ଫସଲ ପରେ ଗୋଠ ସଫା!

ଗଂଜାମରେ ଦୁଇ ଦିନରେ ମଲେଣି ଦୁଇ ଶହ ଗାଈ

ବ୍ରହ୍ମପୁର : ଗତ ୪ଦିନ ଧରି ଲାଗି ରହିଥିବା ବର୍ଷା ଚାଷୀଙ୍କୁ ସର୍ବସ୍ୱାନ୍ତ କରିଛି। କ୍ଷେତରୁ ପାଚିଲା ଧାନ ନଷ୍ଟ କଲା ପରେ ଏବେ ଗାଈ ଗୋଠ ଉପରେ ଦାଉ ସାଧିଛି। ଗଂଜାମ ଜିଲ୍ଲାରେ ଗତ ଦୁଇ ଦିନରେ ଦୁଇଶହରୁ ଅଧିକ ଗାଈଗୋରୁ ମଲେଣି। ଖୋଲା ଆକାଶ ତଳେ ରହୁଥିବା ଗାଈଗୋରୁ ବେଶି ସଂଖ୍ୟାରେ ମରୁଥିବା ଦେଖିବାକୁ ମିଳୁଛି। ଆହୁରି ହଜାର ହଜାର ଗୃହପାଳିତ ପଶୁ ଅସୁସ୍ଥ ହୋଇପଡ଼ିଛନ୍ତି। ଗଂଜାମ ଜିଲ୍ଲାରେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିବା ବେଳେ ପ୍ରାଣୀ ଚିକିତ୍ସା ବିଭାଗ ନିଦ ଭାଙ୍ଗିନି। ଏହାର ପ୍ରତିକାର ଦିଗରେ ବିଶେଷ କିଛି ବ୍ୟବସ୍ଥା ଗ୍ରହଣ କରିନାହିଁ। କେବଳ ଗାଈଗୋରୁଙ୍କୁ ଖୋଲା ଆକାଶ ତଳେ ନ ଛାଡ଼ିବାକୁ କହି ବିଭାଗ ଦାୟିତ୍ୱ ସାରିଦେଇଛି।

ଜିଲ୍ଲାରେ କିନ୍ତୁ ବହୁ ସଂଖ୍ୟାରେ ଗୃହପାଳିତ ଗାଈ, ବଦଳ, ଛେଳି, ମେଣ୍ଢା ଗତ ୪ ଦିନ ହେବ ବର୍ଷା ଓ ଥଣ୍ଡାରେ କଂପୁଛନ୍ତି। ନାକରୁ ପାଣି ବହୁଛି, ପେଟ ଫୁଲିଯାଉଛି, ପରେ ମୃତ୍ୟୁ ହେଉଥିବା ଚାଷୀ କହିଛନ୍ତି। ଗତ ଦୁଇ ଦିନ ଭିତରେ ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଅଞ୍ଚଳରେ ପ୍ରାୟ ଦୁଇ ଶହରୁ ଅଧିକ ଗାଈ ମରିଥିବା ରିପୋର୍ଟରୁ ଜଣାପଡିଛି। ଗଂଜାମ ଜିଲ୍ଲାର ଚିକିଟି ବ୍ଲକ୍‌ରେ ସର୍ବାଧିକ ୧୦୦ରୁ ଅଧିକ ଗାଈ ମରିଥିବା ଜଣାପଡିଛ। ସେହିଭଳି ସାନଖେମୁଣ୍ଡି ବ୍ଲକ୍‌ରେ ୨୪, ପାତ୍ରପୁର ବ୍ଲକ୍‌ରେ ୩୦ ରୁ ଅଧିକ ଗାଈଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବ୍ଲକ୍‌ରେ ଅଞ୍ଚଳରୁ ମଧ୍ୟ ଗାଈ ମୃତ୍ୟୁର ଖବର ଆସୁଛି। ଗାଈ ଗୁଡ଼ିକ ମରି ଏଣେ ତେଣେ ପଡୁଥିବାରୁ ମହାମାରୀ ବ୍ୟାପିବାର ଆଶଙ୍କା ରହିଛି।

ତେବେ ଗାଈ ମୃତ୍ୟୁର କାରଣ କୌଣସି ରୋଗ ନୁହେଁ ବରଂ ଖୋଲା ଆକାଶ ତଳେ ରହୁଥିବା ଗାଈ ବର୍ଷା ଯୋଗୁଁ ଶୀତ କମ୍ପରେ ମୃତ୍ୟୁ ହେଉଥିବା ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଚାଷୀ ବର୍ଷାରେ ଗାଈଙ୍କୁ ଖୋଲାରେ ନ ଛାଡି ନିଜ ଗୁହାଳରେ ରଖିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର