ବିଧାୟକଙ୍କ ବିରୋଧରେ ଜାତିଆଣ ଆକ୍ଷେପ ମାମଲା, ଆଦେଶନାମା ପ୍ରତ୍ୟାହାର ଆବେଦନ ଖାରଜ

କଟକ : ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ବିରୋଧରେ ଜାତିଆଣ ଆକ୍ଷେପ ସଂପର୍କିତ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଆଦେଶନାମା ପ୍ରତ୍ୟାହାର କରାଯାଉ ଦର୍ଶାଇ ଦାୟର ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏତଲାକାରୀଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୯, ମାର୍ଚ୍ଚ ୧୩ରେ ହାଇକୋର୍ଟ ରାୟ ପ୍ରକାଶ କରି ଶ୍ରୀ ରାଉତଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ନେଇ ୨୦୧୦ରେ କୁଜଙ୍ଗ ଥାନାରେ ରୁଜୁ ମାମଲାକୁ ରଦ୍ଦ କରିଥିଲେ। ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ବ୍ଲକ ପଡିଆରେ ୨୦୧୦, ଅଗଷ୍ଟ ୧୮ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଧାୟକ ତଥା ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତ ଉପସ୍ଥିତ ଥିଲେ। ତତ୍କାଳୀନ ଜଗତସିଂହପୁର ଏଡିଏମ୍ ଉପେନ୍ଦ୍ରନାଥ ମଲ୍ଲିକ, ବିଧାୟକ ବିଷ୍ଣୁ ଚରଣ ଦାସ ଓ ସାଂସଦ ବିଭୁ ପ୍ରସାଦ ତରାଇଙ୍କ ବିରୋଧରେ ଜାତିଆଣ ଆକ୍ଷେପ କରି ଶ୍ରୀ ରାଉତ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ମନୋଜ କୁମାର ଭୋଇ କୁଜଙ୍ଗ ଥାନାରେ ୨୦୧୦, ଅଗଷ୍ଟ ୨୧ରେ ଶ୍ରୀ ରାଉତଙ୍କ ବିରୋଧରେ ଏତଲା ଦେଇଥିଲେ। ଏପରି ମାମଲାକୁ ରଦ୍ଦ କରିବା ପାଇଁ ଶ୍ରୀ ରାଉତ ୨୦୧୦ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର