ଭୁବନେଶ୍ୱର: ଡିଏଭି ପବ୍ଲିକ୍‌ ସ୍କୁଲର ସ୍ଥିତିପ୍ରଜ୍ଞା ୯୯.୨ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍ପର

ଭୁବନେଶ୍ୱର ଜୋନ୍‌ର ପାସ୍‌ ହାର ୮୯.୨୭ ପ୍ରତିଶତ

ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ନରେ ପ୍ରକାଶ ପାଇଥିବା ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷାରେ ଚଳିତ ବର୍ଷ ‘ଚଉକା’ ଲାଗିଛି। ଚାରିଜଣ ଟପ୍ପର ୫୦୦ରୁ ୪୯୯ନମ୍ବର ରଖି ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ତେବେ ଭୁବନେଶ୍ୱର ଜୋନ୍‌ରୁ ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ ଭୁବନେଶ୍ୱର ଡିଏଭି ପବ୍ଲିକ୍‌ ସ୍କୁଲର ଛାତ୍ରୀ ସ୍ଥିତିପ୍ରଜ୍ଞା ୯୯.୨ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିପରି ଓଡ଼ିଶାର ଧନପୁରସ୍ଥିତ ଜଓ୍ଵାହାର୍‌ ନବୋଦୟ (ଜେଏନ୍‌ଭି) ବିଦ୍ୟାଳୟର ସୌମ୍ୟଦୀପ୍‌ ପ୍ରଧାନ ଭିନ୍ନକ୍ଷମ ବର୍ଗରେ ୫୦୦ରୁ ୪୮୪ ନମ୍ବର ରଖି ଦ୍ୱିତୀୟ ଟପ୍ପର ହୋଇଛନ୍ତି।

ଭୁବନେଶ୍ୱର ଜୋନ୍‌ରୁ ଚଳିତବର୍ଷ ୮୭.୭୭ ପ୍ରତିଶତ ଛାତ୍ର ଓ ୯୧.୩୬ ଛାତ୍ରୀ ସିବିଏସ୍‌ଇ ୧୦ମ ଶ୍ରେଣୀ ପରିକ୍ଷାରେ କୃତିତ୍ୱ ହାସଲ କରିଛନ୍ତି। ଚଳିତବର୍ଷ ୪୫୩୧୬ଜଣ ଛାତ୍ର ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୪୪୯୨୮ଜଣ ଛାତ୍ର ପରୀକ୍ଷା ଦେଇଥିଲେ। ସେହିପରି ୩୨୩୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ପରୀକ୍ଷା ଦେଇଥିଲେ ୩୨୧୭୧ ଛାତ୍ରଛାତ୍ରୀ । ଅର୍ଥାତ୍‌ ଭୁବନେଶ୍ୱର ଜୋନ୍‌ରେ ମୋଟ୍‌ ୭୭ହଜାର ୭ଶହ ୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ୮୯.୨୭ ପ୍ରତିଶତ ରହିଛି।  ଭୁବନେଶ୍ୱର ଜୋନ ଅଧୀନରେ ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାଜ୍ୟ ମଧ୍ୟ ରହିଛି। ଓଡ଼ିଶାରୁ କେବଳ ୧୮ ହଜାରୁ ଊର୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ସୂଚନାଯୋଗ୍ୟ, ସମଗ୍ର ଦେଶରେ ମୋଟ ୧୬ ଲକ୍ଷ ୩୮ ହଜାର ୪୨୮ଜଣ ଛାତ୍ରଛାତ୍ରୀ ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର