଫଳ ହୋଇଛନ୍ତି। ଏହି ହସ୍ପିଟାଲ ତାଲିକାରେ ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ, ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କେନ୍ଦୁଝର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନାମ ରହିଛି। କିଛି ଦିନ ପୂର୍ବରୁ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଉଭୟ ‘ଲକ୍ଷ୍ୟ’ ଓ ‘ଏନ୍‌କ୍ବାସ୍‌’ ସାର୍ଟିଫିକେଟ୍ ମିଳିଛି।

କ୍ୟାପିଟାଲ ହସ୍ପିଟାଲ ଲେବର ରୁମ୍‌ ପାଇଁ ୯୩ ପ୍ରତିଶତ ଓ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ୯୫ ପ୍ରତିଶତ, କନ୍ଧମାଳ ଲେବର ରୁମ୍ ପାଇଁ ୯୦ ପ୍ରତିଶତ ଓ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ୮୪ ପ୍ରତିଶତ, ଢେଙ୍କାନାଳ ଲେବର ରୁମ୍ ପାଇଁ ୯୧ ପ୍ରତିଶତ ଓ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ୯୬ ପ୍ରତିଶତ, ରାୟଗଡ଼ା ହସ୍ପିଟାଲ ଲେବର ରୁମ୍ ପାଇଁ ୮୯ପ୍ରତିଶତ ଓ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ୮୯ ପ୍ରତିଶତ, ଘଟଗାଁ ସିଏଚ୍‌ସି ଲେବର ରୁମ୍ ପାଇଁ ୮୬ ପ୍ରତିଶତ ଓ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ୮୯ପ୍ରତିଶତ ମାନଦଣ୍ଡ ହାସଲ କରିପାରିଛନ୍ତି। ଏଥିପାଇଁ ଗତ ଜୁନ୍‌ରେ ୨ଜଣିଆ ଟିମ୍‌ ଏସବୁ ହସ୍ପିଟାଲ ପରିଦର୍ଶନ କରିବା ସହ ଏହାର ମୂଲ୍ୟାୟନ କରିଥିଲେ।

ସମ୍ବନ୍ଧିତ ଖବର