ବାହାର ଫେରନ୍ତାଙ୍କୁ ପ୍ରଶାସନର ସାହାଯ୍ୟ ଏମିତି : ଘରେ ଛାଡି ଦେବା କହି ଅଧାବାଟରେ ଛାଡି ଦେଲେ, ରାତି ସାରା ଚାଲି ସକାଳେ ଘରେ ପହଞ୍ଚିଲେ ୬ କାଠମିସ୍ତ୍ରୀ

ଫୁଲବାଣୀ: କରୋନା ମାହାମାରୀ ରୂପ ନେବା ପରେ ବାହାର ଫେରନ୍ତାଙ୍କ ପାଇଁ ସବୁ ପ୍ରକାର ସୁବିଧା ଯୋଗାଇବା ଏବଂ ସେମାନଙ୍କୁ ଘରେ ଛାଡିବାଠାରୁ ଆରମ୍ଭ କରି କ୍ବାରେଣ୍ଟାଇନରେ ରହିବା ପାଇଁ କହିବା ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି। ହେଲେ କଟକ ଫେରନ୍ତା କନ୍ଧମାଳର ୬ ଜଣ କାଠମିସ୍ତ୍ରୀଙ୍କୁ ପ୍ରଶାସନ ଅଣଦେଖା କରିଛି। ସେମାନଙ୍କୁ ଘରେ ଛାଡି ଦେବା କହି ଅଧାବାଟରେ ଛାଡି ଦେବା ଓ ସେମାନେ ରାତିସାରା ଚାଲି ଘରେ ପହଞ୍ଚିବା ଘଟଣା ସାଧାରଣରେ ଉଦବେଗ ସୃଷ୍ଟି କରିଛି।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କଟେଡିମାହାର କାହ୍ନୁ ପ୍ରଧାନ,ସୁବଳ ପ୍ରଧାନ,ପ୍ରଶାନ୍ତ ପ୍ରଧାନ,ମିକୁ ପ୍ରଧାନ ଏବଂ ରାଇକିଆ ବ୍ଳକ ବାରିଗୁଡାର ପ୍ରଶାନ୍ତ ପରିଡା ଓ ପଡୋଶୀ ଗଂଜାମ ଜିଲ୍ଲାର ପିଣ୍ଟୁ ନାୟକ ପ୍ରମୁଖ କଟକ ଜିଲ୍ଲା ତ୍ରିଶୁଳିଆରେ କାଠମିସ୍ତ୍ରୀ ଭାବେ କାମ କରନ୍ତି। କରୋନା ଲକ ଡାଉନ ପରେ କାମ ବନ୍ଦ ହେଲା। ୩-୪ ଦିନ ରହିବା ପରେ ପାଖରୁ ଟଙ୍କା ସରିଗଲା। ତେଣୁ ଯେ କୌଣସି ଉପାୟରେ ଘରକୁ ପଳାଇ ଆସିବାକୁ ସେମାନେ ଚାହିଁଥିଲେ। ଗତ ୩୧ ତାରିଖ ସଂଧ୍ୟାରୁ ସେମାନେ ପୁଲିସ ଭୟରେ ଲୁଚିଛପି ଚାଲିଚାଲି ନୟାଗଡରେ ପହଞ୍ଚିଥିଲେ। ସେଠାରୁ ଗ୍ରୋସରୀ ବୋଝେଇ ଏକ ଟ୍ରକରେ ଆସି ଗତକାଲି ଫୁଲବାଣୀରେ ପହଞ୍ଚି ଥିଲେ। ଏଠାକାର ପ୍ରଶାସନ ଓ ପୁଲିସ ସେମାନଙ୍କୁ ଗାନ୍ଧି ଛକରେ ଅଟକାଇଥିଲା। ସୁବିଧା କରିବା ଏବଂ କ୍ବରେଣ୍ଟାଇନରେ ରଖିବା କଥା ଭୁଲି ସେମାନଙ୍କୁ ଘରର ଠିକଣା ପଚାରିଥିଲା। ତାପରେ ଗୋଟିଏ ଗାଡିରେ ନେଇ ଘରେ ଛାଡି ଦେବାକୁ ପ୍ରଶାସନ କହିଥିଲା। ତାପରେ ସଂଧ୍ୟାରେ ଏକ ଗାଡି ଯୋଗେ ସେମାନଙ୍କୁ ଜି.ଉଦୟଗିରିରେ ଛାଡି ଦିଆଯାଇଥିଲା। କାକୁତି ମିନତୀ ହୋଇ ଗାଁରେ ପହଞ୍ଚାଇବାକୁ କହିଥିଲେ ବି ଗାଡିର ଚାଳକ ଓ ବସିଥିବା ସରକାରୀ ବାକୁ ଶୁଣି ନଥିଲେ।

ତାପରେ ଜି.ଉଦୟଗିରି ପୁଲିସ ଓ କରୋନା ମୁକାବିଲା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଗାଁରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ବି କେହି କିଛି ଶୁଣି ନଥିଲେ। ଜଳଖିଆ ପୁଡିଆ ଓ ପାଣି ବଟଲ ଧରାଇ ନିଜ ବ୍ୟବସ୍ଥାରେ ଯାଅ ବୋଲି ଶେଷରେ ଶୁଣାଇ ଦିଆଯାଇଥିଲା। ନିରୁପାୟ ହୋଇ ସମସ୍ତେ ଜଳଖିଆ ପୁଡିଆ ଖାଇ ଓ ପାଣି ପିଇ ସେଠାରୁ ଗାଁ ଅଭିମୁଖେ ଚାଲିବା ଆରମ୍ଭ କରିଥିଲେ। ୩୦ କିଲୋମିଟର ଚାଲି ଯିବା ପରେ ପ୍ରଶାନ୍ତ ଓ ପିଣ୍ଟୁଙ୍କ ଗାଁ ପଡିଥିଲା। ସେମାନେ ସେଠାରେ ରହି ଯାଇଥିଲେ। ତାପରେ ଅନ୍ୟମାନେ ୬୦/୭୦ କିଲୋମିଟର ଚାଲି ଆଜି ସକାଳେ ଘରେ ପହଞ୍ଚିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନର ଏଭଳି କାମକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ହଁ ସେମିତି କାମ ହୋଇଛି ବୋଲି ସ୍ବୀକାର କରାଯାଇଥିଲେ ବି ପ୍ରଶାସନ ପକ୍ଷରୁ କେହି ବି ପ୍ରତିକ୍ରିୟା ଦେବାକୁ ରାଜି ହୋଇ ନଥିଲେ।

ସମ୍ବନ୍ଧିତ ଖବର