ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ କେନ୍ଦ୍ରର ପ୍ରଶଂସା

ସ୍ୱାସ୍ଥ୍ୟାନୁଷ୍ଠାନ ବୁଲି ଦେଖିଲେ କେନ୍ଦ୍ରୀୟ ସମୀକ୍ଷା ମିସନ ପ୍ରତିନିଧି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଏକ ସ୍ୱତନ୍ତ୍ର ୧୬ଜଣିଆ ପ୍ରତିନିଧିଦଳ ରାଜ୍ୟର ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରିଛନ୍ତି। କେନ୍ଦ୍ରୀୟ ଟିକାକରଣ ଡିଭିଜନର ସହକାରୀ କମିସନର ଡା.ବୀଣା ଧାଓ୍ଵନଙ୍କ ନେତୃତ୍ୱରେ ଏହି ଟିମ୍‌ ମାଲକାନାଗିରି, କେନ୍ଦୁଝର ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ବୁଲି ଦେଖିଥିଲେ। ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମି ସାଙ୍ଗକୁ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ଗୁଣବତ୍ତା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ ରାଜ୍ୟ ବୋଲି ପ୍ରତିନିଧିଦଳ ସୂଚନା ଦେଇଛନ୍ତି।

ପ୍ରତିନିଧିଦଳ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ମାଲକାନାଗିରି ଓ କେନ୍ଦୁଝର ଜିଲ୍ଲା ଗସ୍ତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାଙ୍ଗକୁ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ବୁଲି ଦେଖିଥିଲେ। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ତଦାରଖ କରିବା ସହିତ ଦିଆଯାଉଥିବା ରୋଗୀ ସେବା, ଶିଶୁ ଓ ମାତୃ ଚିକିତ୍ସା, ନବଜାତ ଶିଶୁର ଚିକିତ୍ସା ସୁବିଧାଗୁଡ଼ିକୁ ଅନୁଧ୍ୟାନ କରିଥିଲେ। ଏହା ସହ ବିଭିନ୍ନ ହସ୍ପିଟାଲର ଏସ୍‌ଏନ୍‌ସିୟୁ ବ୍ୟବସ୍ଥାକୁ ମଧ୍ୟ ପରଖିଥିଲେ। ପରିଦର୍ଶନ ସମୟରେ ପ୍ରତିନିଧିଦଳ ଆଶା କର୍ମୀ, ଏଏନ୍‌ଏମ୍‌ ଓ ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହା ସହ ଭୁବନେଶ୍ୱରର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବସ୍ତି ଅଞ୍ଚଳର ସ୍ୱାସ୍ଥ୍ୟସେବା ସଂପର୍କରେ ତଦାରଖ କରିଥିଲେ। ଶନିବାର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ବିଷଦ ଭାବେ ପ୍ରତିନିଧିଦଳ ଆଲୋଚନା କରିଥିଲେ।

ଡା. ଧାଓ୍ଵନ କହିଛନ୍ତି, ଜାତୀୟ ସ୍ୱାସ୍ଥ୍ୟ ମିସନ ସର୍ବେକ୍ଷଣ ଅନୁଯାୟୀ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ ଦିଆଯାଉଥିବା ସେବା ସଂପର୍କରେ ସେମାନେ ଅନୁଧ୍ୟାନ କରାଯାଇଛି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ବିଭିନ୍ନ ହସ୍ପିଟାଲ ବୁଲି ସେମାନେ ସ୍ଥିତିର ତଦାରଖ କରିଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ ରାଜ୍ୟ ହୋଇପାରିଛି। ସ୍ୱାସ୍ଥ୍ୟସେବାର ପ୍ରତ୍ୟେକଟି କ୍ଷେତ୍ରରେ ଓଡ଼ିଶା ଅନେକ ସକାରାତ୍ମକ ପଦକ୍ଷେପ ନେଇଛି। ପ୍ରାଥମିକ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। ଆଶା କର୍ମୀମାନେ ବହୁତ ଭଲ କାମ କରୁଛନ୍ତି। କମ୍ୟୁନିଟି ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ବେଶ ଭଲ ରହିଛି। ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଯାହା ଆବଶ୍ୟକତା ରହିଛି ସେନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।

ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା.କୈଳାସ ଚନ୍ଦ୍ର ଦାଶ, ଡା.ବିନୋଦ ମିଶ୍ର, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ ଆରପି ସିଂହ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଳେ। କେନ୍ଦ୍ରୀୟ ଦଳରେ ଆଇସିଏମ୍‌ଆର ଡା.ତଜିବା ହୁସେନ, ଏନ୍‌ଭିବିଡିସିପିର ଡା.ଏସ୍‌ଏନ୍‌ ଶର୍ମା, ଏନ୍‌ଏଚ୍‌ଆରସିର ଡା.ବିସା ଅଗ୍ରଓ୍ଵାଲ, ଆୟୁଷର ଡା.ଗୌତମ ରକ୍ଷୀତ, ନିପିର ଡା.ପ୍ରଶାନ୍ତ ଓ ଡବ୍ଲୁଏଚ୍‌ଓର ଡା.ଦାନିସ ଅହମ୍ମଦ ପ୍ରମୁଖ ରହିଥିଲେ।

ସମ୍ବନ୍ଧିତ ଖବର