ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

ଭୂତ ସ୍କୁଲ ନେଇ ଜନସ୍ବାର୍ଥ ମାମଲା

କଟକ : ଜାଲ ସ୍କୁଲ, ଜାଲ ଛାତ୍ରଛାତ୍ରୀ ଓ ଜାଲ ଶିକ୍ଷକ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିକଟରୁ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୟ କୁମାର ମହାରଣାଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ୨୦୧୯, ଜାନୁଆରି ୨୧ ତାରିଖ ପୂର୍ବରୁ ଜବାବ ଦାଖଲ ପାଇଁ ଗଣଶିକ୍ଷା ବିଭାଗକୁ ନି‌େର୍ଦ୍ଦଶ ଦେଇଛନ୍ତି। ଭୁବେନେଶ୍ବର ପଟିଆ ଅଞ୍ଚଳର ଶ୍ରୀ ମହାରଣା ଏକ ଇ-ମେଲ ମାଧ୍ୟମରେ ହାଇକୋର୍ଟଙ୍କୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଚାଲିଥିବା ଜାଲିଆତି ଘଟଣାର ଭିିଜିଲାନ୍ସ ତଦନ୍ତ ପାଇଁ ନିବେଦନ କରିଥିଲେ। ତାଙ୍କ ଅଭିଯୋଗକୁ ଜନସ୍ବାର୍ଥ ମାମଲା ଆବେଦନ ଭାବେ ପଞ୍ଜୀକରଣ କରାଯିବା ପରେ ହାଇକୋର୍ଟରେ ଶୁଣାଣି ଚାଲିଛି।

ହାଇକୋର୍ଟରେ ଜଳସଂପଦ ବିଭାଗ ସଚିବ ହାଜର

କଟକ : ମହାନଦୀ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ବଦଳରେ ରାଜ୍ୟ ଜଳ ସଂପଦ ବିଭାଗ ବିଭିନ୍ନ କମ୍ପାନିକୁ ଦେଉଛି ଅଭିଯୋଗ କରି ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ରାଜ୍ୟ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ପ୍ରମୁଖ ସଚିବ ଆଜି ଉପସ୍ଥିତ ରହି ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୧ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଗୌରାଙ୍ଗ ଚରଣ ହୋତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ବିପ୍ଳବ ମହାନ୍ତି, ତରୁଣକାନ୍ତ ପଟ୍ଟନାୟକ, ସୋମା ପଟ୍ଟନାୟକ, ବି.ଏସ୍.ରାୟଗୁରୁ ପ୍ରମୁଖ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର