‘ନିରାମୟ’ ଶତ ପ୍ରତିଶତ ସଫଳ ନ ହେଲେ କାର୍ଯ୍ୟାନୁଷ୍ଠାନ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୁଇଦିନିଆ ରାଜ୍ୟ ସମ୍ମିଳନୀ ଆଜି ହୋଟେଲ ପାଲ୍ ହାଇଟ୍ସରେ ଆରମ୍ଭ ହୋଇଛି। ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ନିରାମୟ ଯୋଜନାଠାରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସା ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ କାମର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ଡାକ୍ତର ଓ ବିଭାଗୀୟ କର୍ମଚାରୀଙ୍କ କାର୍ଯ୍ୟ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି।
ଶ୍ରୀ ଜେନା କହିଛନ୍ତି, ରାଜ୍ୟ ସରକାର ରୋଗୀଙ୍କୁ ବିନା ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ‘ନିରାମୟ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ଏହାର ଠିକ୍ ଭାବେ ବ୍ରାଣ୍ଡିଂ ହୋଇପାରି ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବେସରକାରୀ ମେଡିକାଲ ଷ୍ଟୋର ଜଳ ଜଳ ଦେଖା ଯାଉଛି, କିନ୍ତୁ ‘ନିରାମୟ’ ଷ୍ଟୋର ଦେଖିବାକୁ ମିଳୁନାହିଁ। ଷ୍ଟୋରରେ ଔଷଧ ରହୁଛି, ମାତ୍ର କାଉଣ୍ଟରକୁ ଆସିପାରୁ ନାହିଁ। ବେସରକାରୀ ଔଷଧ ଷ୍ଟୋର ସହିତ ଫାର୍ମାସିଷ୍ଟଙ୍କ ସଂପର୍କ ରହୁଛି। ରଘୁନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ନଜରକୁ ଆସିଛି। ତେଣୁ ଯେଉଁ ସ୍ୱାସ୍ଥ୍ୟକେନ୍ଦ୍ରରେ ନିରାମୟର ଶତ ପ୍ରତିଶତ ସଫଳତା ହାସଲ ନ ହେବ ତା’ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ନିରାମୟ ପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ଖର୍ଚ କରୁଛନ୍ତି। ଅତ୍ୟାବଶ୍ୟକ ଔଷଧ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଏହାସହ ସ୍ଥାନୀୟ ଡାକ୍ତରଖାନା ଗୁଡ଼ିକ ଔଷଧ କିଣିବା ପାଇଁ ୨୦ ପ୍ରତିଶତ ଅର୍ଥ ଦିଆଯାଉଛି। ତଥାପି ଏଥିରେ ଠିକ୍ ଭାବେ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ବୋଲି ଶ୍ରୀ ଜେନା କ୍ଷୋଭ ପ୍ରକାଶ କରିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ, ନିରାମୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ସ୍ୱାସ୍ଥ୍ୟାନୁଷ୍ଠାନର ବିତରଣ କେନ୍ଦ୍ରର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଫୋନ୍ ନମ୍ବର ଲେଖିବାକୁ ନିର୍ଦେଶ ଦିଆଯାଇଛି। ଏହାସହ ସ୍ୱାସ୍ଥ୍ୟାନୁଷ୍ଠାନର ପରିମଳକୁ ଅଧିକ ଗୁରୁତ୍ୱ ଦିଆଯିବା ଦରକାର। ଅନେକ ସ୍ଥାନରେ ଅସ୍ତ୍ରୋପଚାର ଗୃହ ବହୁତ ଅପରିଷ୍କାର ରହୁଛି। ଏପରିକି ନିଜ ନିର୍ବାଚନମଣ୍ଡଳୀରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଥିବା ଶ୍ରୀ ଜେନା କହିଥିଲେ।
ସିଏଚ୍ସି, ପିଏଚ୍ସି ଓ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ସିଡିଏମ୍ଓ, ଏଡିଏମ୍ଓ, ଡିପିଏମ୍ ଅଚାନକ ପରିଦର୍ଶନ କରିବା ଉପରେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡାକ୍ତରଙ୍କ ଅଭାବ ରହିଛି ତାହାର ନିକଟସ୍ଥ ଡାକ୍ତରଖାନାରୁ ଡାକ୍ତରଙ୍କୁ ନେଇ କିପରି ଅଭାବ ପୂରଣ ହୋଇପାରିବ ତାହାର ବ୍ୟବସ୍ଥା କରାଯିବା ଦରକାର। ଯେଉଁ ଜିଲ୍ଲାଗୁଡ଼ିକରେ ଜିଲ୍ଲା ମାଇନିଂ ପାଣ୍ଠି ବା ଡିଏମ୍ଏଫ୍ ରହିଛି ସେଠାରେ ଅଧିକରୁ ଅଧିକ ସୁବିଧା ଉପଲବ୍ଧ କରାଯିବା ଆବଶ୍ୟକ। ଭଲ ମାନସିକତା ନେଇ ରୋଗୀ ସେବା କରିବା ପାଇଁ ଶ୍ରୀ ଜେନା ପରାମର୍ଶ ଦେବା ସହିତ ଯେଉଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ସଫଳ କାହାଣୀ ରହିଛି ତାହାକୁ ଗଣମାଧ୍ୟମ ଜରିଆରେ ଚର୍ଚାକୁ ଆଣିବାକୁ ସେ ପରାମର୍ଶ ଦେଇଥିଲେ।
ଶ୍ରୀ ଜେନା କହିଲେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି। ପଛୁଆ ଜିଲ୍ଲା ଗୁଡ଼ିକରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଭଲ କାମ କରୁଥିବା ନଜରକୁ ଆସିଛି। ରାଜ୍ୟର ପ୍ରାୟ ୭୦ପ୍ରତିଶତ ସିଡିଏମ୍ଓ ହେଉଛନ୍ତି ନୂଆ। ତେଣୁ ବିଭାଗ ପକ୍ଷରୁ କୌଣସି ଜିନିଷ ପାଇଁ ତାଗିଦ୍ କରାଯିବା ପୂର୍ବରୁ ସେମାନେ ନିଜର ଅନୁଶୀଳନ କରିବା ଜରୁରୀ।
ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ। ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ସମ୍ମିଳନୀର ଆଭିମୁଖ୍ୟ ଓ ଲକ୍ଷ୍ୟ ସଂପର୍କରେ କହିଥିଲେ। ରାଜ୍ୟ ଔଷଧ ନିଗମର ନିର୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ସ୍ୱତନ୍ତ୍ର ସଚିବ ଡା.କେ.ସି ଦାଶ, ଡା. ବିନୋଦ ମିଶ୍ର, ଅତିରିକ୍ତ ସଚିବ ସୁରଜିତ ଦାଶ, ହରିବଲ୍ଲଭ ମିଶ୍ର, ଡା. ଅଜିତ କୁମାର ମିଶ୍ର, ପରିବାର କଲ୍ୟାଣ ନିର୍ଦେଶକ ଡା.ଶରତ ସାହୁ, ନର୍ସିଂ ନିର୍ଦେଶକ ଡା.ବସନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ, ଡିପିଏମ୍ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା. ବି.କେ ବ୍ରହ୍ମା ଧନ୍ୟବାଦ ଦେଇଥିଲେ।