କଟକ : କୋଇଲା ଆବଣ୍ଟନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୦ ମସିହାରେ ଜାରି କରାଯାଇଥିବା ଗାଇଡଲାଇନକୁ ବିରୋଧ କରି ରୁଜୁ ମାମଲାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ୍ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜିନ୍ଦଲ ଷ୍ଟେନ୍ଲେସ୍ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ରୁଜୁ ଏ ସଂପର୍କିତ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଦିତ୍ୟ ନାରାୟଣ ଦାସ ମାମଲା ପରିଚାଳନା କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୭ ମସିହାରେ କେନ୍ଦ୍ର ସରକାର କୋଇଲା ଆବଣ୍ଟନ ନିମନ୍ତେ ଏକ ନିୟମ ପ୍ରଣୟନ କରିଥିଲେ। ଏହି ନିୟମ ଅନୁସାରେ ମହାନଦୀ କୋଲ୍ ଫିଲଡ୍ସ୍ (ଏମସିଏଲ) ଓ ଜିନ୍ଦଲ କମ୍ପାନି ମଧ୍ୟରେ ୨୦୦୯ରେ ଦୀର୍ଘ ମିଆଦି ସୂତ୍ରରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଜିନ୍ଦଲକୁ ବାର୍ଷିକ ୧୧ଲକ୍ଷ ୪୦ ହଜାର ମେଟ୍ରିକ୍ ଟନ୍ କୋଇଲା ପ୍ରଦାନ କରିବାକୁ ଚୁକ୍ତିନାମା ହୋଇଥିଲା। ମାତ୍ର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ଜିନ୍ଦଲକୁ କୌଣସି କୋଲ୍ ବ୍ଲକ୍ ପ୍ରଦାନ କରାଯାଇନଥିଲା। ଏହା ପରେ ଜିନ୍ଦଲ ଏମସିଏଲର ୬୦ ପ୍ରତିଶତ ଅଂଶଧନ ଥିବା ଏକ ପ୍ରକଳ୍ପରେ ସାମିଲ ହୋଇଥିଲା। ଫଳରେ ଜିନ୍ଦଲକୁ ମାତ୍ର ଶତକଡ଼ା ୯ ପ୍ରତିଶତ ହାରରେ କୋଇଲା ବ୍ୟବହାର କରିବାକୁ ଅନୁମତି ମିଳିଥିଲା।
ତେବେ ଏହା ପରେ କେନ୍ଦ୍ର ସରକାର କୋଇଲା ଆବଣ୍ଟନ ପ୍ରସଙ୍ଗରେ ୨୦୧୦ ମସିହାରେ ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରିଥିଲେ। ତଦନୁଯାୟୀ ଯେଉଁ କମ୍ପାନିକୁ କୋଲ୍ ବ୍ଳକ୍ ଦିଆଯାଇଛି ବା ଯେଉଁ କମ୍ପାନି ଏହି କ୍ଷେତ୍ରରେ ଅନ୍ୟ କାହା ସହିତ ମିଳିତ ଉଦ୍ୟୋଗରେ ଅଛନ୍ତି, ସେହି କମ୍ପାନକୁ ଆଉ କୋଇଲା ଦିଆଯିବ ନାହିଁ ବୋଲି ପ୍ରସ୍ତୁତ ଗାଇଡ଼ ଲାଇନରେ କୁହାଯାଇଥିଲା। ଅନ୍ୟପକ୍ଷରେ ଜିନ୍ଦଲକୁ କୋଇଲା ଯୋଗାଣରେ ଶତକଡ଼ା ୫୦ ପ୍ରତିଶତ ପରିମାଣ ହ୍ରାସ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଏମସିଏଲକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଜିନ୍ଦଲକୁ କୋଇଲା ଉତ୍ତୋଳନ କରିବାକୁ କୁହାଯାଇଥିଲା। ଏପରି ପରିସ୍ଥିତିରେ ଜିନ୍ଦଲର ଯାଜପୁର ଜିଲା ଡୁବୁରି ଠାରେ ଥିବା କାପ୍ଟିଭ୍ ପ୍ଲାଣ୍ଟ ଚାଲିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା।
ଗୋଟିଏ ପଟେ କେନ୍ଦ୍ର ସରକାର କୋଇଲା ଯୋଗାଣ ହ୍ରାସ କରିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ବିଜୁଳି ସଙ୍କଟ ଦୂର ପାଇଁ ପ୍ଲାଣ୍ଟକୁ ଶହେ ପ୍ରତିଶତ କାର୍ଯ୍ୟକ୍ଷମ କାରି ଚଳାଇବା ପାଇଁ ତାଗିଦ କରିଥିଲେ। କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ଲାଇନ୍କୁ ବିରୋଧ କରି ଜିନ୍ଦଲ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲା। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଏହି ପ୍ରସଂଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଗାଇଡଲାଇନକୁ ଅପ୍ରାସଂଗିକ ଦର୍ଶାଇ ଜିନ୍ଦଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କେନ୍ଦ୍ର ସରକାର ତୁରନ୍ତ ଏହି ଗାଇଡ୍ଲାଇନକୁ ପ୍ରତ୍ୟାହାର କରି ପୂର୍ବ ଚୁକ୍ତିନାମାକୁ କାଏମ ରଖିବା ଉଚିତ ବୋଲି ଆବେଦନରେ ଦର୍ଶାଯାଇଥିଲା।