୬୨ କୋଟି ଠକେଇ: ଏଆରଏସ୍‌ଏସ୍‌ରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର : ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରୁ ୬୨କୋଟି ୪୧ ଲକ୍ଷ ଠକେଇ ଅଭିଯୋଗରେ ନିର୍ମାଣକାରୀ ସଂସ୍ଥା ଏଆରଏସ୍‌ଏସ୍‌ ଇନ୍‌ଫ୍ରାଷ୍ଟ୍ରକଚର୍ସ ପ୍ରୋଜେକ୍ଟସ୍‌ ପ୍ରାଃ ଲିଃ ସଂସ୍ଥା ଉପରେ ସିବିଆଇ ଚଢ଼ାଉ ହୋଇଛି। ମଞ୍ଚେଶ୍ୱରଠାରେ ଥିବା ଏହି ସଂସ୍ଥାର କାର୍ଯ୍ୟାଳୟରେ ସିବିଆଇର ଏକ ଦଳ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚଢ଼ାଉ ଜାରି ରଖିଛି।

ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିିଆର ଜନପଥ ଶାଖାରୁ ଋଣବାବଦକୁ ଏହି ମୋଟା ଅଙ୍କର ଅର୍ଥ ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ବ୍ୟାଙ୍କର ସହକାରୀ ସାଧାରଣ ପରିଚାଳକ ରାମବିଳାଶ ଲାଲ ଶ୍ରୀବାସ୍ତବଙ୍କ ଅଭିଯୋଗ କ୍ରମେ ସିବିଆଇ ଏହି ସଂସ୍ଥାର ଅଧ୍ୟକ୍ଷ ସୁଭାଷ ଅଗ୍ରଓ୍ଵାଲଙ୍କ ସମେତ ଏଆରଏସ୍‌ଏସ୍‌ ଦାମୋ-ହିରାପୁର ଟୋଲସ୍‌ ପ୍ରାଃ ଲିଃ ନିର୍ଦେଶକ ସୁନୀଲ ଅଗ୍ରଓ୍ଵାଲ, ସୌମେନ୍ଦ୍ର କେଶରୀ ପଟ୍ଟନାୟକ, ଶିବକୁମାର ସିଙ୍ଗ୍‌ଲା ଓ ଅଭିଷେକ ଦାମୋଦର ଜଜୁଙ୍କ ନାମରେ ଦୁର୍ନୀତି ନିବାରଣ ଆଇନ ବଳରେ ଏକ ମାମଲା ରୁଜୁ କରି ଏହି ଚଢ଼ାଉ କରିଛି। ଏଥିରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର, କ୍ରିମିନାଲ ବ୍ରିଚ୍‌ ଅଫ୍‌ ଟ୍ରଷ୍ଟ ଭଳି ଦଫା ରହିଛି।ଅଭିଯୋଗ ମୁତାବକ ମଧ୍ୟପ୍ରଦେଶର ଦାମୋ ଓ ହୀରାପୁର ମଧ୍ୟରେ ଦୁଇଲେନ୍‌ ବିଶିଷ୍ଟ ରାସ୍ତା କାମ ପାଇଁ ଟେଣ୍ଡର ହୋଇଥିଲା। ଏହାକୁ ନିର୍ମାଣ କରିବା ପାଇଁ ଏଆରଏସ୍‌ଏସ୍‌ ଇନ୍‌ଫ୍ରାଷ୍ଟ୍ରକଚର୍ସ ପ୍ରୋଜେକ୍ଟସ୍‌ ପ୍ରାଃ ଲିଃ ମଧ୍ୟପ୍ରଦେଶ ରୋଡ଼୍‍ ଡେଭଲପମେଣ୍ଟ କର୍ପୋରେସନ ଲିଃ ଠାରୁ ଠିକା ନେଇଛି। ଏଥିରେ ଏକ ସ୍ୱତନ୍ତ୍ର ଗାଡ଼ି ବ୍ୟବହାର କରି କାମ କରିବା ପାଇଁ ଏହି ସଂସ୍ଥା ଏଆରଏସ୍‌ଏସ୍‌ ଦାମୋ-ହିରାପୁର ଟୋଲସ୍‌ ପ୍ରାଃ ଲିଃକୁ କ୍ଷମତାପ୍ରାପ୍ତ କରିଛି। ଏଆରଏସ୍‌ଏସ୍‌ ଇନ୍‌ଫ୍ରାଷ୍ଟ୍ରକଚର୍ସ ପ୍ରୋଜେକ୍ଟସ୍‌ ପ୍ରାଃ ଲିଃର ଅନୁରୋଧ କ୍ରମେ ମଧ୍ୟପ୍ରଦେଶ ରୋଡ଼୍‍ ଡେଭଲପମେଣ୍ଟ କର୍ପୋରେସନ ଲିଃ ଏଆରଏସ୍‌ଏସ୍‌ ଦାମୋ-ହିରାପୁର ଟୋଲସ୍‌ ପ୍ରାଃ ଲିଃ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି କାମ ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ମଧ୍ୟପ୍ରଦେଶ ରୋଡ଼୍‍ ଡେଭଲପମେଣ୍ଟ କର୍ପୋରେସନ ଲିଃକୁ ୮୭ କୋଟି ଟଙ୍କା ପ୍ରଦାନ କରିଛି। ସୁଭାଷ ଅଗ୍ରଓ୍ଵାଲଙ୍କ ବ୍ୟକ୍ତିଗତ ଭାବେ ନିଶ୍ଚିତ କରିବାରୁ ଏଆରଏସ୍‌ଏସ୍‌ ଦାମୋ-ହିରାପୁର ଟୋଲସ୍‌ ପ୍ରାଃ ଲିଃ କାମ କରିବା ପାଇଁ ଇପିସି ଠିକାଦାର ଭାବରେ ଚୁକ୍ତିବଦ୍ଧ ହୋଇଥିଲା। ୨୦୧୧ ମସିହାରୁ ୨୦୧୩ ମସିହା ମଧ୍ୟରେ ମଧ୍ୟପ୍ରଦେଶ ରୋଡ୍‌ ଡେଭଲପମେଣ୍ଟ କର୍ପୋରେସନ ଲିଃର ଅନୁରୋଧ କ୍ରମେ ଏଆରଏସ୍‌ଏସ୍‌ ଦାମୋ-ହିରାପୁର ଟୋଲସ୍‌ ପ୍ରାଃ ଲିଃକୁ ୬୨କୋଟି ୫୫ ଲକ୍ଷ ମଞ୍ଜୁର କରାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ଉଭୟ ସଂସ୍ଥା କାମ ଆରମ୍ଭ କରିନପାରିବାରୁ ବିଭିନ୍ନ ସମୟରେ ନୋଟିସ୍‌ ଜାରି କରାଯାଇଥିଲେ। ମାତ୍ର, କିଛି ଲାଭ ନ ହେବାରୁ ମଧ୍ୟପ୍ରଦେଶର ର୍ପୋରେସନ ଲିଃ ଚୁକ୍ତିନାମା ବାତିଲ କରିଥିଲା। ବାତିଲ ହେବା ପରେ ଋଣ ଟଙ୍କାରୁ ବଳକା ଟଙ୍କା ଫେରି ଆସିବା କଥା। ହେଲେ ସେମାନେ ଏହି ଟଙ୍କାକୁ ହଡପ କରିନେଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପଟେ ବ୍ୟାଙ୍କ୍‌କୁ ନ ଜଣାଇ ଋଣ ଟଙ୍କାରେ କିଣାଯାଇଥିବା ଯନ୍ତ୍ରପାତିକୁ ଏକ ଅଜଣା ସ୍ଥାନକୁ ନେଇ ଯାଇଥିଲା। ବଡ଼କଥା ହେଉଛି ପୂର୍ବତନ ମ୍ୟାନେଜର୍‌ ସୁଦର୍ଶନ ରାଜ୍‌ ଏହି ଋଣ ଦେବାବେଳେ ନିର୍ଦେଶନାମା ପାଳନ କରିନାହାନ୍ତି।

ସମ୍ବନ୍ଧିତ ଖବର