ସିବିଏସ୍‌ଇ ଏନ୍‌ଆଇଆଇଟି ପରୀକ୍ଷା ତ୍ରୁଟି : ଖାତାରେ ଧୂଳି ଯୋଗୁଁ କଂପ୍ୟୁଟରରେ ଖାତା ଦେଖା ଭୁଲ, ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଛାତ୍ରଙ୍କୁ ନ୍ୟାୟ

କଟକ : ଖାତାରେ ଧୂଳି ଯୋଗୁଁ କଂପ୍ୟୁଟର ଦେଇଥିଲା ଭୁଲ ନମ୍ବର। ଯେଉଁଠି ୪ ନମ୍ବର ପାଇବା କଥା, ସେଠି ମିଳିଥିଲା ମାଇନସ୍‌ ୧। ଫଳରେ ଜଣେ ମେଧାବୀ ଛାତ୍ର ନିଜ ଆଶାନୁରୂପକ ଅନୁଷ୍ଠାନରେ ନାମ ଲେଖାଇବାର ସୁଯୋଗ ହରାଇଥିଲେ। ସିବିଏସ୍‌ଇ ଦ୍ୱାରା ପରିଚାଳିତ ଏନ୍‌ଆଆଇଟି ପରୀକ୍ଷାରେ ହୋଇଥିବା ଏଭଳି ଏକ ଘଟଣାର ବିଚାର କରି ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସଂପୃକ୍ତ ଛାତ୍ରଙ୍କ ନମ୍ବର ସଂଶୋଧନ କରି ଯୋଗ୍ୟତା ଅନୁଯାୟୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାର ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ କମ୍ପ୍ୟୁଟର ମୂଲ୍ୟାୟନକୁ ଚୂଡ଼ାନ୍ତ ବୋଲି ଗ୍ରହଣ ନକରି କୌଣସି ତ୍ରୁଟି ପରିଲକ୍ଷିତ ହେଲେ ତାହାକୁ ଦାୟିତ୍ୱରେ ଥିବା ଅଧିକାରୀ ଅଥବା କର୍ମଚାରୀଙ୍କ ଦ୍ୱାରା ଯାଞ୍ଚ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଦିବ୍ୟଜ୍ୟୋତି ନନ୍ଦ ଖାତା ମୂଲ୍ୟାୟନ ତ୍ରୁଟି ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କୁ ମାଇନସ୍‌ ୧ ନମ୍ବର ବଦଳରେ ୪ ନମ୍ବର ପ୍ରଦାନ କରିବା ପାଇଁ ସିବିଏସଇକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାର୍ଥୀଙ୍କ ସଂଶୋଧିତ ମାର୍କ ସଂପର୍କରେ ଓଜେଇଇ ଅଧ୍ୟକ୍ଷଙ୍କୁ ଏକ ସପ୍ତାହ ଭିତରେ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଫଳରେ ଆବେଦନକାରୀ ଅପେକ୍ଷାକୃତ ଭଲ ଅନୁଷ୍ଠାନରେ ଏମବିବିଏସ୍‌ ପାଠ୍ୟକ୍ରମରେ ପଢିବା ପାଇଁ ସୁଯୋଗ ପାଇ ପାରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶହସ୍ରଜ୍ୟୋତି ନନ୍ଦ ଓ ସିବିଏସଇ ତରଫରୁ ତାରାନନ୍ଦ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ଆବେଦନକାରୀ ମେଡିକାଲ ପଢିବା ପାଇଁ ୨୦୧୮, ମେ’ ୬ରେ ନିଟ୍‌ ପରୀକ୍ଷା ଦେଇଥିଲେ। ପରୀକ୍ଷାଫଳ ପ୍ରକାଶନ ପରେ ସେ ତ୍ରୁଟି ସଂପର୍କରେ ଅବଗତ ହେବାରୁ ନିର୍ଦ୍ଧାରିତ ଦେୟ ଦେଇ ଉତ୍ତରଖାତାର ଯାଞ୍ଚ ପାଇଁ ସିବିଏସଇ ନିକଟରେ ଆବେଦନ କରିଥିଲେ। କିନ୍ତୁ କିଛି ଫଳ ମିଳି ପାରି ନଥିଲା। ଏହା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଏସଇ ଆବେଦନକାରୀଙ୍କ ଓଏମ୍‌ଆର୍‌ ଉତ୍ତରଖାତା ଉପସ୍ଥାପନ କରିଥିଲା। ଓଏମ୍‌ଆର୍‌ ଉତ୍ତରଖାତାରେ ୧୪୬ ନମ୍ବର ପ୍ରଶ୍ନର ଚତୁର୍ଥ ବିକଳ୍ପ ଉତ୍ତରରେ ଆବେଦନକାରୀ କଳାଦାଗ ଦେଇଥିବା ବେଳେ ଅନ୍ୟ ଏକ ବିକଳ୍ପ ସ୍ଥାନରେ କଳା କିଛି ଗୋଟେ ଚିହ୍ନ ରହି ଯାଇଥିବା ଦେଖିବାକୁ ମିଳିଥିଲା। ସିବିଏସିଇ ପକ୍ଷରୁ ଆବେଦନକାରୀଙ୍କ ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଥିବା ସ୍ୱୀକାର କରାଯାଇଥିଲା। ସିବିଏସଇ ନିର୍ଦ୍ଦେଶକ ଏସ୍‌. ଭରଦ୍ୱାଜ ବ୍ୟକ୍ତିଗତ ଭାବେ ହାଜର ହୋଇ ଦର୍ଶାଇଥିଲେ ଯେ ଉତ୍ତରଖାତାର ମୂଲ୍ୟାୟନ ବେଳେ ବିଦ୍ୟୁତ ସରବାରହରେ ସମସ୍ୟା କିମ୍ବା ଉତ୍ତରଖାତାରେ ଧୂଳି ଯୋଗୁ କମ୍ପ୍ୟୁଟର ମୂଲ୍ୟାୟନରେ ତ୍ରୁଟି ହୋଇ ପାରିଥାଏ। କିନ୍ତୁ ପ୍ରାର୍ଥୀ ଜଣକ ଏବେ ବୁର୍ଲାସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜରେ ନାମ ଲେଖାଇଥିବା ବେଳେ ପରିବର୍ତ୍ତିତ ସ୍ଥିତିରେ ସେ ଆଶା ମୁତାବକ ଅନ୍ୟ କୌଣସି ଉଚ୍ଚତର ଅନୁଷ୍ଠାନରେ ନାମ ଲେଖାଇବାର ସୁଯୋଗ ପାଇ ପାରିବେ।

ସମ୍ବନ୍ଧିତ ଖବର