ମିଥ୍ୟା ସତ୍ୟପାଠ: ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ପୁଣି ମାମଲା

କେନ୍ଦ୍ରାପଡ଼ା/ଡେରାବିଶ: ବିଜେଡିରୁ ନିଲମ୍ବିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆଜି କେନ୍ଦ୍ରାପଡା ଏସ୍‌ଡିଜେଏମଙ୍କ କୋର୍ଟରେ ପୁଣି ଏକ ମିଥ୍ୟା ସତ୍ୟପାଠ ମାମଲା ଦାଏର ହୋଇଛି। ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତ ଉଦୟନଗର ଅଞ୍ଚଳର ଦିଲୀପ କୁମାର ଦାସ ଗତକାଲି ଏହି ମାମଲା ଦାଏର କରିଛନ୍ତି। ଶୁଣାଣି ପାଇଁ ଅଦାଲତ ଏହି ମାମଲାକୁ ଗ୍ରହଣ କରିଥିବା ସୂଚନା ମିଳିଛି। ୨୦୧୪ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୨୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ ବେଳେ ସାଂସଦ ଶ୍ରୀ ପଣ୍ଡା ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିଲେ ବୋଲି ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି। ଏହି ମିଥ୍ୟା ସତ୍ୟପାଠ ଦଲିଲକୁ ସେହି ମାସର ୨୬ ତାରିଖ ଦିନ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ ବେଳେ ପ୍ରଦାନ କରିଥିବା ଉଲ୍ଲେଖ କରିଛନ୍ତି। ଅଭିଯୋଗ ଅନୁଯାୟୀ ସାଂସଦ ଶ୍ରୀ ପଣ୍ଡା ସତ୍ୟପାଠରେ ନିଜକୁ ଜଣେ ସମାଜସେବୀ ଭାବେ ଦର୍ଶାଇଥିଲେ। ହେଲେ ପରବର୍ତୀ ସମୟରେ ଇମ୍ଫା କମ୍ପାନୀର ଉପସଭାପତି ପଦରେ ରହି ସେ କୋଟିକୋଟି ଟଙ୍କା ଦରମା ନେଇଥିବା କେତେକ ଗଣମାଧ୍ୟମରୁ ଜଣା ପଡ଼ିଥିଲା ବୋଲି ଅଭିଯୋଗକାରୀ ଶ୍ରୀ ଦାସ ଦର୍ଶାଇଛନ୍ତି। ତେଣୁ ତାଙ୍କର ସାଂସଦ ପଦ ରଦ୍ଦ ପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମିଥ୍ୟା ସତ୍ୟପାଠ ନେଇ ଆଉ ଏକ ମାମଲା ରୁଜୁ ପରେ ସାଂସଦଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ଯେ, ସାଂସଦଙ୍କ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରର ଏହା ଆଉ ଏକ ଉଦାହରଣ। ପୂର୍ବର ମାମଲା ଓ ବର୍ତମାନର ଅଭିଯୋଗର କୌଣସି ସତ୍ୟତା ନାହିଁ। ଷଡ଼ଯନ୍ତ୍ରକାରୀମାନେ ଭୟଭୀତ ହୋଇ ଏପରି କରୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର