କାର୍ଯ୍ୟ ବନ୍ଦ କରିଥିବା ଯୋଗୁଁ ୧ କୋଟି ୭୬ ଲକ୍ଷ ଜରିମାନା

ପାରାଦୀପ ଡମ୍ପର ମାଲିକ ସଂଘକୁ ଝଟ୍‌କା

ପାରାଦୀପ : ଡମ୍ପର ଓନରସ୍‌ ଆସୋସିଏସନକୁ ଏକ ବଡ଼ ଝଟ୍‌କା ଲାଗିଛି। ୨୦୧୫ରେ ସାତ ଦିନ ବନ୍ଦର ମଧ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସଂଘ ପାଇଁ ମହଙ୍ଗା ପଡ଼ିଛି। ଘଟଣାର ତଦନ୍ତ କରି କମ୍ପିଟେସନ କମିସନ ଅଫ୍‌ ଇଣ୍ଡିଆ(ସିସିଆଇ) ପକ୍ଷରୁ ସଂଘ ଓ ଏହାର ସଦସ୍ୟଙ୍କୁ ୧ କୋଟି ୭୬ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଚିଠି ପାଇବାର ଆଗାମୀ ଦୁଇ ମାସ ମଧ୍ୟରେ ଏହି ଜରିମାନା ଅର୍ଥ ପଇଠ କରିବା ପାଇଁ ସଂଘକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୨୦୧୫ ଜାନୁଆରୀ ୨୧ ତାରିଖରେ ସଂଘ ବନ୍ଦର ମଧ୍ୟରେ ହେଉଥିବା କାରବାର ପ୍ରତି ସମସ୍ୟା ସୃଷ୍ଟି କରିଥିଲା। ଫଳରେ ଦୀର୍ଘ ସାତ ଦିନ ପର୍ଯ୍ୟନ୍ତ ବନ୍ଦର ମଧ୍ୟରେ ଡମ୍ପର କାରବାର ହୋଇପାରିନଥିଲା। ଏଣୁ ଷ୍ଟିଭେଡୋର୍ସ କମ୍ପାନି କ୍ଷତି ସହିଥିଲା। ବାଧ୍ୟହୋଇ ସି ୱେଜ୍‌ କମ୍ପାନି ସିସିଆଇ ନିକଟରେ ଏକ ମାମଲା ଦାୟର କରିଥିଲା। ସିସିଆଇ ଡିଜି ଘଟଣା ସଂପର୍କରେ ତଦନ୍ତ କରି ଏକ ୧୬ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି। ଯେଉଁଥିରେ ଏହି ଘଟଣା ପାଇଁ ଡିଜି ସଂଘକୁ ଦାୟୀ କରିବା ସହ ଏହାର ସଭାପତି ବିଜୟ କୁମାର ନାୟକ ଓ ସଂପାଦକ ସଂଜୟ କୁମାର ଧଳଙ୍କ ଭୂମିକା ଏଥିରେ ଗୁରୁତ୍ଵପୂର୍ଣ୍ଣ ଥିଲାବୋଲି ଉଲ୍ଲେଖ କରିଛନ୍ତି। ସଭାପତି ଶ୍ରୀ ନାୟକ ଓ ସମ୍ପାଦକ ଶ୍ରୀ ଧଳଙ୍କୁ ବ୍ୟକ୍ତିଗତ ଭାବେ ୨୯.୩୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସଂଘକୁ ୧ କୋଟି ୧୭ ଲକ୍ଷ ଟଙ୍କା ଜରିମାନା ପଇଠ କରିବାକୁ ହେବ।

ସମ୍ବନ୍ଧିତ ଖବର