ସିବିଏସଇ ପରୀକ୍ଷା ଫି’ ବୃଦ୍ଧିକୁ ବିରୋଧ ପ୍ରସଂଗ : ୪ ସପ୍ତାହ ଭିତରେ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ସିବିଏସଇ) ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ବୃଦ୍ଧି ନେଇ ରହିଥିବା ଆପତ୍ତି ଉପରେ ଚାରି ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯, ଅଗଷ୍ଟରେ ଫି’ ବୃଦ୍ଧି ନେଇ ସିବିଏସ୍‌ଇ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ଏ ନେଇ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଫି’ ବୃଦ୍ଧି ପ୍ରସଂଗରେ ରହିଥିବା ଆପତ୍ତି ଅଭିଯୋଗର ଶୁଣାଣି କରି ୪ ସପ୍ତାହ ଭିତରେ ପଦକ୍ଷେପ ନେବାକୁ ସିବିଏସଇକୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ପୂର୍ବରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ସାଧାରଣ ବର୍ଗ ପିଲାଙ୍କ ପାଇଁ ୭୫୦ ଟଙ୍କା, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ୫୦ ଟଙ୍କା ଥିଲା। ଏଥିସହିତ ମାଇଗ୍ରେସନ୍ ସାର୍ଟିଫିକେଟ ଫି’ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ୨୦୧୯, ଅଗଷ୍ଟ ମାସରେ ହଠାତ ଫି ବୃଦ୍ଧି ନେଇ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରୀକ୍ଷା ଫି ସାଧାରଣ ବର୍ଗ ପାଇଁ ୧୫୦୦ ଟଙ୍କା ଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୧୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହିତ ମାଇଗ୍ରେସନ୍ ସାର୍ଟିଫିକେଟ୍ ଫି’ ୩୫୦ ଟଙ୍କାକୁ ସିବିଏସଇ ବୃଦ୍ଧି କରିଥିଲା। ଏଭଳି ଫି’ ବୃଦ୍ଧିକୁ ବିରୋଧ କରି ଅଭିଭାବକ ମହାସଂଘ ସିବିଏସ୍‌ଇ ଆଞ୍ଚଳିକ ନିର୍ଦ୍ଦେଶକ, କେନ୍ଦ୍ର ସରକାର, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲା। ଅଭିଯୋଗର ବିଚାର ପାଇଁ ରାଜ୍ୟପାଳ ମାନବ ସମ୍ବଳ ବିଭାଗ ନିକଟକୁ ପଠାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଂଗକୁ ବିଚାର କରିବାକୁ ସିବିଏସଇକୁ କହିଥିଲେ। କିନ୍ତୁ ଏହା ପରେ ମଧ୍ୟ ଫି’ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟା‌ହାର ହୋଇ ନଥିଲା। ଏହାପରେ ମହାସଂଘ ପକ୍ଷରୁ ସାଂସଦ ତଥା ଆଇନଜୀବୀ ଅମର ପଟ୍ଟନାୟକ ଓ ଆଇନଜୀବୀ ଶ୍ରୀ ଚୌଧୁରୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର