ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାବାହୁ : ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ-ଦର୍ପଦଳନ-ନନ୍ଦିଘୋଷ, ଆସନ୍ତାକାଲି ସୁନାବେଶ

ପୁରୀ: ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଂଚିବା ପରେ ବାହୁଡ଼ା ଯାତ୍ରା ଶେଷ ହୋଇଛି। ନଅ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡି ଆସିଛନ୍ତି। ସନ୍ଧ୍ୟା ପୂର୍ବରୁ ତିନିଠାକୁରଙ୍କ ରଥ ସିଂହଦ୍ୱାର ସାମ୍ନାରେ ପହଞ୍ଚିଛି। ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରୁ ବଡଦେଉଳ ଅଭିମୁଖେ ଫେରିଆସିଛନ୍ତି।

ଶ୍ରୀମନ୍ଦିର ସମ୍ମୁଖଙ୍କୁ ଜଗତର ନାଥ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ଗହଳ ଲଗାଇ ଆସିଥିବାରୁ ବଡ଼ ଭାଇ ଓ ଭଉଣୀ ପହଂଚିବାର ପ୍ରାୟ ୧ ଘଣ୍ଟା ପରେ ପହଂଚିଛନ୍ତି। ଶ୍ରୀମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଂଚିବା ପୂର୍ବରୁ ଶ୍ରୀନଅର ଠାରେ ଲକ୍ଷ୍ମୀନାରାୟଣଙ୍କ ଭେଟ ହୋଇଛି।

ରଥ ଉପରେ ଶନିବାର ସୁନାବେଶ ହେବ। ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଲକ୍ଷାଧିକ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀଜିଉମାନଙ୍କର ବହୁ ପ୍ରତୀକ୍ଷିତ ରଥ ଉପରେ ସୁନାବେଶ ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ଯାଏଁ ଜାରି ରହିବ। ରବିବାର ଅଧରପଣା ନୀତି ସଂପନ୍ନ ହେବ ଏବଂ ଆସନ୍ତା ୧୫ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ନୀଳକନ୍ଦରକୁ ବିଜେ କରିବେ।

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶୁକ୍ରବାର ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରୁ ଶରଧାବାଲିରେ ଦଣ୍ଡାୟମାନ ତିନି ରଥ ଉପରକୁ ଶ୍ରୀଜିଉମାନଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ତିନି ଠାକୁରଙ୍କର ପହଣ୍ଡି ଶେଷ ହେବା ପରେ ସେମାନଙ୍କୁ ରଥାରୁଢ଼ କରାଯାଇଥିଲା। ଏହା ପରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଅପରାହ୍ଣ ପ୍ରାୟ ୧ଟା ୩୦ ବେଳକୁ ପ୍ରଥମେ ବଳଭଦ୍ରଙ୍କ ରଥ ‘ତାଳଧ୍ୱଜ’ଙ୍କୁ ଶ୍ରୀମନ୍ଦିର ଅଭିମୁଖେ ନିଆଯାଥିଲା। ଏହା ପରେ ଦେବୀ ସୁଭଦ୍ରାଙ୍କ ରଥ ଗଡ଼ିଥିଲା। ରିପୋର୍ଟ ଲେଖାଯିବା ବେଳକୁ ନନ୍ଦିଘୋଷ ସିଂହଦ୍ୱାର ଠାରୁ ଅଳ୍ପଦୂରରେ ଅଛି। ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ତିନି ରଥକୁ ଶ୍ରଦ୍ଧାର ସହିତ ଟାଣିଛନ୍ତି। ଏହି ସମୟରେ ମୃଦଙ୍ଗ, ଘଣ୍ଟ, ଶଙ୍ଖ ଓ କୀର୍ତ୍ତନରେ ଶ୍ରୀକ୍ଷେତ୍ର କମ୍ପି ଉଠିଛି।

ସମ୍ବନ୍ଧିତ ଖବର