ପ୍ରଶଂସା କରି ଫେରିଲେ କେନ୍ଦ୍ରୀୟ ଟିମ୍, ରିଲିଫ୍‌ ଯୋଗାଣରେ ରାଜ୍ୟର ଉଦ୍ୟମ ଦେଖି ଖୁସ୍

୧୨ ହଜାର କୋଟିର କ୍ଷୟକ୍ଷତି ହିସାବ ଦେଲା ଓଡ଼ିଶା, ଶକ୍ତି ବିଭାଗର ୧୧୫୯.୮୦ କୋଟି କ୍ଷୟକ୍ଷତି ସର୍ବାଧିକ, ବାତ୍ୟାର ୧୦ ଦିନରେ କେନ୍ଦ୍ରୀୟ ଦଳ ଗସ୍ତ କରିବା ପ୍ରଥମ

ଭୁବନେଶ୍ବର : ଅତି ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ‘ଫନି’ରେ ଘଟିଥିବା କ୍ଷୟକ୍ଷତି ବାବଦରେ କେନ୍ଦ୍ର ସରକାରଙ୍କୁ ୧୧ ହଜାର ୯୪୨ କୋଟି ୬୮ ଲକ୍ଷ ଟଙ୍କାର ପ୍ରାଥମିକ ହିସାବ ଦେଇଛନ୍ତି ରାଜ୍ୟ ସରକାର। ତେବେ ଏହା ସଂପୂର୍ଣ୍ଣ ନୁହେଁ। ବିଭିନ୍ନ ଜିଲ୍ଲାରୁ କ୍ଷୟକ୍ଷତି ରିପୋର୍ଟମାନ ଆସୁଥିବାରୁ ଆଗକୁ ଏହି ଆକଳନ ପରିମାଣ ବଢ଼ିପାରେ। କ୍ଷୟକ୍ଷତିର ସଂପୂର୍ଣ୍ଣ ଆକଳନ କରିବା ପରେ ରାଜ୍ୟ ସରକାର ପକ୍ଷରୁ ପୂର୍ଣ୍ଣାଙ୍ଗ ସ୍ମାରକପତ୍ର କେନ୍ଦ୍ରକୁ ଦିଆ‌ଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

ଗତ ତିନିଦିନ ଧରି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ବାଜ୍‌ଙ୍କ ନେତୃତ୍ବରେ ଓଡ଼ିଶା ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ପୁରୀ, ଖୋର୍ଧା,କଟକ ଆଦି ଜିଲ୍ଲାରେ ଗୁରୁତର କ୍ଷୟକ୍ଷତି ଘଟିଥିବା କହିଛନ୍ତି। ବାତ୍ୟା ପ୍ରଭାବିତ ଲୋକମାନଙ୍କ ଜୀବନ ରକ୍ଷା ଓ ରିଲିଫ୍‌ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ ବୋଲି ଶ୍ରୀ ଭରଦ୍ବାଜ୍‌ ମୁକ୍ତକଣ୍ଠରେ ସ୍ବୀକାର କରିଛନ୍ତି।

ଆଜି ସଚିବାଳୟରେ ରାଜ୍ୟ ସରକାରଙ୍କ ପଦାଧିକାରୀମାନଙ୍କ ସହିତ ୧୧ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ବାତ୍ୟା କ୍ଷୟକ୍ଷତି ସଂପର୍କରେ ସମୀକ୍ଷା କରିଥିଲେ। ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ରୀୟ ଅତିରିକ୍ତ ସଚିବ ଶ୍ରୀ ଭରଦ୍ବାଜ୍‌ କହିଲେ ଯେ ପ୍ରଥମ ଥର ପାଇଁ ବାତ୍ୟା ହେବାର ମାତ୍ର ୧୦ ଦିନ ଭିତରେ କେନ୍ଦ୍ରୀୟ ଟିମ୍‌ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରିଛି। ବାତ୍ୟାଞ୍ଚଳରେ ବାସଗୃହ, ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା, ଟେଲି ଯୋଗାଯୋଗ ବ୍ୟବସ୍ଥା ଓ ଲୋକମାନଙ୍କର ଜୀବିକା ନିର୍ବାହ ସାଧନ କ୍ଷେତ୍ର ହେଉ ବା ପାନ ବରଜ ଆଦି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ପୁରୀରେ ଘଟିଛି ସବୁଠାରୁ ଅଧିକ କ୍ଷତି। ସେଠ‌ାରେ ‌େଲାକମାନଙ୍କ ରହିବାଘର, ହୋଟେଲ୍‌, ବିଦ୍ୟୁତ୍‌ ଭିତ୍ତିଭୂମି ଆଦି ଭାଙ୍ଗି ନଷ୍ଟ ହୋଇଯାଇଛି। ଏ ସବୁର ପୁନରୁଦ୍ଧାର ଏବଂ ପୁନଃଥଇଥାନ ପାଇଁ ଓଡ଼ିଶା ସରକାରଙ୍କୁ ସବୁପ୍ରକାର ସହଯୋଗ କରିବେ କେନ୍ଦ୍ର ସରକାର। ‌େ‌ତବେ କେନ୍ଦ୍ରୀୟ ଦଳ ଯେଉଁଠି ଯାଇଛନ୍ତି, ରିଲିଫ ସାମଗ୍ରୀ ବଣ୍ଟନ ନେଇ ପ୍ରଭାବିତ ଲୋକମାନଙ୍କ ମଧ୍ୟରେ କୌଣସି ପ୍ରକାର ଅସନ୍ତୋଷ ନଥିବା ଲକ୍ଷ୍ୟ କରିଛନ୍ତି ବୋଲି ଦର୍ଶାଇ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

ବାତ୍ୟା ସ୍ଥିତି ବିଷୟରେ ଟିମ୍‌କୁ ଅବଗତ କରାଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ ସ୍ମରଣୀୟ ଅତୀତରେ ଗ୍ରୀଷ୍ମ ଋତୁରେ ଏପରି ଭୟଙ୍କର ବାତ୍ୟା ମାଡ଼ ହେବା ଓଡ଼ିଶାରେ ବିରଳ। ଅଦିନିଆ ବାତ୍ୟାର ଭୟାବହତା ଲୋକଙ୍କୁ ମାନସିକ ସ୍ତରରେ ଦାରୁଣ ଧକ୍କା ‌େଦଇଛି। ଭିତ୍ତିଭୂମି ପୁନଃନିର୍ମାଣ ସହ ଲୋକମାନଙ୍କ ପାଇଁ ବାସଗୃହ ଓ ଜୀବିକା ସାଧନ ଯୋଗାଡ଼ କରିବା ବର୍ତମାନର ଆବଶ୍ୟକତା। ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆରଏଫ୍‌ରେ କେବଳ ୧୧ କେଭି ଓ ଏଲ୍‌ଟି ଲାଇନ କ୍ଷୟକ୍ଷତି ପାଇଁ ସହାୟତାର ବ୍ୟବସ୍ଥା ରହିଛି। କିନ୍ତୁ ୨୨୦ କେଭି ଓ ୧୩୨ କେଭି ଟ୍ରାନ୍ସମିସନ ଲାଇନ ପାଇଁ ବ୍ୟବସ୍ଥା ନଥିବାରୁ ଏ ଦିଗରେ ପ୍ରଚଳିତ ନିୟମକୁ ସଂଶୋଧିତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା ଶ୍ରୀ ପାଢ଼ୀ କହିଥିଲେ। ସେହିପରି ପୂର୍ବରୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ ଅଂଶଧନ ବ୍ୟବସ୍ଥା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୭୫:୨୫ ଥିବା ବେଳେ ବର୍ତମାନ ଏହାକୁ ହ୍ରାସ କରାଯାଇଛି। ଅର୍ଥ କମିସନଙ୍କ ସୁପାରିସ ଅନୁସାରେ ଏହି ଅଂଶଧନ ବ୍ୟବସ୍ଥାର ପୁନଃ-ଅବଲୋକନ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ କେନ୍ଦ୍ରୀୟ ଦଳଙ୍କୁ ବାତ୍ୟା କ୍ଷୟକ୍ଷତି ନେଇ ୧୧ ହଜାର ୯୪୨ କୋଟି ୬୮ ଲକ୍ଷ ଟଙ୍କାର ପ୍ରାରମ୍ଭିକ ହିସାବ ଦେଇଥିଲେ। ସେଥିମଧ୍ୟରେ ଜଳ ସଂପଦ ବିଭାଗର ୩୭୧.୦୧ କୋଟି, ପୂର୍ତ୍ତ ବିଭାଗର ୫୯୭.୩୨ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ୪୩୫.୧୭ କୋଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୫୨୪.୩୪ କୋଟି, ଶକ୍ତି ବିଭାଗର ୧୧୫୯.୮୦ କୋଟି, ପଞ୍ଚାୟତିରାଜ ବିଭାଗର ୫୮୭.୦୩ କୋଟି, କୃଷି ବିଭାଗର ୧୦୨.୩୦ କୋଟି, ମତ୍ସ୍ୟ ଓ ପଶୁସଂପଦ ବିଭାଗର ୫୫.୧୭ କୋଟି, ଜଙ୍ଗଲ ଓ ପରିବେଶ ବିଭାଗର ୫୩୭.୮୦ କୋଟି, ଉଚ୍ଚଶିକ୍ଷା ବିଭାଗର ୨୯୬ କୋଟି, ଶିଳ୍ପ ବିଭାଗର ୧୫୨.୬୯ କୋଟି ଟଙ୍କା ଆଦି କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି।

ସ୍ବତନ୍ତ୍ର ରିଲିଫ କମିସନର କହିଥିଲେ ଯେ ଗତ ୨୮ ବର୍ଷ ମଧ୍ୟରେ ଗ୍ରୀଷ୍ମ ଋତୁରେ ଭୟଙ୍କର ବାତ୍ୟାର ମଧ୍ୟରେ ଫନି ଦ୍ୱିତୀୟ। ଏହା ସମୁଦ୍ରରେ ସର୍ବାଧିକ ୧୧ ଦିନ ରହି ବଳ ଗୋଟାଉଥିଲା ଏବଂ ଏହାର ତୀବ୍ରତା ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ କମିନଥିଲା। ୨୪ ଘଣ୍ଟା ମଧ୍ୟରେ ୧୫.୫ ଲକ୍ଷ ଲୋକ ଓ ପ୍ରାୟ ୨୫,୦୦୦ ପର୍ଯ୍ୟଟକଙ୍କୁ ନିରାପଦ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇ ରନ୍ଧାଖାଦ୍ୟ, ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଆଦି ଯୋଗାଇ ଦିଆଯାଇଛି। ବାତ୍ୟା ସମୟରେ ପ୍ରବଳ ବୃଷ୍ଟିପାତ ହୋଇଥିଲା। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୮୭.୮ ମି.ମି. ବୃଷ୍ଟିପାତ ହୋଇଥିବା ବେଳେ କଟକରେ ୧୭୧ ମି.ମି, ଯାଜପୁର ୧୪୩.୯ ମି.ମି. ଓ ନୟାଗଡ ଜିଲ୍ଲାରେ ୧୪୧.୭ ମି.ମି. ବର୍ଷା ରେକର୍ଡ କରାଯାଇଛି।

କେନ୍ଦ୍ରୀୟ ପ୍ରତିନିଧି ଦଳ‌େର ଶ୍ରୀ ଭରଦ୍ୱାଜଙ୍କ ନେତୃତ୍ବରେ ଶକ୍ତି, କୃଷି ଓ କୃଷକ ସଶକ୍ତୀକରଣ, ଗୃହ ଓ ନଗର ଉନ୍ନୟନ, ଅର୍ଥ, ପାନୀୟ ଜଳ ଓ ପରିମଳ, ଜଳ ସଂପଦ, ସଡ଼କ ପରିବହନ ଓ ଜାତୀୟ ରାଜପଥ, ଗ୍ରାମ ଉନ୍ନୟନ ଏବଂ ମସି୍ୟ ଓ ପଶୁ ସଂପଦ ଆଦି ମନ୍ତ୍ରଣାଳୟର ୧୧ଜଣ ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ଅସିତ୍‌ କୁମାର ତ୍ରିପାଠୀ, କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନାଙ୍କ ସମେତ ସଂପୃକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିସନର ଓ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର