ଗୁରୁପ୍ରିୟା ସେତୁ ଗୁଣବତ୍ତା ଯାଞ୍ଚ ସରିଲା : ଫେରିଗଲେ କେନ୍ଦ୍ରୀୟ ଯାଞ୍ଚ ଦଳ

ମାଲକାନଗିରି : ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଗୁରୁପ୍ରିୟା ସେତୁର ଗୁଣବତ୍ତା ଯାଞ୍ଚ କାର୍ଯ୍ୟ ଆଜି ଶେଷ ହୋଇଛି। କେନ୍ଦ୍ରରୁ ଆସିଥିବା ସିଆରଆରଆଇର ୭ ଜଣିଆ ଯାଞ୍ଚ ଦଳ ଆଜି କାର୍ଯ୍ୟ ସମାପ୍ତ କରି ଫେରି ଯାଇଛନ୍ତି। ଏହି ଟିମ୍‌ ଯାଞ୍ଚ ରିପୋର୍ଟ ଯଥାଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି। ଗଣମାଧ୍ୟମ ସମ୍ମୁଖରେ ଏହି ଯାଞ୍ଚ ଦଳ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗୁରୁପ୍ରିୟା ସେତୁର ଗୁଣବତ୍ତା ଠିକ୍‌ ରହିଥିବା ଜଣାପଡିଛି। ଯାଞ୍ଚ ସମୟରେ କୌଣସି ଅନିୟମିତତା ହୋଇ ନଥିବା ବେଳେ ସମସ୍ତ ପ୍ରକାର ସହଯୋଗ ଯାଞ୍ଚ ସମୟରେ ମିଳିଥିବା ସୂଚନା ମିଳିଛି। ତେବେ ରାଜ୍ୟ ସରକାରଙ୍କୁ ଏହି ଟିମ୍‌ କ’ଣ ରିପୋର୍ଟ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା। ସେହିପରି ଆସନ୍ତା ଜୁନ ପ୍ରଥମ ସପ୍ତାହରେ ସେତୁର ଉଦଘାଟନ ହେବ ବୋଲି ଜଣାପଡିଛି।

ପ୍ରକାଶ ଥାଉକି ଯାଞ୍ଚ ପାଇଁ ଆସିଥିବା ୭ ଜଣ ଯାଞ୍ଚ ଦଳରେ ୪ ଜଣ ବୈଜ୍ଞାନିକ ରହିଥିବା ବେଳେ ୩ ଜଣ ବୈଷୟିକ ଅଧିକାରୀ ରହିଥିଲେ। ସେମାନେ ହେଲେ ବରିଷ୍ଠ ପ୍ରିନସିପାଲ ବୈଜ୍ଞାନି ଡ.ରାଜୀବ ଗୋଏଲ, ଜି.କେ.ସାହୁ ଏବଂ ଭିଭିଏଲକେ ରାଓ, ବୈଜ୍ଞାନି ଏ.କେ ଧଳ, ବରିଷ୍ଠ ବୈଷୟିକ ଅଧିକାରୀ ପ୍ରଦୀପ କୁମାର, କୁମାର ଶଶି ଭୂଷଣ ଏବଂ ସୁରେନ୍ଦ୍ର କୁମାର ଭର୍ମା। ଏହି ଦଳ ୫ ଦିନ ରହି ଗୁରୁପ୍ରିୟା ସେତୁରେ ବ୍ୟବହୃତ କଞ୍ଚା ମାଲର ତଦାରଖ, ଗୁଣବତ୍ତା ଯାଞ୍ଚ, ଯାନବାହାନ ପାଇଁ କେତେ ନିରାପଦ ଇତ୍ୟାଦି ଯାଞ୍ଚ କରିଛନ୍ତିି।

ସମ୍ବନ୍ଧିତ ଖବର