ପୋଲରେ ପିଟି ହେଲା କାର୍‌: ୩ ମୃତ, ଅଧାରେ ରହିଗଲା ଜଗନ୍ନାଥ ଦର୍ଶନ

ବାଲେଶ୍ୱର:  ଜଗନ୍ନାଥ ଦର୍ଶନର ଅଭିଳାଷ ନେଇ ତୀର୍ଥଯାତ୍ରାରେ ପୁରୀ ବାହାରିଥିଲେ କୋଲକାତାର ସେନଗୁପ୍ତ ପରିବାର। ଆତ୍ମୀୟସ୍ୱଜନଙ୍କୁ ନେଇ ୩ଟି ଗାଡ଼ି ଆଗପଛ ହୋଇ ଦ୍ରୁତଗତିରେ ଛୁଟିଥିଲା ଜାତୀୟ ରାଜପଥ ଉପରେ। ମାତ୍ର ସେମାନଙ୍କ ତୀର୍ଥଯାତ୍ରା ପାଲଟିଗଲା ମହାଯାତ୍ରା।  ୩ଟି ଗାଡ଼ି ମଧ୍ୟରୁ ସବା ପଛରେ ଥିବା ଲାଲ୍‌ ରଙ୍ଗର ମାରୁତି କାର୍‌ଟି ୬୦ ନମ୍ବର ଜାତୀୟ ରାଜପଥର ରୂପ୍‌ସା ଥାନା ନିକଟରେ ଏକ ପୋଲ ଦେହରେ ପିଟି ହୋଇଗଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ ଭିତରେ ଥିବା ପରିବାରର ୩ ଜଣ ଆଖିବୁଜିଲେ। କାର୍‌ ଚଲାଉଥିବା ଯୁବକଙ୍କ ପତ୍ନୀ, ଶାଶୂ ଓ ଶ୍ୱଶୁରଙ୍କ ମୃତ୍ୟୁ ହୋଇ ଯାଇଥିବାବେଳେ ସେ ନିଜେ ଓ ତାଙ୍କର ୬ ବର୍ଷର ଝିଆରୀ ଗୁରୁତର ଆହତ ହୋଇ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।  ଶନିବାର ଦ୍ୱି-ପ୍ରହରରେ ଘଟିଥିବା ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରି ଦେଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ  ହେଲେ କାଶୀନାଥ ସେନଗୁପ୍ତ(୬୫), ତାଙ୍କ ପତ୍ନୀ ଜୟନ୍ତୀ ସେନଗୁପ୍ତ(୬୦) ଓ ସାନଝିଅ ଶ୍ରେୟା ସିହ୍ନା(୩୨)। ଗାଡ଼ି ଡ୍ରାଇଭିଂ କରୁଥିବା ଶ୍ରେୟାଙ୍କ ସ୍ୱାମୀ ରାଣା ସିହ୍ନା(୪୦) ଓ ଝିଆରୀ ୬ ବର୍ଷର ଶିଶୁକନ୍ୟା ଅଭିନନ୍ଦା ସେନଗୁପ୍ତ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ରୂପ୍‌ସା ଥାନା ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲା ଏବଂ ଗାଡ଼ିଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିଲା ପରେ ଡାକ୍ତରମାନେ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାଗ୍ରସ୍ତମାନଙ୍କ ଜଣେ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଆଜି ସକାଳେ ସେମାନେ ତିନିଟି ଗାଡ଼ିରେ ୧୫ ଜଣ ସଦସ୍ୟ କୋଲକାତାର ବେଲେଘାଟାରୁ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ  ଯାଉଥିଲେ। ରାଣା ତାଙ୍କ ପତ୍ନୀ ଶ୍ରେୟାଙ୍କ ସମେତ ଶାଶୂ-ଶ୍ୱଶୁର ଓ ଝିଆରୀଙ୍କୁ ନେଇ ଏକ ମାରୁତି ସୁଇଫ୍ଟ (ଡବ୍ଲୁବି-୦୮ଏ-୩୮୭୨) ଗାଡ଼ିରେ ସବା ପଛରେ ଆସୁଥିଲେ।

ସମ୍ବନ୍ଧିତ ଖବର