କଟକ-ବିଦ୍ୟାଧରପୁର : ଯାବତୀୟ ଅବ୍ୟବସ୍ଥା ଭିତରେ ଚାଲୁଥିଲା ଏହି ଗୋ’ସମ୍ପଦ ଆଶ୍ରୟସ୍ଥଳ। କିନ୍ତୁ ବାତ୍ୟା ସବୁକିଛି ଉଜାଡ଼ି ଦେଲା। ନା ରହିବାକୁ ଆଶ୍ରୟସ୍ଥଳ ଅଛି ନା ଖାଇବାକୁ ଖାଦ୍ୟ। ସିଏମସି ୫୫ ନମ୍ବର ୱାର୍ଡ ଅନ୍ତର୍ଗତ ଭଦିମୂଳରେ ଗଲା ୮୨ବର୍ଷ ଧରି ଚାଲି ଆସୁଥିବା ଉତ୍କଳ ଗୋ-ମଙ୍ଗଳ ସମିତି ଅନୁଷ୍ଠାନର ଅଣ୍ଟା ଭାଂଗି ଦେଇଛି ‘ଫନି’ ବାତ୍ୟା। ସଂପୂର୍ଣ୍ଣ ଛାରଖାର ଓ ଶ୍ରୀହୀନ ହୋଇ ଯାଇଛି ଏହି ଷଣ୍ଢ ଓ ମୁରା(ସ୍ବତନ୍ତ୍ର ପ୍ରଜାତିର ଅଣ୍ଡିରା ମଇଁଷି)ଙ୍କ ବଂଶ ବୃଦ୍ଧି କରି ଆସୁଥିବା ଏହି ପୁରୁଣା ଅନୁଷ୍ଠାନ। ସ୍ଥିତି ଏମିତି ହେଇଛି ଯେ ଖାଇବାକୁ ନ ପାଇ ଏବେ ମୁରା କଲବଲ ହେଉଛି। ହେଲେ ଏତେ ପୁରୁଣା ଅନୁଷ୍ଠାନ ପ୍ରତି ଅବହେଳା ପ୍ରଦର୍ଶନ ରାଜ୍ୟରେ ଗୋ’ସଂପଦ ସୁରକ୍ଷା ପ୍ରତି ଥିବା ପ୍ରଶାସନର ଚରମ ଦାୟିତ୍ବହୀନତା ତଥା ଆନ୍ତରିକତାର ଅଭାବକୁ ପ୍ରତିଫଳିତ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ୧୯୩୬ ମସିହାରେ ଇଂରେଜ ସାର୍ ଅଷ୍ଟିନ ହବାକ୍ ଏହି ଉତ୍କଳ ଗୋ-ମଙ୍ଗଳ ସମିତି ପ୍ରତିଷ୍ଠା କରିଥିଲେ। ରେଡ୍ ସିନ୍ଧି, ହରିୟାନା ଜର୍ସି ଷଣ୍ଢ, ମୁରା ପ୍ରଜାତିର ଅଣ୍ଡିରା ମଇଁଷି ଏଠାକୁ ଅଣାଯାଇଥିଲା। ଏମାନଙ୍କ ଶୁକ୍ରାଣୁରୁ ଉନ୍ନତ ବାଛୁରୀ ସୃଷ୍ଟି ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। ଗୋ-ସଂପଦର ଉନ୍ନତି ଥିଲା ଲକ୍ଷ୍ୟ। ସ୍ବର୍ଗତ ବସନ୍ତ ବିଶ୍ବାଳଙ୍କ ସମୟରେ ଏହି ଅନୁଷ୍ଠାନ ଢେର ଉନ୍ନତି କରିଥିଲା। ଗୋ-ମଙ୍ଗଳ ସମିତି ଦ୍ବାରା ପ୍ରସ୍ତୁତ ଗୋ-ଦାନାର ସାରା ରାଜ୍ୟରେ ଚାହିଦା ଥିଲା। ଏବେ ସମିତିର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଥିବା ବେଳେ ପ୍ରାଣୀ ସଂପଦ ବିଭାଗ ନିର୍ଦ୍ଦେଶକ ସଭାପତି ଦାୟିତ୍ବରେ ରହିଛନ୍ତି। କିନ୍ତୁ ସମୟକ୍ରମେ ଏହି ଅନୁଷ୍ଠାନ ପ୍ରତି କେହି ଧ୍ୟାନ ଦେଲେ ନାହିଁ। ଫଳରେ ଷଣ୍ଢ ଓ ମଇଁଷିଙ୍କ ସଂଖ୍ୟା କମିବାରେ ଲାଗିଲା।
ଏବେ ଏଠାରେ ଗୋଟିଏ ହରିୟାନା ଷଣ୍ଢ ଓ ୧୭ଟି ଉନ୍ନତ ମୁରା ଅଛନ୍ତି। ପଞ୍ଜାବ ପ୍ରଦେଶର ଗଙ୍ଗାନଗର ସେଣ୍ଟ୍ରାଲ ବଫାଲୋ ବ୍ରିଡିଂ ସେଣ୍ଟରରୁ ଗୋଟିଏ ମୁରାକୁ ଅଢେଇ ଲକ୍ଷ ଟଙ୍କା ଦେଇ କିଣା ଯାଇଥିବା ଜଣା ପଡିଛି। ୧୨୫ ଏକର ପରିମିତ ପଠାରୁ ୯୦ ଏକର ଜାଗାରେ ପ୍ରାଣୀ ସଂପଦ ବିଭାଗ ଘାସ ଚାଷ କରୁଥିବା ବେଳେ ୩୦ ଏକରରେ ଉତ୍କଳ ଗୋ ମଙ୍ଗଳ ସମିତି ଘାସ ଉତ୍ପାଦନ କରୁଛି। ପାଣ୍ଠି, କର୍ମଚାରୀ ଓ ଆନୁସଙ୍ଗିକ ବ୍ୟବସ୍ଥା ଅଭାବରୁ ଠିକ୍ ଭାବେ ଘାସ ଚାଷ ହୋଇ ପାରୁ ନଥିବା ସମିତି ପକ୍ଷରୁ କୁହାଯାଇଛି। ବାତ୍ୟାପରଠୁ ମୁରାଙ୍କ ପାଇଁ ଖାଦ୍ୟ ସଂକଟ ମାଡ଼ି ଆସିଛି। ମୁରାଙ୍କ ପ୍ରଜନନ କ୍ଷମତା ଯାଞ୍ଚ ପାଇଁ ଏଠାରେ ଜଣେ ପ୍ରାଣୀ ଚିକିତ୍ସକ ରହିବା କଥା, କିନ୍ତୁ କେହି ନାହାନ୍ତି। କେବଳ ସେତିକି ନୁହେଁ, ମୁରାଙ୍କ ଗାଧୋଇବା ପାଇଁ ଆବଶ୍ୟକୀୟ ପାଣି ନାହିଁ। ଖାଦ୍ୟପେୟ ଓ ଯତ୍ନର ବି ଘୋର ଅଭାବ ରହିଥିବା କାର୍ଯ୍ୟରତ କର୍ମଚାରୀ ଦୁଃଖର ସହ କହିଛନ୍ତି। କର୍ମଚାରୀ ଦୁେର୍ଯ୍ୟାଧନ ଦେହୁରୀ, ରମେଶ ପରିଜା, ବିଚିତ୍ରାନନ୍ଦ ବେହେରା, ଘନଶ୍ୟାମ ବେହେରା, ସାହେବ ସିଂ, ସନାତନ ଦାସ, ଅଜୟ ନାୟକଙ୍କ କହିବା କଥା ହେଉଛି, ସେମାନେ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ହେବ ଏଠାରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଆମକୁ ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରି ମିଳୁ ନାହିଁ। ଦୈନିକ ଦୁଇ ଶହ ଟଙ୍କା ମଜୁରି ଦିଆଯାଉଛି। ତାହା ପୁଣି ୬ ମାସରେ ଥରେ ବୋଲି ସେମାନେ ଅଭିଯୋଗ କରିଛନ୍ତି।