ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା : ସା˚ସଦ ଅନୁଭବଙ୍କ ନାଁରେ ମାମଲା

ଦୁଃଖ ପ୍ରକାଶ କଲେ ଅନୁଭବ

କେନ୍ଦ୍ରାପଡ଼ା : ବୈଦ୍ୟୁତିକ ଗଣମାଧୢମ ପ୍ରତିନିଧି ମନୋଜ ସ୍ବାଇଁଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ସା˚ସଦ ଅନୁଭବ ମହାନ୍ତିଙ୍କ ନାଁରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ତେ‌ବେ, ଏହାର କିଛି ଘଣ୍ଟା ପରେ ସାଂସଦ ଘଟଣାକୁ ନେଇ ଦୁଃଖପ୍ରକାଶ କରିଥିବାବେଳେ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଦୃଷ୍ଟି ଦେବେ ବୋଲି କହିଛନ୍ତି।

ଗତ ୫ ତାରିଖ ସନ୍ଧ୍ୟାରେ ସାମ୍ବାଦିକ ଶ୍ରୀ ସ୍ବାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଖବର ସ˚ଗ୍ରହ ପାଇଁ ଯାଇଥିବାବେଳେ ସା˚ସଦ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ବଳଦେବଜିଉ ମନ୍ଦିରର ବିକାଶ ପାଇଁ ସରକାର ସାଢେ଼ ୮କୋଟି ଟଙ୍କା ମ˚ଜୁର କରିଥିବା ବେଳେ ଏ ନେଇ ସା˚ସଦଙ୍କ ପ୍ରତିକ୍ରିୟା ମଗାଯାଇଥିଲା। ଏହି ସମୟରେ ସେ ମତାମତ ଦେବା ପରିବର୍ତ୍ତେ ତାଙ୍କୁ ଦୁର୍ବ୍ୟବହାର କରିବା ସହ କ୍ୟାମେରା ସମ୍ମୁଖରେ ଅପମାନିତ କରିଥିଲେ ବୋଲି ଶ୍ରୀ ସ୍ବାଇଁ ଅଭିଯୋଗରେ ଦର୍ଶାଇଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ସା˚ସଦଙ୍କ ବିରୋଧରେ ଦଫା ୩୪୧, ୩୨୩, ୨୯୪, ୫୦୦ ଓ ୫୦୬ରେ ମାମଲା ରୁଜୁ କରିଛି।

ଦୁଃଖ ପ୍ରକାଶ କଲେ ଅନୁଭବ

ସାମ୍ବାଦିକଙ୍କ ପ୍ରତି କରିଥିବା ଦୁର୍ବ୍ୟବହାର ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଏବ˚ ନିନ୍ଦା କରାଯିବାର ଦୁଇଦିନ ପରେ ମୁହଁ ଖୋଲିଛନ୍ତି ସା˚ସଦ ଅନୁଭବ ମହାନ୍ତି। ସେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଫେସବୁକ୍‌ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ‘ଗଣମାଧୢମ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଅଛି। ସବୁବେଳେ ସେ ଗଣମାଧୢମକୁ ସହଯୋଗ କରି ଆସିଛନ୍ତି। କେନ୍ଦ୍ରାପଡ଼ାରେ ଦୁଇଦିନ ତଳେ ଜଣେ ବୈଦ୍ୟୁତିକ ଗଣମାଧୢମ ପ୍ରତିନିଧିଙ୍କ ସହିତ ଯେଉଁ ଦୁର୍ଭାଗ୍ୟଜନକ ଘଟଣା ଘଟିଲା, ତାହା ମୋତେ ବ୍ୟଥିତ କରିଛି। ଏହା ଉଦ୍ଦେଶ୍ୟମୂଳକ ନ ଥିଲା। ଏହି ଘଟଣା ପାଇଁ ସେ ଦୁଃଖିତ,। ଏଥିସହିତ, ସେ ଉକ୍ତ ଭିଡିଓରେ କହିଛନ୍ତି ଯେ, ୨୦୧୯ କେନ୍ଦ୍ରାପଡ଼ା ଆସନରୁ ଦେଢ଼ ଲକ୍ଷ ଭୋଟ୍‌ ବ୍ୟବଧାନରେ ଜିତିବା ପରେ ମୋ’ର ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କ ପରିବାରର ମାଲିକାନାରେ ଥିବା ଟିଭି ଚ୍ୟାନେଲ୍‌ ନିୟମିତ ଭାବେ ମୋ ଚରିତ୍ର ସ˚ହାର କରିବା ସହିତ ମୋତେ ଅପମାନିତ କରୁଛି। ଏଥିରୁ କ୍ଷାନ୍ତ ରହିବା ପାଇଁ ସେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କୁ ଅନୁରୋଧ କରିବା ସହ କେନ୍ଦ୍ରାପଡ଼ାବାସୀଙ୍କ ସେବା କରିବା ସମୟରେ ଅଯଥା ହଇରାଣ ନ କରିବାକୁ ସେ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ, ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମ୍ବାଦିକଙ୍କ ଏ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ‘ମୁଁ ନିଶ୍ଚିତ ଦୃଷ୍ଟି ଦେବି’।

ସମ୍ବନ୍ଧିତ ଖବର