ସିସିଟିଭି ଲଗାଇବାକୁ ନାଲିଆଖି

ଭିତ୍ତିଭୂମି ନ ସଜାଡ଼ି, ନାଲିଆଖିକୁ ନାପସନ୍ଦ, ପ୍ରାକ୍ଟିକାଲ ପରୀକ୍ଷା ପାଇଁ +୨ ପରିଷଦର ବୈଠକ

ଭୁବନେଶ୍ବର : କଣ୍ଟ ପୂରିଲା। ହେଲେ ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ଲାଗି ପାରିଲାନି ସିସିଟିଭି। ଦୁଇ ଥର ଚିଠି ପରେ ବି ଆଶାନୁରୂପ ସଫଳତା ମିଳିଲାନି। ଆଗ୍ରହ ଦେଖାଇଲେନି କଲେଜ କର୍ତ୍ତୃପକ୍ଷ। ତେଣୁ ଏଣିକି ନାଲିଆଖି। ସିସିଟିଭି ଲଗାଅ, ନ ‌ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଢଙ୍ଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୧୮୭୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଚିଠି ଲେଖାଯାଇଛି।

ସବୁଠାରୁ ବଡ଼ କଥା ହେଉଛି ଯେ ନିର୍ଦେଶାଳୟର ଚିଠିକୁ ନେଇ ଏବେ ଅଧିକାଂଶ କଲେଜ କର୍ତୃପକ୍ଷ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ସିସିଟିଭି ଲଗାଇବାକୁ ସିନା କୁହାଯାଉଛି, ହେଲେ ଯେଉଁଠି ଯୁକ୍ତ୨ ଓ ଯୁକ୍ତ୩ କଲେଜ ମିଶି ରହିଛି ସେମାନେ କିଭଳି ସିସିଟିଭି ଲଗାଇବେ? ତାହାର ସୁରକ୍ଷା ଦାୟିତ୍ବ କିଏ ନେବ? ଏନେଇ ନିର୍ଦେଶାଳୟ ପକ୍ଷରୁ ସ୍ପଷ୍ଟ କରାଯିବାର ଥିଲା। କେବଳ ଚିଠି ଲେଖିଦେଲେ ହେବନି, ଭିତ୍ତିଭୂମି କଥା ବି ବିଚାର କରାଯାଉ। ୧୬୩୧ଟି ଜୁନିଅର କଲେଜ ସମେତ ୫୧ଟି ସରକାରୀ ଜୁନିଅର କଲେଜ ଓ ୧୯୩ଟି ସରକାରୀ ଅନୁଦାନପ୍ରାପ୍ତ ଜୁନିଅର କଲେଜ ଏହିପରି ମୋଟ ୧୮୭୫ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ୧୧୦୦ କଲେଜରେ ପରୀକ୍ଷା କେନ୍ଦ୍ର ହେବାକୁ ଥିବା ବେଳେ ଅନ୍ୟ କଲେଜଗୁଡ଼ିକ କାହିଁକି ସିସିଟିଭି ଲଗାଇବେ।

ଅନ୍ୟପକ୍ଷରେ ଏବେ ସୁଦ୍ଧା ପ୍ରାୟ ୨୦୦ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା କଲେଜ କର୍ତୃପକ୍ଷ ରିପୋର୍ଟ ଦାଖଲ କରିଛନ୍ତି। ବାକି କେନ୍ଦ୍ରଗୁଡ଼ିକ ବିଷୟରେ କ’ଣ ପଦକ୍ଷେପ ନିଆଯିବ, ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୌଣସି ଆଲୋଚନା କରିନି। ଏପରିକି ପରିଷଦର କୌଣସି ବି ଅଧିକାରୀ ମୁହଁ ଖୋଲୁନାହାନ୍ତି। ପରିଷଦ ଅଧ୍ୟକ୍ଷ ଏକପ୍ରକାର ଚୁପ୍‌ ବସି ପଡ଼ିଥିବା ବେଳେ ଅନ୍ୟ ଅଧିକାରୀମାନେ କହିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏଥିପାଇଁ ପରୀକ୍ଷା କେନ୍ଦ୍ର ତଥା ଯୁକ୍ତ୨ କଲେଜଗୁଡ଼ିକ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିଷଦ କର୍ତୃପକ୍ଷ କାହା ସ୍ବାର୍ଥରେ ସିସିଟିଭି ଲଗାଇବାକୁ ଘୋଷଣା କରି ଚିଠି ପଠାଇ ଚୁପ୍‌ ବସି ପଡ଼ିଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି।

ସେପଟେ ଜାନୁଆରି ୨୮ରୁ ଆରମ୍ଭ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପରିଷଦର ଏକ୍ସାମିନେସନ କମିଟି ‌ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାକ୍ଟିକାଲ ପରୀକ୍ଷା ଉପରେ ଆଲୋଚନା ସହ ପୂର୍ବବର୍ଷ ପରି ଏଥର ମଧ୍ୟ ଥିଓରି ପରୀକ୍ଷା ପାଇଁ ୨୦୨ଟି ପରୀକ୍ଷା ପରିଚାଳନା ହବ୍‌ ରଖିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ବିଭିନ୍ନ ବିଷୟ ପାଇଁ ପରୀକ୍ଷା ପରିଚାଳନା ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ବିଷୟରେ ୭ରୁ ୮ଜଣ ସଦସ୍ୟ ରହିବେ।

ପ୍ରାକ୍ଟିକାଲ ପରୀକ୍ଷା କିଭଳି ପରିଚାଳନା ହେବ, ତାହାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ସେଲ୍ଫ ଫାଇନାନ୍ସ କଲେଜଗୁଡ଼ିକ ସିସିଟିଭି ଲଗାଇଛନ୍ତି କି ନାହିଁ, ସେନେଇ ମତ ନିଆଯାଇଥିଲା। ଗତବର୍ଷ ଯେଉଁଠି ତ୍ରୁଟି ପରିଲକ୍ଷିତ ହୋଇଥିଲା, ଏଥର ସେଥିରେ ସଂଶୋଧନ ଆଣିବାକୁ ସ୍ଥିର ହୋଇଛି। ଏଥିସହ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପରୀକ୍ଷକ ନିଯୁକ୍ତି ‌କିଭଳି କରାଯିବ, ସେନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ଗଠନ ହେବାକୁ ଥିବା ବୋର୍ଡଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଷୟରେ ୭ରୁ ୮ଜଣ ସଦସ୍ୟ ରହିଛନ୍ତି। ବାଣିଜ୍ୟ ବିଭାଗରେ ସବୁଠାରୁ ଅଧିକ ୧୫ରୁ ୧୬ଜଣ ରହିବେ। ଆଇଟିରେ ବି ୩ରୁ ୪ଜଣ ସଦସ୍ୟ ସାମିଲ ହୋଇ ପ୍ରାକ୍ଟିକାଲ ପରୀକ୍ଷକ ନିଯୁକ୍ତି କରିବେ। ପ୍ରାକ୍ଟିକାଲ ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ଦେଖି ସେମାନେ ସ୍କିମ୍‌ ଅଫ୍‌ ଏକ୍ସାମିସେନ ସ୍ଥିର କରିବେ।

ଗତବର୍ଷ ଯେଉଁ ୨୦୨ଟି ପରୀକ୍ଷା ପରିଚାଳନା ହବ୍‌ ହୋଇଥିଲା, ଏଥର ମଧ୍ୟ ସେଠାରେ ହବ୍‌ ହେବ। ଥିଓରି ପରୀକ୍ଷା କେନ୍ଦ୍ରରେ କିଛିଟା ପରିବର୍ତନ କରାଯିବ। ଗତବର୍ଷ ୪ରୁ ୫ଟି ପରୀକ୍ଷା କେନ୍ଦ୍ର ବିରୋଧରେ ଅଭିଯୋଗ ଆସିଛି। ତେଣୁ ସେଥିରେ କିଛିଟା ପରିବର୍ତ୍ତନ କରାଯିବ। ୧୦ରୁ ୧୫ କଲେଜ ନୂତନ ଭାବେ ପରୀକ୍ଷା କେନ୍ଦ୍ର କରିବାକୁ ଆବେଦନ କରିଛନ୍ତି। ସେମାନଙ୍କ କଥାକୁ ବିଚାରକୁ ନିଆଯାଇଛି। ଜାନୁଆରି ଦ୍ବିତୀୟ ସପ୍ତାହରେ ବସିବାକୁ ଥିବା ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

ସମ୍ବନ୍ଧିତ ଖବର