୪ କୁକୁର ଛୁଆଙ୍କୁ କାର୍‌ ଚଢ଼ାଇ ଜେଲ୍‌ ଗଲେ ଚାଳକ

ମୃତ ଛୁଆଙ୍କ ପାଖରେ ଘଣ୍ଟାଏ ବସିରହିଲା ମା’ କୁକୁର

ଚନ୍ଦ୍ରଶେଖରପୁର : ରାସ୍ତାରେ ବୁଲୁଥିବା ୪ କୁକୁର ଛୁଆଙ୍କୁ କାର୍‌ ଚଢ଼ାଇ ଦେବା ପରେ କାର୍‌ ଚାଳକ ଗିରଫ ‌ହୋଇ ଜେଲ୍‌ ଯିବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାଣୀ ମଙ୍ଗଳ ସ୍ବେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍‌ ଫର୍‌ ଆନିମଲ୍‌ର ଅଭିଯୋଗ ପରେ କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇଥିବା କାର୍‌ ଚାଳକ କାହ୍ନୁଚରଣ ଗିରିଙ୍କୁ ଆଇପିସି ଧାରା ୧୧ ଓ ୧୮୪ ଏମ୍‌ଭି ଆଇନ୍‌ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କାହ୍ନୁଚରଣଙ୍କ ନିଜ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ଆନନ୍ଦପୁରର ହୋଇଥିବା ବେଳେ ସେ ଘାଟିକିଆ ସାଇ ମନ୍ଦିର ନିକଟରେ ରହୁଛନ୍ତି। ଏଥିସହ କାର୍‌ (ଓଡି-୦୨-ଏପି-୭୪୨୪)ଟିକୁ ମଧ୍ୟ ପୁଲିସ ଜବତ କରିଛି।

ଘଟଣାଟି ଘଟିଛି ଶୈଳଶ୍ରୀବିହାର ଛକରେ। ଗତକାଲି ଅପରାହ୍‌ଣରେ କାହ୍ନୁ ଏହି ରାସ୍ତାରେ କାର୍‌ ଚଳାଇ ଯାଉଥିବା ବେଳେ ରାସ୍ତା କଡ଼ରେ ଖେଳୁଥିବା ୪ କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ବେପରୱା ଗାଡ଼ି ଚାଳନା ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ହିଁ ଛଟପଟ ହୋଇ ସବୁ କୁକୁର ଛୁଆଙ୍କର ପ୍ରାଣ ଚାଲିଯାଇଥିଲା। ଦୁର୍ଘଟଣା ଘଟାଇବା ପରେ କାହ୍ନୁ କାର୍‌ ନେଇ ଜଗନ୍ନାଥ ମନ୍ଦିର ଦିଗରେ ପଳାଇଥିଲେ। ଏହି ଦୁର୍ଘଟଣାରେ ମରି ଯାଇଥିବା ନିଜ ଛୁଆମାନଙ୍କ ନିକଟରେ ମା’ କୁକର ଘଣ୍ଟାଏ କାଳ ବସି ରହିଥିଲା। ଏପରିକି ଏହି ବାଟ ଦେଇ ଯାଉଥିବା କୌଣସି ଲୋକକୁ ଯିବାକୁ ଦେଉ ନ ଥିଲା। ଭୁକିବା ସହ ନିଜ ମାତୃତ୍ବର ଯନ୍ତ୍ରଣା ଓ କ୍ରୋଧକୁ ପ୍ରକାଶ କରୁଥିଲା। ଏଭଳି କରୁଣ ଚିତ୍ର ଦେଖେଣାହାରୀଙ୍କୁ ଘଟଣାସ୍ଥଳରେ ମୁହୂର୍ତ୍ତେ ଅଟକି ଯିବାକୁ ବାଧ୍ୟ କରୁଥିଲା। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ମର୍ମାହତ କିଛି ବ୍ୟକ୍ତି ଉକ୍ତ କାର୍‌ ଚାଳକଙ୍କୁ ଗୋଡ଼ାଇ ‌ଗୋଡ଼ାଇ ଧରିଥିଲେ ଏବଂ ଏ ସମ୍ପର୍କରେ ପଶୁ ପକ୍ଷୀଙ୍କ କଲ୍ୟାଣ ପାଇଁ କାମ କରୁଥିବା ପିପୁଲ୍‌ ଫର୍‌ ଆନିମଲ୍‌ ଅନୁଷ୍ଠାନକୁ ସୂଚନା ଦେଇଥିଲେ। ଖବର ପାଇ ପିପୁଲ୍‌ ଫର୍‌ ଆନିମଲ୍‌ର ସଭ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କାର୍‌ ଚାଳକ କାହ୍ନୁକୁ ପୁଲିସ୍‌ ଜିମା ଦିଆଯାଇଥିଲା। ଏ ନେଇ ପିପୁଲ୍‌ ଫର୍‌ ଆନିମଲ୍‌ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ କାର୍‌ ଚାଳକଙ୍କ ବିରୋଧରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବଜିତ ମହାନ୍ତି ଘଟଣାର ତଦନ୍ତ କରିଥିଲେ।

ଘଟଣା ଘଟିଥିବା ସ୍ଥାନରେ ଲୋକଙ୍କୁ ପଚରାଉଚରା ପରେ ପୁଲିସ କାହ୍ନୁ ବେପରୱା ଭାବେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ୪ କୁକୁର ଛୁଆ ଅକାଳରେ ପ୍ରାଣ ହରାଇଥିବା ଜାଣିବାକୁ ପାଇଥିଲା। ତେଣୁ ପଶୁମାନଙ୍କ ପ୍ରତି ତାଙ୍କର ଏହି ହିଂସ୍ର ଆଚରଣ ଯୋଗୁଁ କାହ୍ନୁକୁ କୋର୍ଟ ଚାଲାଣ କରି ଜେଲ୍ ପଠାଇଥିଲେ। ପ୍ରଥମ ଥର ପାଇଁ କୌଣସି କାର୍‌ ଚାଳକ ଦୁର୍ଘଟଣାରେ କୁକୁର ଛୁଆଙ୍କୁ ମାରି ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ପିପୁଲ୍‌ ଫର୍‌ ଆନିମଲ୍‌ ଅନୁଷ୍ଠାନର ଜୀବନ ବି.ଦାସ ଓ ଅନ୍ୟ ସଦସ୍ୟଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି। ଏଭଳି ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିଲେ ବେପରୱା ଗାଡ଼ି ଚାଳକମାନେ ସାବାଡ଼ ହେବେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର