ସିଡିଏ ମଲ୍ଟିପୁଲ୍‌ ପ୍ଲଟ୍‌ ହାତେଇବା ବିବାଦ : ୩୫ ଜଣଙ୍କ ଜମି ବାତିଲ; ଲଟକିଛି ୬୪ ଜଣଙ୍କ ଭାଗ୍ୟ

କଟକ : ସିଡିଏର ବିଭିନ୍ନ ଯୋଜନାରେ ଏକାଧିକ ପ୍ଲଟ୍‌ ହାତେଇଥିବା ହିତାଧିକାରୀଙ୍କ ଶୁଣାଣି ଶେଷ ହୋଇଛି। ପୂର୍ବରୁ ଏହି ମାମଲାରେ ୭୦ ହିତାଧିକାରୀଙ୍କ ଶୁଣାଣି ଶେଷ କରାଯାଇ ୩୫ ଜଣଙ୍କ ପ୍ଲଟ୍‌ ବାତିଲ୍‌ ଓ ୩୫ଜଣଙ୍କ ରେକର୍ଡ ସଂଶୋଧନ କରାଯାଇଥିବା ବେଳେ ଏବେ ଆଉ ୬୪ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଶୁଣାଣି ଶେଷ ପରେ ସେମାନଙ୍କ ମଧ୍ୟରୁ କେଉଁମାନେ ପ୍ଲଟ୍‌ ହରାଇବେ ଏବଂ କେଉଁ ମାନଙ୍କ ରେକର୍ଡ ସଂଶୋଧନ କରାଯିବ, ତାହାର ଯାଞ୍ଚ୍‌ ଚାଲିଛି। ଆସନ୍ତା ସିଡିଏ ଅଥରିଟି ମିଟିଂରେ ଏହି ୬୪ହିତାଧିକାରୀଙ୍କ ମାମଲା ଫଇସଲା ହେବାର ସମ୍ଭାବନା ରହିଛି। ଅତୀତରେ ହୋଇଥିବା ସିଡିଏ ଅଥରିଟି ମିଟିଂରେ ୩୫ଜଣଙ୍କ ପ୍ଲଟ୍‌ ବାତିଲ୍‌ ଓ ୩୫ଜଣଙ୍କ ରେକର୍ଡ ସଂଶୋଧନ ପ୍ରସ୍ତାବ ମଂଜୁରୀ ହୋଇଥିବାରୁ ଏଥର ଅଥରିଟି ମିଟିଂରେ ବଳକା ୬୪ ହିତାଧିକାରୀଙ୍କ ମଧ୍ୟରୁ କେତେ ଜଣ ପ୍ଲଟ୍‌ ହରାଇବେ ତାହା ଉପରେ ନଜର ରହିଛି।

ଉଲ୍ଲେଖଯୋଗ୍ୟ, ସିଡିଏ ଓ ବିଡିଏରେ ପ୍ଲଟ୍‌/ପ୍ଲାଟ୍‌ ଆବଣ୍ଟନ କେଳେଙ୍କାରୀ ଧରାପଡ଼ିବା ପରେ ସରକାର ଏହାର ତଦନ୍ତ ପାଇଁ ଟାସ୍କଫୋର୍ସ କମିଟି ଗଠନ କରିଥିଲେ। ବରିଷ୍ଠ ଆଇଏଏସ୍‌ ଅଫିସର୍‌ ତାରା ଦତ୍ତଙ୍କ ନେତୃତ୍ୱରେ ଗଠିତ ଏହି କମିଟି ଘଟଣାର ତଦନ୍ତ କରି ଜମି ଆବଣ୍ଟନରେ ବ୍ୟାପକ କେଳେଙ୍କାରୀ ହୋଇଥିବା ରିପୋର୍ଟରେ ଦର୍ଶାଇଥିଲେ। ଏହି ରିପୋର୍ଟ ଆଧାରରେ ସିଡିଏରୁ ବିଭିନ୍ନ ସ୍କିମ୍‌ରେ ଏକରୁ ଅଧିକ ଜମି(ମଲ୍‌ଟିପୁଲ୍‌) ହାତେଇଥିବା ସମୁଦାୟ ୧୩୪ ହିତାଧିକାରୀଙ୍କ ତଦନ୍ତ ଆରମ୍ଭ କରିଥିଲା। ସେମାନଙ୍କୁ ନୋଟିସ୍‌ ଜାରି କରାଯାଇ କାହିଁକି ପ୍ଲଟ୍‌ ବାତିଲ୍‌ କରାଯିବ ନାହିଁ, ତାହାର ଉତ୍ତର ରଖିବାକୁ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଯେଉଁ ୭୦ ହିତାଧିକାରୀଙ୍କ ମାମଲା ଶେଷ ହୋଇଛି, ସେଥିରୁ ୩୫ଜଣ ଦୁଇଟି ପ୍ଲଟ୍‌ରୁ ଗୋଟିଏ ହରାଇଛନ୍ତି। ଏମାନେ ନିଜ ନାଁରେ ଦୁଇଟି ପ୍ଲଟ୍‌ ଅଥବା ପତ୍ନୀଙ୍କ ନାଁରେ ଗୋଟିଏ ଓ ନିଜ ନାଁରେ ଅଥବା ନାବାଳକ ପିଲା ନାଁରେ ଅନ୍ୟଟି ପକାଇଥିବା ତଦନ୍ତରେ ଜଣାପଡ଼ିଥିଲା। ବାକି ୩୫ଜଣଙ୍କ କ୍ଷେତ୍ରରେ ଭାଇ-ଭାଇ, ବାପା-ସାବାଳକ ପୁଅ ନାଁରେ ଦୁଇଟି ପ୍ଲଟ୍‌ ଇସ୍ୟୁ ହୋଇଥିବା ସାମ୍ନାକୁ ଆସିଥିଲା। ଏଣୁ ଗୋଟିଏ ପରିବାର ସଂଜ୍ଞା ନିୟମରେ ଏମାନେ ଆସୁନଥିବାରୁ ପ୍ଲଟ୍‌ ବାତିଲ୍‌ ହୋଇନାହିଁ।ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଇଚ୍ଛାଧୀନ କୋଟା ମାମଲାରେ ଶୁଣାଣି ଆରମ୍ଭ ହୋଇନାହିଁ। ଇଚ୍ଛାଧୀନ କୋଟାରେ ସିିଡିଏରୁ ୮୩୩ ଜଣ ପ୍ଲଟ୍‌ ନେଇଥିବା ବେଳେ ସମସ୍ତଙ୍କୁୁ ନୋଟିସ୍‌ ଜାରି ହୋଇଛି।

ସିଡିଏ ଉପାଧ୍ୟକ୍ଷ ଶରତ ନାୟକ କହିଛନ୍ତି ଯେ ବର୍ତ୍ତମାନ ଏକାଧିକ ପ୍ଲଟ୍‌ ହାତେଇଥିବା ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗୋଟିଏ ପରିବାର ସଂଜ୍ଞା ଅନୁସାରେ ବାପା-ମା ଏବଂ ନାବାଳକ ପୁଅକୁ ଧରାଯାଇଛି। ବାପ-ସାବାଳକପୁଅ/ଝିଅ, ଭାଇ-ଭାଇ ହୋଇଥିଲେ ସେମାନେ ଗୋଟିଏ ପରିବାରରେ ଆସୁନାହାନ୍ତି। ଏହି ହିସାବରେ ୩୫ଜଣଙ୍କ ପ୍ଲଟ୍‌ ବାତିଲ୍‌ ହୋଇନାହିଁ। ଅନ୍ୟ ୩୫ଜଣଙ୍କ ନିଜ ନାଁରେ ଦୁଇଟି ଅଥବା ପତ୍ନୀ ଓ ନାବାଳକ ପିଲାଙ୍କ ନାଁରେ ଏକାଧିକ ପ୍ଲଟ୍‌ ଥିବାରୁ ବାତିଲ୍‌ କରାଯାଇଛି। ଆସନ୍ତା ଅଥରିଟି ମିଟିଂରେ ବଳକା ୬୪ ହିତାଧିକାରୀଙ୍କ ମାମଲା ଯାଞ୍ଚ କରାଯିବ।

ସମ୍ବନ୍ଧିତ ଖବର