ଧରାପଡ଼ିଲା ଆଉ ଏକ ବାଘ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆରୋଡ଼ ବନାଞ୍ଚଳ ଅନ୍ତର୍ଗତ ହଳଦୀ ଗାଁ ନିକଟରୁ ସୋମବାର ରାତିରେ ଆଉ ଏକ କଲରାପତରିଆ ବାଘ ଧରା ପଡ଼ିଛି। ଗତ ଜୁଲାଇ ମାସରେ ଧରା ପଡ଼ିଥିବା ବାଘ ଭଳି ଏହି ବାଘଟି ମଧ୍ୟ ବନ ବିଭାଗ ପକ୍ଷରୁ ବସା ଯାଇଥିବା ଯନ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ରାତିରେ ବାଘକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା। ବନ ବିଭାଗ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସୂଚନାଯୋଗ୍ୟ ଯେ ଗତ ଗତ ମଇ ୨୬ ତାରିଖ ରାତିରେ ହଳଦୀ ଗାଁର ହୀରାଲାଲ ପାଣ୍ଡେଙ୍କ ୪ ବର୍ଷର ପୁଅ ଛଗନଲାଲ ପାଣ୍ଡେକୁ ମା’ କୋଳରେ ଶୋଇଥିବା ବେଳେ କଲରାପତରିଆ ବାଘ ଉଠାଇ ନେଇ ଖାଇ ଯାଇଥିଲା। ଗାଁ ନିକଟ ଜଙ୍ଗଲରୁ ଛଗନର ଖପୁରି ଓ କିଛି ହାଡ଼ ମିଳିଥିଲା। ଏହି ଘଟଣା ପରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ। ମଇ ୨୮ ତାରିଖ ଦିନ ଡିଏଫଓ ଗଦାଧର ପାତ୍ର ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଛଗନର ପରିବାରବର୍ଗଙ୍କୁ ଭେଟିଥିଲେ। ପୁଣି ଜୁନ ୧୦ ତାରିଖ ରାତିରେ ଏହି ଗାଁରେ ଶୋଇଥିବା ଅବସ୍ଥାରେ ଉଭୟ ଆଈ ଧନବାଇ ପାଣ୍ଡେ ଓ ନାତୁଣୀ ଚାନ୍ଦିନୀ ପାଣ୍ଡେଙ୍କ ଗୋଡ଼କୁ ପଞ୍ଝା ମାରି ଆଘାତ କରିଥିଲା।

ବାଘ ଗାଁ ନିକଟ ଜଙ୍ଗଲରେ ବୁଲୁଥିବା ବିଭିନ୍ନ ସମୟରେ ଲୋକେ ଦେଖିଥିଲେ। ଫଳରେ ଭୟରେ କେହି ଘର ଛାଡ଼ୁ ନଥିଲେ। ଅନ୍ଧାର ରାତିରେ ବନ ବିଭାଗର ୨୦ରୁ ଅଧିକ କର୍ମଚାରୀ ପଇଁତରା ମାରୁଥିଲେ। ଦିନ ବେଳା ଡାକବାଜି ଗାଡ଼ି ଗାଁ ସାରା ବୁଲି ଗ୍ରାମବାସୀଙ୍କୁ ସତର୍କ କରାଉଥିଲା। ବାଘକୁ ଧରିବା ପାଇଁ ଯୋଜନା କରାଯାଇ ଆରମ୍ଭ ହୋଇଥିଲା ଅପରେସନ୍‌ ଟାଇଗର। ପ୍ରଥମ ଥର ପାଇଁ ଜଙ୍ଗଲରେ ଏକ ଯନ୍ତାର ବ୍ୟବସ୍ଥା କରାଯାଇ ସେଥିରେ କୁକୁଡ଼ା, ଛେଳି ରଖାଯାଇଥିଲା। ହେଲେ ବାଘ ଯନ୍ତାରେ ପଡ଼ି ନଥିଲା। ବିଭାଗ ପକ୍ଷରୁ ୬ଟି ସିସି କ୍ୟାମେରା ଲଗାଯାଇଥିଲା। ପରେ ୮ଫୁଟ ଉଚ୍ଚର ୩ଟି ସ୍ୱଂୟଚାଳିତ ଯନ୍ତା ଭୁବନେଶ୍ୱରରୁ ଅଣାଯାଇ ଲଗା ଯାଇଥିଲା।

ଜୁଲାଇ ୧୫ ତାରିଖ ସନ୍ଧ୍ୟାରେ ବାଘ ଯନ୍ତାରେ ପଡ଼ିବା ପରେ ବନ ବିଭାଗ କର୍ମଚାରୀମାନେ ଆଶ୍ୱସ୍ତ ହୋଇଥିଲେ। ଉକ୍ତ ବାଘଟିକୁ ତା’ ପରଦିନ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ଚିଡ଼ିଆଖାନାକୁ ନିଆ ଯାଇଥିଲା। ଏହା ସତ୍ତ୍ୱେ ଲୋକଙ୍କ ମନରୁ ଭୟ ଦୂର ହୋଇ ନଥିଲା। ଆଉ ଏକ ବାଘ ଗାଁ ନିକଟ ଜଙ୍ଗଲରେ ବୁଲୁଥିବା ଲୋକେ କହୁଥିଲେ। ଫଳରେ ନିୟମିତ ଭାବେ ଯନ୍ତା ବସାଯାଇ ନିରୀକ୍ଷଣ କରାଯାଉଥିଲା। ସୋମବାର ରାତିରେ ହଠାତ୍‌ ଆଉ ଏକ କଲରାପତରିଆ ବାଘ ଏହି ଯନ୍ତାରେ ପଡ଼ି ଯାଇଥିଲା। ଏହା ପରେ ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଥିବା ଲକ୍ଷ୍ୟ କରାଯାଇଛି।

ସମ୍ବନ୍ଧିତ ଖବର