କଳିଙ୍ଗନଗରରେ ମାଳମାଳ ସିମେଣ୍ଟ କାରଖାନା : ଅନ୍ୟ ଶିଳ୍ପ ପାଇଁ ଚ୍ୟାଲେଞ୍ଜ, ପ୍ରଦୂଷଣରେ କଲବଲ ସ୍ଥାନୀୟ ବାସିନ୍ଦା‌, ଜମିହରାଙ୍କୁ ନିଯୁକ୍ତି ନାହିଁ

ଯାଜପୁର/ଦାନଗଦୀ : ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ନୂତନ ଶିଳ୍ପାନୁଷ୍ଠାନଗୁଡ଼ିକ ଆଗମନ ଲାଗି ରହିଥିବା ‌ବେଳେ ଗୋଟିଏ ପରେ ଗୋଟିଏ ଶିଳ୍ପା‌ନୁଷ୍ଠାନରେ ତାଲା ଝୁଲୁଛି। ଶିଳ୍ପାନୁଷ୍ଠାନରେ ତାଲା ପଡ଼ିବା ଯୋଗୁଁ ହଜାର ହଜାର ଯୁବକଯୁବତୀ କର୍ମସଂସ୍ଥାନ ହରାଉଛନ୍ତି। ଏଭଳି ପରିସ୍ଥିତିରେ ଇସ୍ପାତ ରାଜଧାନୀରେ ସିମେଣ୍ଟଗୁଡ଼ିକର ଲମ୍ବା ଲାଇନ୍ ଲାଗିଛି। ଏଥି ମଧ୍ୟରେ ଇମାମି ଓ ଜେଏସଡବ୍ଲୁ ସିମେଣ୍ଟ କାରଖାନା ଉତ୍ପାଦନ ଆରମ୍ଭ କରିଦେଲାଣି। ଅଥଚ ସ୍ଥାନୀୟ ନିଯୁକ୍ତି ନାହିଁ। ଯାହାକୁ ନେଇ ଆନ୍ଦୋଳନ ଦାନା ବାନ୍ଧୁଛି। ଯାଜପୁର ଓ ଚାଟିନାଡ଼ ସିମେଣ୍ଟ କାରଖାନା ଏବେ ସୁଦ୍ଧା ଭୂଇଁରୁ ଉଠିପାରିନାହିଁ। କେତେକ କାରଖାନାର ମୁନାଫାଖୋର ମନୋବୃତ୍ତି ଯୋଗୁଁ ଧୂଳିଧୂଆଁରେ ସ୍ଥାନୀୟ ବାସିନ୍ଦା ପ୍ରଦୂଷଣ ଯନ୍ତାରେ ଛଟପଟ ହେଉଛନ୍ତି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକକାଳୀନ ଚାରି ଚାରିଟି ସିମେଣ୍ଟ କାରଖାନାର ସ୍ଥାପନ ପ୍ରଦୂଷଣ ସମସ୍ୟା ସ୍ଥାନୀୟ ଲୋକଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ପ୍ରତି ବିପଦ ଦେଖାଦେଇଛି। ମାତ୍ର କମ୍ପାନି କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନଜର ନାହିଁ।

ଏପରିକି ଲୋକଙ୍କ ଆନ୍ଦୋଳନ ଓ ପ୍ରଶାସନର ତାଗିଦକୁ ମଧ୍ୟ ଖାତିର ନାହିଁ। ଇମାମି ସିମେଣ୍ଟରେ ସ୍ଥାନୀୟ ନିଯୁକ୍ତି ଓ ପ୍ରଦୂଷଣ ରୋକିବା ପାଇଁ ହୋଇଥିବା ଆନ୍ଦୋଳନରେ ପ୍ରଶାସନ ହସ୍ତକ୍ଷେପ କରି ସ୍ଥଗିତ କଲେ। ‌କିନ୍ତୁ ପ୍ରଶାସନ ପକ୍ଷରୁ ଆହୂତ ବୈଠକକୁ କମ୍ପାନିର ଅଧିକାରୀ ଆସିଲେ ନାହିଁ। କାରଖାନାଗୁଡ଼ିକରେ ସ୍ଥାନୀୟ ନିଯୁକ୍ତି ଦିନକୁ ଦିନ କମିବାରେ ଲାଗିଥିବା ବେଳେ କଳିଙ୍ଗନଗରରେ ଇସ୍ପାତ କାରଖାନାର ପ୍ରଦୂଷଣକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ଏକାଧିକ ଗାଁ କିଡ୍‌ନି, ଯକ୍ଷ୍ମା ଓ ଅନ୍ୟାନ୍ୟ ପ୍ରଦୂଷଣ ଜନିତ ରୋଗରେ କବଳିତ ହେବାରେ ଲାଗିଛି। ଯଖପୁରା ନିକଟ ଶିଳ୍ପା‌ଞ୍ଚଳର ଗୋଟେ କିଲୋମିଟରରୁ ଦୁଇ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଚାରିଟି ସିମେଣ୍ଟ କାରଖାନା ଲାଗି ପ୍ରଶାସନ ଜନଶୁଣାଣି କରିସାରିଛି। ମାନତୀରା ମୌଜାରେ ଇମାମି ସିମେଣ୍ଟ କାରଖାନାର ୬୬ଏକର ଜମିରେ ନିର୍ମିତ ହୋଇଛି। ଏଠା‌ରେ ୪୨ଜଣ ବିସ୍ଥାପିତ ପରିବାର ନିଯୁକ୍ତି ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ କମ୍ପାନି ସେମାନଙ୍କ କଥା ଶୁଣୁନାହିଁ। ତେଣୁ ଏହା ବିରୋଧରେ ଆନ୍ଦୋଳନ ତୀବ୍ର ହୋଇଛି।

ସମ୍ବନ୍ଧିତ ଖବର