ସିବିଆଇର ତନାଘନା

ଶୁଭଙ୍କରଙ୍କୁ ଭିଭିଆଇପି ପାସ୍‌ ଦେଲା କିଏ?

ଭୁବନେଶ୍ୱର : ସିସୋର ଚିଟ୍‌ଫଣ୍ଡ ଠକେଇର ଅନ୍ୟତମ ଅଭିଯୁକ୍ତ ଶୁଭଙ୍କର ନାୟକ ଭିଭିଆଇପି ପାସ୍‌ ହାସଲ କରି ବାରବାଟୀ ଷ୍ଟାଡିୟମର ବିସିସିଆଇ ବକ୍ସରେ ବସି ଟି-ଟେ୍ଵଣ୍ଟି ମ୍ୟାଚ୍‌ ଦେଖିବା ଘଟଣାରେ ତନାଘନା ଆରମ୍ଭ କରିଛି ସିବିଆଇ। କେଉଁ ମନ୍ତ୍ରୀ, ବିଧାୟକ, ଆଇଏଏସ୍‌ ବା ଆଇପିଏସ୍‌ ଅଧିକାରୀଙ୍କଠାରୁ ଶୁଭଙ୍କର ଏହି ପାସ୍‌ ନେଇଥିଲେ ତାହା ଜାଣିବାକୁ ସିବିଆଇ ଭିତିରି ଖୋଳତାଡ଼ ଆରମ୍ଭ କରିଛି। ଗତ ଦୁଇ ଦିନ ଧରି ସିବିଆଇର ଏକାଧିକ ଅଧିକାରୀ ନିଜ ନିଜ ସୂତ୍ରରୁ ଶୁଭଙ୍କରଙ୍କୁ କିଏ ପାସ୍‌ ଦେଇଥିଲେ ଜାଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଶୁଭଙ୍କରଙ୍କ ଭୂମିକାକୁ ନେଇ ସିବିଆଇ ଯାହା କହିଥିଲା, ତାହା ପୁଣି ଥରେ ସତ୍ୟ ବୋଲି ପ୍ରମାଣିତ ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଗତ ବୁଧବାର ଷ୍ଟାଡିୟମରେ ଭିଭିଆଇପିଙ୍କ ମେଳରେ ବସି ମ୍ୟାଚ୍‌ ଉପଭୋଗ କରୁଥିଲେ ଶୁଭଙ୍କର। ଏପରିକି ଭିଭିଆଇପିମାନଙ୍କ ସହ ସେ ଗପସପ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା। ସାଧାରଣତଃ ଏହି ବକ୍ସ ପାଇଁ ବିସିସିଆଇ ପକ୍ଷରୁ ମନ୍ତ୍ରୀ, ବିଧାୟକ, ଆଇଏଏସ୍‌ ଓ ଆଇପିଏସ ଅଧିକାରୀମାନଙ୍କୁ ପାସ୍‌ ପ୍ରଦାନ କରାଯାଇଥାଏ। ତେଣୁ ଏହି ଭିଭିଆଇପିମାନଙ୍କ ମଧ୍ୟରୁ କେହି ଶୁଭଙ୍କରଙ୍କୁ ପାସ୍‌ ଦେଇଥିବା ସନ୍ଦେହ କରାଯାଉଛି। ଏଭଳି ପରିସ୍ଥିତିରେ ଏବେ ସିସୋର ଚିଟଫଣ୍ଡ୍‌ର ତଦନ୍ତ କରୁଥିବା ସିବିଆଇ ଆହୁରି ସ୍ପଷ୍ଟ ହୋଇ ଯାଇଛି କି, ଶୁଭଙ୍କର ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଓ ମନ୍ତ୍ରୀ, ପ୍ରଶାସକଙ୍କ ମଧ୍ୟରେ ଲିଆସନିଂ( ସିବିଆଇ ଭାଷାରେ ଦଲାଲ) କାମ କରୁଥିଲେ। ତେଣୁ ପୁଣି ଥରେ ମନ୍ତ୍ରୀ, ବିଧାୟକ, ଆଇଏଏସ୍‌ ଓ ଆଇପିଏସ୍‌ ସିବିଆଇ ସ୍କାନରକୁ ଆସି ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସିବିଆଇ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଶୁଭଙ୍କର ନାୟକଙ୍କୁ ୨୦୧୪ ମସିହାରେ ଗିରଫ କରିଥିଲା। ଗିରଫ ବେଳେ ତାଙ୍କର ଚନ୍ଦ୍ରମା ଆପାର୍ଟମେଣ୍ଟ ଘରୁ ସିବିଆଇ ଏକ ରହସ୍ୟମୟ ଡାଏରି ଜବତ କରିଥିଲା। ଯେଉଁ ଡାଏରିରେ ଏକାଧିକ ନେତା, ମନ୍ତ୍ରୀ, ବିଧାୟକ, ଆଇଏଏସ୍‌, ଆଇପିଏସ୍‌, ସାମ୍ବାଦିକଙ୍କ ମୋବାଇଲ୍‌ ନମ୍ବର ଥିଲା। ସେହି ସବୁ ମୋବାଇଲ୍‌ ନମ୍ବରକୁ ଆଧାର କରି ସିବିଆଇ ତଦନ୍ତ କରିଥିଲା। ଚଳିତ ବର୍ଷ ଶୁଭଙ୍କର ହାଇକୋର୍ଟରୁ ସର୍ତ ମୂଳକ ଜାମିନ୍‌ ପାଇ ଜେଲରୁ ମୁକୁଳିଛନ୍ତି।

ଅନ୍ୟପକ୍ଷରେ ଶୁଭଙ୍କରଙ୍କୁ କିଏ ପାସ୍‌ ଦେଲା ଚର୍ଚା ଲାଗି ରହିଥିବାବେଳେ ଏକ ନିର୍ଦିଷ୍ଟ ରାଜନୈତିକ ଦଳର ଜଣେ ଯୁବ ନେତା ତାଙ୍କୁ ପାସ୍‌ ଦେଇଥିବା ଚର୍ଚା ହେଉଛି। ତେବେ ଏହା କେତେ ଦୂର ସତ ତାହା ସ୍ପଷ୍ଟ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର