ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ: କମିଲା ପାସ୍‌ହାର

ଭୁବନେଶ୍ୱର ଜୋନ୍‌ରେ ପାସ୍‌ହାର ୮୯.୨୭%, ଡିଏଭି ଚନ୍ଦ୍ରଶେଖରପୁର ଛାତ୍ରୀ ସ୍ଥିତିପ୍ରଜ୍ଞା ଆଗରେ

ଭୁବନେଶ୍ୱର: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ୱର ଜୋନ୍‌ର ପାସ୍‌ହାର ଲଗାତାର ଭାବେ ହ୍ରାସ ପାଉଛି। ୨୦୧୫ରେ ଭୁବନେଶ୍ୱର ଜୋନ୍‌ର ପାସ୍‌ହାର ୯୭.୧୪% ଥିବା ବେଳେ ୨୦୧୬ରେ ୯୬.୨୬%, ୨୦୧୭ରେ ୯୨.୧୫ ପ୍ରତିଶତକୁ ହ୍ରାସ ପାଇଥିଲା। ଚଳିତବର୍ଷ ତାହା ୯୦% ତଳକୁ ଖସି ୮୯.୨୭%ରେ ପହଞ୍ଚିଛି। ସାରା ଦେଶରେ ୪ ଜଣ ପରୀକ୍ଷାର୍ଥୀ ୫୦୦ରୁ ୪୯୯ ନମ୍ବର ରଖି ଟପର୍‌ ହୋଇଥିବା ବେଳେ ଭୁବନେଶ୍ୱର ଜୋନ୍‌ରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଛାତ୍ରୀ ସ୍ଥିତିପ୍ରଜ୍ଞା ସାହୁ ୯୯.୦୨ ପ୍ରତିଶତ ମାର୍କ ରଖିଛନ୍ତି। ସେ ୫୦୦ରୁ ୪୯୬ ନମ୍ବର ରଖି ଜୋନ୍‌ରେ ଆଗରେ ରହିଥିବା ଜଣାପଡ଼ିଛି। ଜୋନ୍‌ରେ ପରୀକ୍ଷା ଦେଇଥିବା ୭୭ ହଜାର ୯୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୮ ହଜାର ୮୨୮ ଜଣ ପାସ୍‌ କରିଛନ୍ତି। ପରୀକ୍ଷା ଲାଗି ୭୭,୬୬୩ ଜଣ ନାମ ପଞ୍ଜୀକରଣ କରିଥିଲେ। ୫୬୪ ଜଣ ଅନୁପସ୍ଥିତ ରହିଥିଲେ। କମ୍ପାଟମେଣ୍ଟରେ ୭ ହଜାର ୨୬୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ପ୍ରତିବର୍ଷ ପରି ଏଥର ମଧ୍ୟ ଛାତ୍ରଙ୍କଠାରୁ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ୩୨ ହଜାର ୧୭୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୯ ହଜାର ୩୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୧.୩୬% ହୋଇଛି। ୨,୫୦୯ ଜଣ ଛାତ୍ରୀ କମ୍ପାଟମେଣ୍ଟରେ ରହିଛନ୍ତି। ସେହିପରି ୪୪ ହଜାର ୯୨୮ ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ ୩୯,୪୩୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୮୭.୭୭% ରହିଛି। ୨୫୦୯ ଜଣ କମ୍ପାଟମେଣ୍ଟରେ ଅଛନ୍ତି। ୨୮ ହଜାର ୯୧୭ ଜଣ ଛାତ୍ରଛାତ୍ରୀ ୭୫%ରୁ ଅଧିକ ନମ୍ବର ରଖିଥିବା ବେଳେ ୨୦ ହଜାର ୬୧୩ ଜଣ ୬୦ରୁ ୭୫% ମଧ୍ୟରେ ନମ୍ବର ରଖିଛନ୍ତି। ସେହିପରି ୫୦ରୁ ୬୦% ମଧ୍ୟରେ ୧୨ ହଜାର ୩୧୧ ପରୀକ୍ଷାର୍ଥୀ ଥିବା ବେଳେ ୪୫ରୁ୫୦% ମଧ୍ୟରେ ୪ ହଜାର ୭୨୯, ୪୦ରୁ ୪୫% ମଧ୍ୟରେ ୨ ହଜାର ୨ ଜଣ ଓ ୩୩ରୁ ୪୦% ମଧ୍ୟରେ ୨୩୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

୨୮,୯୧୭ ପରୀକ୍ଷାର୍ଥୀଙ୍କର ୭୫%ରୁ ଅଧିକ ନମ୍ବର

ବିଗତବର୍ଷଗୁଡ଼ିକ ପରି ଚଳିତବର୍ଷ ମଧ୍ୟ ଜବାହରଲାଲ ନବୋଦୟ ବିଦ୍ୟାଳୟ (ଜେଏନ୍‌ଭି)ଗୁଡ଼ିକର ପାସ୍‌ହାର ଅନ୍ୟ ବିଦ୍ୟାଳୟ ତୁଳନାରେ ଅଧିକ ରହିଛି। ଜେଏନ୍‌ଭିର ପାସ୍‌ହାର ୯୮% ରହିଛି। ୩ ରାଜ୍ୟରେ ଥିବା ୬୫ରୁ ଅଧିକ ଜବାହାର ନବୋଦୟ ବିଦ୍ୟାଳୟର ୪ ହଜାର ୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨ ହଜାର ୪୧୪ ଜଣ ୭୫%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ୪୦% ମାର୍କ ତଳକୁ କୌଣସି ଛାତ୍ରଛାତ୍ରୀ ନ ଥିବା ବେଳେ ଜଣେ ପରୀକ୍ଷାର୍ଥୀ ୪୫%ରୁ କମ୍‌ ମାର୍କ ରଖିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ(କେଭିଏସ୍‌)ର ପାସ୍‌ହାର ୯୫.୩୯% ରହିଛି। ପରୀକ୍ଷା ଦେଇଥିବା ୧୩୦ରୁ ଅଧିକ କେଭିଏସ୍‌ର ୧୦ ହଜାର ୫୭୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ହଜାର ୧୫୦ ଜଣ ୭୫%ରୁ ଅଧିକ ମାର୍କ ରଖିଛନ୍ତି। ଘରୋଇ ବିଦ୍ୟାଳୟରେ ପାସ୍‌ହାର ୯୦.୩୦% ରହିଛି। ୫୮ ହଜାର ୩୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୨ ହଜାର ୧୩୫ ଜଣ ୭୫%ରୁ ଅଧିକ ନମ୍ବର ରଖିଛନ୍ତି। ସରକାରୀ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ୪ ହଜାର ୧୧୧ ଜଣଙ୍କ ମଧ୍ୟରୁ ୫୦.୮୮% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଅନ୍ୟାନ୍ୟ ଭାବେ ପରୀକ୍ଷା ଦେଇଥିବା ୧୦୬ ଜଣଙ୍କ ମଧ୍ୟରୁ ୬୬.୯୮% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରାଇଭେଟ୍‌ ଏ.୧ରେ ୧୨୯ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ୮.୫୨% ରହିଥିବା ସିବିଏସ୍‌ଇ ଭୁବନେଶ୍ୱର ଜୋନ୍‌ ଆଞ୍ଚଳିକ ଅଧିକାରୀ ଟି.ମେଟ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର