ଖଣି ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ

ସମଲେଶ୍ବରୀ କୋଇଲା ଖଣି ସଂପ୍ରସାରଣ ଓ ବିସ୍ଥାପନ ସମ୍ପର୍କରେ ଆଲୋଚନା, ତାଳଚେର ଖଣିଗୁଡ଼ିକର ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବାରୋପ

ବ୍ରଜରାଜନଗର/ଝାରସୁଗୁଡ଼ା/ତାଳଚେର : କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲ୍‌ ଆଜି ଦିନିକିଆ ଗସ୍ତରେ ଆସି ରାଜ୍ୟର କେତେକ ଖଣି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ସମୀକ୍ଷା କରିବା ସହିତ କୋଇଲା ଓ ରେଳବାଇ ମଧ୍ୟରେ ସମନ୍ବୟକୁ ଗୁରୁତ୍ବ ଦେଇଛନ୍ତି। ଏଥିସହିତ, ଖଣି ସଂପ୍ରସାରଣ, ବିସ୍ଥାପନ ଓ ଉତ୍ପାଦନ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋଏଲ ସୋମବାର ଏମସିଏଲ ପରିଚାଳିତ ଖଣି ପରିଦର୍ଶନ ପାଇଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରିଥିଲେ। ଲଖନପୁର ଖଣିକ୍ଷେତ୍ର ନ ଯାଇ ବ୍ରଜରାଜନଗର ସମଲେଶ୍ବରୀ କୋଇଲା ଖଣି ଅଭିମୁଖେ ଯାଇ ସମଲେଶ୍ବରୀ ଖଣି ଭ୍ୟୁ ପଏଣ୍ଟରେ ପହଞ୍ଚିଥିଲେ।

ଏହି ଖଣି ଉତ୍ପାଦନ ଲକ୍ଷ୍ୟ ୧୫ ମିଲିୟନ ଟନ ହାସଲ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଖଣି ସଂପ୍ରସାରଣ ପାଇଁ ରହିଥିବା ମୁଖ୍ୟ ସମସ୍ୟା ବିସ୍ଥାପନ ସମ୍ପର୍କରେ ଆଲୋଚନା ହୋଇଥିଲା। ଚିଙ୍ଗିରିଗୁଡ଼ା ଗାଁ ସହ ସାଇଡିଂ, ବନ ବିଭାଗ ଅନୁମତି, ଗ୍ଲୋବାଲ ୱାସେରି ସମ୍ପର୍କରେ ଆଲୋଚନା ହୋଇଥିଲା। ରେଳ ସାଇଡିଂ ସମସ୍ୟାକୁ ୬ ମାସ ମଧ୍ୟରେ ସମାଧାନ କରିବାକୁ ଶ୍ରୀ ଗୋଏଲ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଅନ୍ୟ ୩ଟି ପ୍ରମୁଖ ସମସ୍ୟା ଉପରେ ମଧ୍ୟ ଶ୍ରୀ ଗୋଏଲ ଶୀଘ୍ର ପଦକ୍ଷେପ ନେଇ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।

ଖଣିକ୍ଷେତ୍ର ଅନୁଧ୍ୟାନ ସମୟରେ ଶ୍ରୀ ଗୋଏଲଙ୍କ ସହ କୋଲଇଣ୍ଡିଆ ଅଧ୍ୟକ୍ଷ ଅନୀଲ ଝା, ଏମସିଏଲ ସିଏମଡି ଆରଆର ମିଶ୍ର, ଟେକ୍ନିକାଲ ନିର୍ଦେଶକ ଓ.ପି ସିଂ, ଇବଭ୍ୟାଲି ମହାପ୍ରବନ୍ଧକ ମଧୁସୂଦନ ଶର୍ମା, ସମଲେଶ୍ବରୀ ଖଣି ମ୍ୟାନେଜର ପିକେ ତ୍ରିପାଠୀ, କୋଇଲା ଯୁଗ୍ମ ସଚିବ ଇନ୍ଦ୍ରଜିତ ସିଂହ, ରେଳ ମନ୍ତ୍ରଣାଳୟର ଇଡିଜିପି ନରେନ୍ଦ୍ର ପାଟିଲ, କେନ୍ଦ୍ର କୋଇଲା ସଚିବ ଇନ୍ଦ୍ରଜିତ ସିଂହ, ରେଲୱେ ଟ୍ରାଫିକ ସଭ୍ୟ ଗିରୀଶ ପିଲାଇ, ଝ‌ାରସୁଗୁଡ଼ା‌ ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।

କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ୍‌ ଆଜି ତାଳଚେର ଗସ୍ତରେ ଆସି ଏମସିଏଲର ଭୁବନେଶ୍ବରୀ ଓ ଅନନ୍ତ କୋଇଲା ଖଣି ପରିଦର୍ଶନ କରିଛନ୍ତି। ଧାର୍ଯ୍ୟଲକ୍ଷ୍ୟଠାରୁ ଉତ୍ପାଦନ ହାର ଅପେକ୍ଷାକୃତ କମ୍ ଥିବାରୁ ତାଳଚେର ଅଞ୍ଚଳରେ ଥିବା କୋଇଲା ଖଣିଗୁଡିକରୁ କିଭଳି ଅଧିକରୁ ଅଧିକ ଉତ୍ପାଦନ ହୋଇପାରିବ ସେ ନେଇ ମନ୍ତ୍ରୀ ଶ୍ରୀ ଗୋୟଲ ଏମସିଏଲର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଖଣି ପରିଦର୍ଶନ ପରେ ସେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଅଞ୍ଚଳର ସମସ୍ୟା ସ˚ପର୍କିତ ୧୯ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ତାଙ୍କୁ ପ୍ରଦାନ କରିଥିଲେ। ସେହିଭଳି, ଓଡ଼ିଶା କଲିୟରି ମଜଦୁର ସ˚ଘ ପକ୍ଷରୁ ମଧ୍ୟ ସାଧାରଣ ସ˚ପାଦକ ସୌଭାଗ୍ୟ ପ୍ରଧାନ, ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ, ତାଳଚେର ଓକିଲ ସଂଘ ପକ୍ଷରୁ ସଭାପତି ଦୟାସାଗର ମିଶ୍ର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

ଏଠାରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ଏମସିଏଲ ସିଏମଡି ଆର. ଆର ମିଶ୍ର, କୋଲ ଇଣ୍ତିଆ ଅଧୢକ୍ଷ ଏ. କେ ଝା, ବୈଷୟିକ ନିର୍ଦ୍ଦେଶକ ଡି. ପି ସି˚, କାର୍ମିକ ନିର୍ଦ୍ଦେଶକ ଏଲ. ଏନ ମିଶ୍ର, ନୋଡାଲ ପ୍ରବନ୍ଧକ ଏମ୍. ଜି ବ୍ରହ୍ମପୁରକର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର