ମ୍ୟାଲେରିଆ ନିରାକରଣ ପଦକ୍ଷେପକୁ ପ୍ରଶଂସା : କୋରାପୁଟ ମଡେଲକୁ ଗ୍ରହଣ କରିବ କେନ୍ଦ୍ର

କୋରାପୁଟ : ଦିନ ଥିଲା ମ୍ୟାଲେରିଆ ପାଇଁ ଅପବାଦ ମୁଣ୍ଡାଉଥିଲା କୋରାପୁଟ। ଏହି ଦୁର୍ଗମ ଜିଲ୍ଲାରେ ମ୍ୟାଲେରିଆର ପ୍ରକୋପ ବହୁତ ଅଧିକ ଥିଲା ବେଳେ ଫି ବର୍ଷ ଲୋକେ ଏହି ରୋଗରେ ମରୁଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ପ୍ରୟାସ ପରେ ମ୍ୟାଲେରିଆ ଆଶ୍ଚର୍ଯ୍ୟଜନକ ଭାବେ କମିଯାଇଛି। ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟକୁ ଖୋଦ୍‌ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିବାବେଳେ ଏହି ମଡେଲକୁ କେନ୍ଦ୍ର ସରକାର ଗ୍ରହଣ କରିବେ ବୋଲି ଜଣାପଡିଛି। ସେଥିପାଇଁ କୋରାପୁଟ ଜିଲ୍ଲାପାଳ କେନ୍ଦ୍ର ନିକଟରେ ଖୁବ୍‌ଶୀଘ୍ର ଏକ ପ୍ରେ‌ଜେଣ୍ଟେସନ ଦେବାର କାର୍ଯ୍ୟକ୍ରମ ରହିଛି।

କୋରାପୁଟ ଜିଲ୍ଲାରେ ଆଗରୁ ମ୍ୟାଲେରିଆ ମହାମାରୀ ଭଳି ଅନେକ ଜୀବନ ନେଉଥିଲା। ସ୍ବାସ୍ଥ୍ୟ ବିଭାଗର ହିସାବ ଅନୁସାରେ, ଦୁଇ ବର୍ଷ ତଳେ କୋରାପୁଟ ଜିଲ୍ଲାରେ ପ୍ରତି ହଜାରେ ଲୋକରେ ୨୯ଜଣ ଏହି ରୋଗରେ ଘାଣ୍ଟି ହେଉଥିଲେ। ରାଜ୍ୟରେ ଏହି ସ˚ଖ୍ୟା ୧୦ଥିଲା ବେଳେ କୋରାପୁଟରେ ୩ଗୁଣ ଅଧିକ ରହିଥିଲା। ୨୦୧୭ରେ ଜଣେ ଲୋକ ମ୍ୟାଲେରିଆରେ ମୃତ୍ୟୁବରଣ କରିଥିଲାବେଳେ ଗତ ୭ବର୍ଷରେ ଏହି ରୋଗରେ ୬୦ଣଙ୍କ ପ୍ରାଣ ଯାଇଛି। ୨୦୧୦ବେଳକୁ ପ୍ରତି ହଜାରେ ଲୋକଙ୍କ ଭିତରେ ମ୍ୟାଲେରିଆ ପୀଡିତଙ୍କ ସ˚ଖ୍ୟା ୩୬.୭ ରହିଥିଲା ବେଳେ ପରେ କମି ଯାଇଥିଲା। କିନ୍ତୁ ୨୦୧୪ ପ‌ରେ ଏହା ପୁଣି ବଢିଥିଲା।

ମ୍ୟାଲେରିଆକୁ ନିୟନ୍ତ୍ରଣ ଆଣିବା ପାଇଁ ୨୦୧୭ ଜୁଲାଇରେ ପ୍ରଶାସନ ହାତକୁ ନେଇଥିଲା ଏକ ସ୍ବତନ୍ତ୍ର ଅଭିଯାନ ‘ଏପିଆଇ-୧୦’। ଜିଲ୍ଲାରେ ପ୍ରତି ହଜାରେ ‌ଲୋକଙ୍କ ଭିତରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୧୦ତଳକୁ ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଜିଲ୍ଲାରେ ପ୍ରାୟ ୧୫ ଲକ୍ଷ ଔଷଧୀୟ ମଶାରୀ ବଣ୍ଟନ କରାଯାଇଥିଲା ବେଳେ ମଶାରୀ ବ୍ୟବହାର ନେଇ ସଚେତନତାକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଆଶା ଓ ଅଙ୍ଗନବାଡି କର୍ମୀ ଘରେ ଘରେ ବୁଲି ମଶାରୀ ବାନ୍ଧିବା ପାଇଁ ସଚେତନ କରାଇଥିଲେ। ଏପଟେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଶାରୀ ବାନ୍ଧିବା ନେଇ ସଚେତନ କରାଯାଇଥିଲା। ଏହାସହ ଦମନ ଯୋଜନା ମଧୢ ଚାଲୁ ରହିଥିଲା। ଏହି ଯୋଜନାରେ ନାରାୟଣପାଟଣା, ବନ୍ଧୁଗାଁ, ଲମତାପୁଟ, ଲକ୍ଷ୍ମୀପୁର ଓ ଦଶମନ୍ତପୁର ବ୍ଲକର ୩୯୩ଟି ଗାଁରେ ସାମିଲ କରାଯାଇଥିଲା।

ଏହି ପ୍ରୟାସ ଫଳରେ ଆଶ୍ଚର୍ଯ୍ୟଜନକ ଭାବେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କମି ଯାଇଛନ୍ତି। ଜିଲ୍ଲାରେ ଏବେ ପ୍ରତି ହଜାରେ ଲୋକଙ୍କ ଭିତରେ ମାତ୍ର ୪.୫ ‌ଲୋକଙ୍କ ଦେହରୁ ମ୍ୟାଲେରିଆ ଭୂତାଣୁ ମିଳୁଛି। ମୃତକଙ୍କ ସଂଖ୍ୟା ଶୂନ। ଅପରପକ୍ଷରେ ମ୍ୟାଲେରିଆ ରୋକିବା କ୍ଷେତ୍ରରେ ଦେଶର ସର୍ବଶ୍ରେଷ୍ଠ ୧୦ଟି ଜିଲ୍ଲା ଭିତରେ କୋରାପୁଟ ସ୍ଥାନ ପାଇଛି। ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟକୁ ଖୋଦ୍‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ମ୍ୟାଲେରିଆ ‌ରୋକିବା ଦିଗରେ ଜିଲ୍ଲା ପ୍ରଶାସନର ଏହି ଉଲ୍ଲେଖନୀୟ କାର୍ଯ୍ୟ ନେଇ ଜିଲ୍ଲାପାଳ ପ୍ରଧାନମନ୍ତ୍ରୀଙ୍କ ଆଗରେ ଏକ ‌ପ୍ରେଜେଣ୍ଟେସନ ଦେବାର କାର୍ଯ୍ୟକ୍ରମ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର