ଧରାପଡ଼ିଗଲା ଦୁର୍ବଳତା

‘ଶ୍ରେଷ୍ଠ ଶହେ’ରେ ନାହିଁ ସରକାରୀ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ଏନ୍‌ଆଇଆରଏଫ୍‌ ପକ୍ଷରୁ ଦେଶର ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକା ପ୍ରକାଶ ପାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକୁ ୯ଟି ଶ୍ରେଣୀରେ ବିଭକ୍ତ କରାଯାଇ ତାଲିକା ପ୍ରସ୍ତୁତ ହୋଇଥିଲେ ମଧ୍ୟ ନିରାଶ କରିଛନ୍ତି ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନ। ପୁଣି ଧରାପଡ଼ିଯାଇଛି ଓଡ଼ିଶାରେ ସରକାରୀ ଉଚ୍ଚଶିକ୍ଷାର ଚରମ ଦୁର୍ବଳତା। କିଛିଟା ଇଜ୍ଜତ ବଞ୍ଚାଇବାକୁ ଓୟୁଏଟି ସକ୍ଷମ ହୋଇଥିଲା ବେଳେ ଅନ୍ୟ କୌଣସି ସରକାରୀ ଶିକ୍ଷାନୁଷ୍ଠାନ କୌଣସି ଶ୍ରେଣୀରେ ଶ୍ରେଷ୍ଠ ଶହେ ମଧ୍ୟରେ ସ୍ଥାନ ହାସଲ କରିପାରି ନାହାନ୍ତି। ୨୦୧୬ରେ ନାକ୍‌ ‘ଏ+’ ଗ୍ରେଡ୍‌ ଓ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ କାଟାଗୋରି-୧ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଲଜ୍ଜ୍ୟାକର ସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ରାଜ୍ୟର ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନ ଦେଶର ‘ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ’ ଭିତରକୁ ତ ଆସିପାରିଲାନି ‘ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ’ ଶ୍ରେଣୀରେ ବି ସ୍ଥାନ ପାଇଲାନି।

ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାବାସୀଙ୍କୁ ନିରାଶ କରିଥିବା ବେଳେ କୃଷି ବିଭାଗ ଅଧୀନରେ ପରିଚାଳିତ ଓୟୁଏଟି ଓଡ଼ିଶାର ଇଜ୍ଜତ ବଞ୍ଚାଇ ଦେଇଛି। ତିନି ବର୍ଷ ହେଲା ର‍୍ୟାଙ୍କ ପ୍ରକାଶ ପାଇଥିଲେ ମଧ୍ୟ ପ୍ରଥମ ଥର ଲାଗି କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଭାବେ ଓୟୁଏଟି ଶ୍ରେଷ୍ଠ ଶହେ ଭିତରକୁ ଆସିଛି। ଏହି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶହେ ତାଲିକାର ୧୩୭ତମ ସ୍ଥାନରେ ରହିଛି। ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଓୟୁଏଟି ୯୧ତମ, ଓଡ଼ିଶା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୩ୟ ଓ ରାଜ୍ୟରେ ପବ୍ଲିକ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି ଓୟୁଏଟି। ପୂର୍ବ ଭାରତର ଶିକ୍ଷା ହବ୍‌ ପାଲଟିଥିବା ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ସଜାଡ଼ିବା ପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଇ-ପାଠାଗାର, ଡିଜିଟାଲ କ୍ଲାସରୁମ୍‌, କ୍ୟାମ୍ପସ ସମ୍ପ୍ରସାରଣ ପରି ଦିଗ ପ୍ରତି ଦୃଷ୍ଟି ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ବିଶ୍ୱବ୍ୟାଙ୍କରୁ ବି ଋଣ ଆଣି ଉଚ୍ଚଶିକ୍ଷା ବ୍ୟବସ୍ଥା ସଜାଡ଼ିବା ଲାଗି ଅଣ୍ଟା ଭିଡ଼ୁଛନ୍ତି। ଏତେ ସବୁ ପରେ ବି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ସରକାରୀ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ ରାଜ୍ୟର ଉଚ୍ଚଶିକ୍ଷାର ଦୁର୍ବଳ ସ୍ଥିତିକୁ ଜାହିର୍‌ କରୁଛି।

ଗତ ଦୁଇବର୍ଷ ଏହି ର‍୍ୟାଙ୍କରେ ସ୍ଥାନ ନ ପାଇବା ପରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା କାର୍ଯ୍ୟରେ ଲାଗିପଡ଼ିଥିଲେ। ଘନ ଘନ ବୈଠକ ବି ଡାକିଥିଲେ। ନିର୍ଧାରିତ ସମୟରେ ଆବେଦନ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ତାଗିଦ୍‌ ବି କରାଯାଇଥିଲା। ହେଲେ ତାହାର କୌଣସି ବି ସୁଫଳ ଏଥର ପ୍ର୍ରତିଫଳିତ ହୋଇ ନାହିଁ। ବରଂ ନିରାଶ ହେବାକୁ ପଡ଼ିଛି। ବୈଷୟିକ ଶିକ୍ଷାର ବି ସମାନ ସ୍ଥିତି। ବିପିୟୁଟି କି ଏହା ଅଧୀନସ୍ଥ କୌଣସି ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ ବି ଏହି ସର୍ଭେରେ ସ୍ଥାନ ନ ପାଇବା ବୈଷୟିକ ଶିକ୍ଷାର ସ୍ଥିତିକୁ ପଦାରେ ପକାଇଛି। ସୋଆ, କିଟ୍‌ ପରି ଘରୋଇ ଶିକ୍ଷାନୁଷ୍ଠାନ ପୁଣିଥର ନିଜର ସ୍ଥିତି ଜାହିର କରିଥିବା ବେଳେ ସିଇଟି, ଆଇଜିଆଇଟି ପରି ପ୍ରମୁଖ ଶିକ୍ଷାନୁଷ୍ଠାନ ଆବେଦନ ହିଁ କରିପାରି ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଯେ ସାଧାରଣ କଲେଜ, ଫାର୍ମାସି, ଆର୍କିଟେକଚର, ଲ’ ଶ୍ରେଣୀ ର‍୍ୟାଙ୍କିଙ୍ଗ୍‌ରେ ଓଡ଼ିଶାରୁ କୌଣସି ଶିକ୍ଷାନୁଷ୍ଠାନ ନାହାନ୍ତି। ସରକାରୀ ତ ଦୂରର କଥା। ଘରୋଇ ଶିକ୍ଷାନୁଷ୍ଠାନ ବି ଆସି ପାରି ନାହାନ୍ତି। ଦୁଇ ହଜାରରୁ ଅଧିକ ସାଧାରଣ କଲେଜ, ୧୦ରୁ ଅଧିକ ଲ’ କଲେଜ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଅନେକ ଫାର୍ମାସି ଓ ଆର୍କିଟେକଚର ଶିକ୍ଷାନୁଷ୍ଠାନ ରହିଥିଲେ ମଧ୍ୟ ଗୋଟିଏ ବି ତାଲିକାରେ ଆସିପାରି ନାହାନ୍ତି। ୩ଟି ପ୍ରମୁ୍‌ଖ ମେଡିକାଲ କଲେଜ ଓଡ଼ିଶାରେ ରହିଥିଲେ ମଧ୍ୟ ମେଡ଼ିକାଲ ଶ୍ରେଣୀରେ ବି ନିରାଶ ହେବାକୁ ପଡ଼ିଛି। ଯେତେବେଳେ କି ସୋଆ ଓ କିଟ୍‌ ତାଲିକାରେ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର