ବାଲେଶ୍ୱର: ଭାରସାମ୍ୟ ହରାଇ ୧୬ଫୁଟ ତଳକୁ ଓଲଟିଲା କାର, ଦେଢ଼ବର୍ଷ ଶିଶୁ ମୃତ ଓ ୫ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଖନ୍ତାପଡ଼ା ଥାନା ପଣପଣା ଠାରେ ଶନିବାର ଏକ କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ ଘଟଣାସ୍ଥଳରେ ଦେଢ଼ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ମୃତ ଶିଶୁର ନାମ ଗୁଡ଼ି ପଲେଇ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପଣପଣା ଗାଁରୁ ଦୁଇଟି ପରିବାରର ୬ଜଣ ସଦସ୍ୟ କାର୍‌ ନମ୍ବର ଡିଏଲ୧୨ ସିଇ ୪୩୨୧ରେ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ଏହି ସମୟରେ ଜାତୀୟ ରାଜପଥର ଓଳିଆପଟଣାଠାରେ କାରଟି ଭାରସାମ୍ୟ ହରାଇ ୧୬ ଫୁଟ ତଳକୁ ଓଲଟି ପଡିଥିଲା । ପୋଲ ତଳେ ୪ଫୁଟ ପାଣିରେ କାରଟି ବୁଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦେଢ଼ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ନାମ ପ୍ରଫୁଲ୍ଲ ପଲେଇ (୪୦), ଟିକିଲି ପଲେଇ (୩୨), ରତ୍ନାକର ପ୍ରଧାନ (୩୮), ରଶ୍ମି ପରିଡା (୩୫) ଓ ସୌମ୍ୟରଞ୍ଜନ ପରିଡା (୭)।

ତେବେ ରଶ୍ମି ପରିଡା ଓ ସୌମ୍ୟରଞ୍ଜନ ପରିଡାଙ୍କ ଅବସ୍ଥା ଶୋଚନୀୟ ହେବାରୁ ମା’ ଓ ପୁଅ ଦୁହିଁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଉଛି।

ସମ୍ବନ୍ଧିତ ଖବର