କେନ୍ଦ୍ରୀୟ ପରାମର୍ଶଦାତା ବୋର୍ଡ ବୈଠକ : ଭିନ୍ନକ୍ଷମ ସଶକ୍ତୀକରଣ ପାଇଁ ରାଜ୍ୟକୁ ଅଧିକ ପ୍ରକଳ୍ପ ଦିଅ

ଭୁବନେଶ୍ବର : ଭିନ୍ନକ୍ଷମ ଶିଶୁମାନଙ୍କ ଅଭିବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟରେ ଦୁଇଟି ପ୍ରାକ୍-ଶୈଶବ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ସହିତ ରାଜଧାନୀରେ ଭିନ୍ନକ୍ଷମମାନଙ୍କ ପାଇଁ ଏକ କ୍ରୀଡ଼ା କେନ୍ଦ୍ର ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରାଳୟ ଆନୁକୂଲ୍ୟରେ କେନ୍ଦ୍ରୀୟ ପରାମର୍ଶଦାତା ବୋର୍ଡର ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଥାବର ଚାନ୍ଦ ଗେହଲଟ୍‌ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶ୍ରୀ ପଣ୍ଡା ଯୋଗଦେବା ସହ ରାଜ୍ୟରେ ଭିନ୍ନକ୍ଷମଙ୍କ ସଶକ୍ତୀକରଣ ପାଇଁ କେନ୍ଦ୍ର ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବ ଦେଇଥିଲେ। ରାଜ୍ୟ ପକ୍ଷରୁ ୨୦୧୮/୧୯ରେ ରାଜ୍ୟରେ ୩ଟି ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି ଓ ଏହା ଉପରେ କେନ୍ଦ୍ର ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରନ୍ତୁ। ରାଜ୍ୟରେ ସାର୍ବଜନୀନ ଭିନ୍ନକ୍ଷମ ପରିଚୟପତ୍ର ବ୍ୟବସ୍ଥା ଅଧିକ ଅଗ୍ରଗତି କରିଛି। ସେହିପରି ‘ଆସେସିବୁଲ ଇଣ୍ଡିଆ’ ଯୋଜନାରେ ରାଜ୍ୟର ସରକାରୀ କୋଠାବାଡ଼ିକୁ ଭିନ୍ନକ୍ଷମମାନଙ୍କ ଯାତାୟାତ ଓ ପ୍ରବେଶ ସୁଗମ କରିବା ଉଦ୍ଦେଶ୍ୟରେ ରୢାମ୍ପ ନିର୍ମାଣ ଅଗ୍ରଗତି କରିଛି। ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ୨୦୩ଟି ସରକାରୀ କୋଠା ମଧ୍ୟରୁ ୧୧୭ଟିରେ ରୢାମ୍ପ ନିର୍ମାଣ ଶେଷ ହୋଇଛି ଓ ସେଥିପାଇଁ ରାଜ୍ୟ ବଜେଟରୁ ଅର୍ଥ ଖର୍ଚ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସୋସିଆଲ ଅଡିଟ୍ ପାଇଁ ସୋସାଇଟି ଫର ସୋସିଆଲ ଅଡିଟ୍‌, ଏକାଉଣ୍ଟିବିଲିଟି ଏଣ୍ଡ ଟ୍ରାନ୍ସପାରେନ୍ସିକୁ ନିୟୋଜିତ କରାଯାଇଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାରଙ୍କ ଦ୍ବାରା ଭିନ୍ନକ୍ଷମ ଅଧିକାର ନିୟମାବଳୀ-୨୦୧୮ ପ୍ରଣୟନ କରାଯାଇଛି ଓ ୨୦୧୮ରେ ରାଜ୍ୟ ଉପଦେଷ୍ଟା ବୋର୍ଡ ଗଠନ କରାଯାଇଛି। ରାଜ୍ୟରେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ପେନସନ ପ୍ରଦାନ ବ୍ୟବସ୍ଥାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ଏହି ବୈଠକରେ ପରାମର୍ଶଦାତା ବୋର୍ଡର ସଦସ୍ୟମାନଙ୍କ ସମେତ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର