ଅନୁଗୁଳ : ଲକ୍‌ଡାଉନ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ୨୪ ଜଣଙ୍କ ନାମରେ ମାମଲା ରୁଜୁ

ଅନୁଗୁଳ : କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ନିମନ୍ତେ ସରକାରଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ମାନୁ ନାହାନ୍ତି ଲୋକେ। ଲକ୍‌ଡାଉନ୍‌ ସମୟରେ ବହୁଲୋକ ତୀବ୍ରଗତିରେ ବାଇକ୍‌ରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ଅନୁଗୁଳ ଜିଲ୍ଲାରେ ଏପର୍ଯ୍ୟନ୍ତ ୨୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏଥି ସହିତ ୧୦ଟି ବାଇକ୍ ମଧ୍ୟ ଜବତ କରାଯାଇଛି। ଜରପଡ଼ା ଥାନାରେ ୨ ଜଣ, ପାଳଲହଡ଼ାରେ ଜଣେ, ବଅଁରପାଳ ଥାନାରେ ୫ଜଣ, ଅନୁଗୁଳ ଥାନାରେ ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଅନୁଗୁଳ ଜିଲ୍ଲା ପୁଲିସ ସୂତ୍ରରୁ ପ୍ରକାଶ। ଉଲ୍ଲେଖଯୋଗ୍ୟ ଯେ, ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ରହୁଥିବା ଲୋକଙ୍କୁ ପ୍ରାୟତଃ ଅଧିକ ସଚେତନ ବୋଲି ଧରାଯାଇଥାଏ। ହେଲେ ବିଶେଷ କରି ସହରାଂଚଳର ଲୋକେ ଅଧିକ ନିୟମ ଉଲ୍ଳଂଘନ କରୁଥିବା ଦେଖିବାକୁ ମିଳୁଛି। କରୋନା ଦାଉରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସରକାର ଲକ୍‌ଡାଉନ୍‌ ଭଳି କଠୋର ନିଷ୍ପତ୍ତି ନେଇଥିବା ବେଳେ ଲୋକେ ଏହାକୁ ଭ୍ରୁକ୍ଷେପ କରୁ ନାହାନ୍ତିି। ଅତିବେପରୁଆ ଭାବେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ସୋମବାରଠାରୁ ସହରର ବିଭିନ୍ନ ଛକରେ ପୁଲିସ ଜଗି ରହିବା ସହିତ ଲୋମାନଙ୍କ ଯିବା ଆସିବା ଉପରେ ନଜର ରଖୁଛି। କେତେକ ଲୋକ ତ ପୁଲିସ୍‌ ସେମାନଙ୍କୁ ଅଟକାଇ କାରଣ ପଚାରିଲେ ସେମାନେ କିଛି ପୁରୁଣା ମେଡିସିନ୍‌ ଖୋଲ କିମ୍ବା ବହୁ ଆଗରୁ ଡାକ୍ତରଙ୍କୁ ପରାମର୍ଶ କରାଇଥିବା କାଗଜକୁ ଦେଖାଇ ଔଷଧ କିଣିଯିବା ଆଳରେ ସହରରେ ମନଇଚ୍ଛା ବୁଲାବୁଲି କରୁଥିବା ଅଭିଯୋଗ ହେଉଛି। ସେହିଭଳି ଅନ୍ୟ କେତେକ ବ୍ୟକ୍ତି ଡାକ୍ତରଖାନାରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ଆଣିବାକୁ ଯାଉଥିବା କହି ପାରହୋଇ ଯାଉଛନ୍ତି ବୋଲି ଜଣେ ପୁଲିସ୍‌ କର୍ମଚାରୀ କହିଛନ୍ତି।

ସମ୍ବନ୍ଧିତ ଖବର