କେନ୍ଦ୍ର ମନ୍ତ୍ରୀ ମାନସୁକ୍ ମଣ୍ଡାଭିୟାଙ୍କ ପାରାଦୀପ ଗସ୍ତ : ବିଜେଡିର ରାସ୍ତାରୋକ, ବିଜେପିର ଶୋଭାଯାତ୍ରା

ଜଗତସିଂହପୁର : କେନ୍ଦ୍ର ସରକାରଙ୍କର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପାରାଦୀପ ଗସ୍ତରେ ଆସିଛନ୍ତି କେନ୍ଦ୍ର ସଡ଼କ ପରିବହନ, ଜାତୀୟ ରାଜପଥ ଓ ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ମାନସୁକ୍ ମଣ୍ଡାଭିୟା। ମନ୍ତ୍ରୀଙ୍କ ଗସ୍ତ ସମୟରେ ଆଜି ବିଜେଡି ପକ୍ଷରୁ ଜାତୀୟ ରାଜପଥ ମରାମତି ଦାବିରେ ତାରିଣୀଗଡ଼ା ନିକଟରେ ରାସ୍ତାରୋକ କରାଯାଇଥିବା ବେଳେ ବିଜେଡିକୁ ଜବାବ ଦେବାକୁ ଯାଇ ମନ୍ତ୍ରୀକୁ ସ୍ବାଗତ କରିବା ପାଇଁ ବିଜେପି ଯୁବ ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ବରେ ଏକ ବିଶାଳ ‌ସ୍ବାଗତ ଶୋଭଯାତ୍ରା ଆୟୋଜନ କରାଯାଇଥିଲା। ଏଭଳି ସ୍ଥିତିରେ କୌଣସି ପ୍ରକାର ଅଘଟଣ ଏଡାଇବାକୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ରଙ୍କ ନେତୃତ୍ବରେ ପୁଲିସ କେନ୍ଦ୍ର ମନ୍ତ୍ରୀ ପାରାଦୀପରେ ପହଞ୍ଚିବା ପୂର୍ବରୁ ବିଜେଡି ନେତାମାନଙ୍କୁ ବୁଝାସୁଝା କରି ଧାରଣା ସ୍ଥଳରୁ ଉଠାଇ ଦେଇଥିଲେ।

ଆଜି ଦିନ ୧୦ଟା ବେଳକୁ ତାରିଣୀଗଡ଼ା ନିକଟରେ ବିଜେଡି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା ମନ୍ତ୍ରୀ ଶ୍ରୀ ମଣ୍ଡାଭିୟାଙ୍କ ଅଧୀନରେ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ରହୁଥିବାରୁ ରାସ୍ତାକୁ ଓହ୍ଲାଇବା ପାଇଁ ବିଜେଡି ନିଷ୍ପତ୍ତି ନେଇଥିଲା। ଅଠରବାଙ୍କୀ-ଭୂତମୁଣ୍ଡେଇ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବାରମ୍ବାର ଦାବି ସତ୍ତ୍ବେ ଏହାକୁ ମରାମତି କରାଯାଉ ନାହିଁ ବୋଲି ଅଭିଯୋଗ ଆଣି ନଗର ବିଜେଡି ସଭାପତି ସୁମନ୍ତ ବିଶ୍ୱାଳ ଓ ପୌରପାଳିକା ଅଧ୍ୟକ୍ଷ ତଥା ସଂପାଦକ ବସନ୍ତ ବିଶ୍ୱାଳଙ୍କ ନେତୃତ୍ବରେ ଏହି ରାସ୍ତାରୋକ ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ଅପରାହ୍ନରେ ବିଜେପି ପକ୍ଷରୁ ନେହେରୁ ବଙ୍ଗଳାରୁ ମନ୍ତ୍ରୀ ଶ୍ରୀ ମଣ୍ଡାଭିୟାଙ୍କୁ ଏକ ବିରାଟ ପଟୁଆରରେ ଜୟଦେବ ସଦନ ପର୍ଯ୍ୟନ୍ତ ଅଣାଯାଇଥିଲା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ତଥା ପାରାଦୀପ ନିର୍ବାଚନ ମଣ୍ଡଳୀ ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ବରେ ଏକ ବାଇକ୍ ଶୋଭାଯାତ୍ର୍ରା ମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମ ସ୍ଥଳ ଜୟଦେବ ସଦନ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। କେନ୍ଦ୍ରମନ୍ତ୍ରୀ ଆସୁଥିବା ଜାଣି ବିଜେଡି କେବଳ ଶସ୍ତା ପ୍ରଚାର ପାଇଁ ଏପରି କରିଛି ବୋଲି ସମ୍ପଦ କହିଛନ୍ତି।

ବିଜେଡିର ଧାରଣା ସମ୍ପର୍କରେ ମତ ଦେଇ ମନ୍ତ୍ରୀ ଶ୍ରୀ ମଣ୍ଡାଭିୟା କହିଛନ୍ତି ଯେ ରାସ୍ତାରୋକ କରିବା ସମସ୍ତଙ୍କ ଗଣତାନ୍ତ୍ରିକ ଅଧିକାର। ପାରାଦୀପରେ ସୃଷ୍ଟି ହୋଇଥିବା ସମସ୍ୟା ସଂକ୍ରାନ୍ତରେ ଖବର ମିଳିବା ପରେ ତୁରନ୍ତ ଜାତୀୟ ରାଜପଥ ପ୍ରାଧୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ରାସ୍ତା ଉପରେ ୨୪ ଘଣ୍ଟା ହଜାର ହଜାର ସଂଖ୍ୟାରେ ଟ୍ରକ୍ ଛିଡ଼ା ହୋଇ ରହୁଥିବାରୁ ମରାମତି କାର୍ଯ୍ୟ ବିଳମ୍ବ ହେଉଛିବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର