ଜମିଦାର ପ୍ୟାଲେସ୍‌ ଟ୍ରିପଲ୍‌ ମର୍ଡର ଘଟଣା : ୫ ଜଣଙ୍କୁ ସିବିଆଇ ଜେରା

ପୁରୀ : ପୁରୀର ବହୁଚର୍ଚ୍ଚିତ ଜମିଦାର ପ୍ୟାଲେସ୍‌ ଟ୍ରିପଲ ମର୍ଡର ଘଟଣାରେ ସିବିଆଇ ପୁଣି ଖୋଳତାଡ଼ ଆରମ୍ଭ କରିଛି। ଆଜି ସିବିଆଇ ଡିଏସ୍‌ପି ସି.ଆର୍‌.ଦାସ ପୁରୀ ସମୁଦ୍ରକୂଳ ଥାନା ଏସ୍‌ଆଇ ଭବାନୀ ମିଶ୍ର, ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶ, କନେଷ୍ଟବଳ ପ୍ରଦୀପ କୁମାର ରାଉତ, ମହିଳା କନେଷ୍ଟବଳ ଗୋଲାପ ଜେନାଙ୍କ ସମେତ ସେଦିନ ଶବକୁ ଘଟଣାସ୍ଥଳରୁ ଡାକ୍ତରଖାନା ନେଇଥିବା ଅଟୋଚାଳକ ମାଇକେଲଙ୍କୁ ଜେରା କରିଛନ୍ତି। ସୂଚନାଯୋଗ୍ୟ, ୨୦୧୩ ମସିହା ଡିସେମ୍ବର ୧୪ ତାରିଖରେ ସମୁଦ୍ରକୂଳ ଥାନା ଇଲାକାରେ ଥିବା ହୋଟେଲ ଜମିଦାର ପ୍ୟାଲେସ୍‌ର ରୁମ୍‌ ନଂବର ୩୦୭ରେ ଉତ୍ତରପ୍ରଦେଶ ମଥୁରାର ସୁନା ବ୍ୟବସାୟୀ ଅମିତ ଅଗ୍ରଓ୍ଵାଲ ତାଙ୍କ ପତ୍ନୀ ଅଙ୍କିତା ବଂଶଲ (୩୦), ଝିଅ ବାଣୀ (୭) ଏବଂ ପୁଅ ଦିବ୍ୟାଂଶୁ (୪)ଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲେ। ହତ୍ୟାକାଣ୍ଡ ପରଦିନ ହୋଟେଲର ୩୦୭ ନମ୍ବର ରୁମ୍‌ ଖୋଲାଯିବା ପରେ ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି କିପରି ଥିଲା, ଏହି ରୁମ୍‌ରେ କ’ଣ ସବୁ ଜିନିଷ ରହିଥିଲା, କେଉଁଭଳି ପରିସ୍ଥିତିରେ ଶବ ପଡ଼ି ରହିଥିଲା ସେ ସଂପର୍କରେ ସିବିଆଇ ଡିଏସ୍‌ପି ଶ୍ରୀ ଦାସ ଆଜି ଉପରୋକ୍ତ ପୁଲିସ ଅଧିକାରୀମାନଙ୍କୁ ପଚାରିଥିଲେ। ୨୦୧୫ ଅକ୍ଟୋବର ୧ ତାରିଖରେ ସିବିଆଇ ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ ଦାୟିତ୍ୱ ନେବା ପରେ କୋଲକାତାର ସିବିଆଇ ଟିମ୍‌ ୨୦୧୬ ମସିହା ମେ ମାସ ୨୯ ତାରିଖରେ ମୁଖ୍ୟ ଅଭିଯୁକ୍ତ ଅମିତ ଅଗ୍ରଓ୍ଵାଲକୁ ଇନ୍ଦୋରରୁ ଧରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର