କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ର ବିକ୍ଷୋଭ : ବାତିଲ ହେଲା ସାମାଜିକ ସୁରକ୍ଷା ବୋର୍ଡ ସମ୍ବନ୍ଧୀୟ ବୈଠକ

ଭୁବନେଶ୍ୱର : ଶିଳ୍ପ ସଂପର୍କ ଓ ମଜୁରି ସଂକ୍ରାନ୍ତୀୟ ବୋର୍ଡ ସଂପର୍କରେ କେନ୍ଦ୍ର ସରକାର ପୂର୍ବରୁ ଟ୍ରେଡ୍‌ ୟୁନିଅନ୍‌ ମତକୁ ଗ୍ରହଣ ନ କରି ଏକପାଖିଆ ଭାବେ ନିଷ୍ପତ୍ତି ନେବା ଓ ସଂସଦର ଅନୁମୋଦନ ଲାଭ କରିବାକୁ ଟ୍ରେଡ୍‌ ୟୁନିଅନ୍‌ଗୁଡ଼ିକୁ ବିରୋଧ କରିଛନ୍ତି। ଏପରିକି ଇଣ୍ଡଷ୍ଟ୍ରିଆଲ ଏମ୍ପ୍ଲୋୟମେଣ୍ଟ ଷ୍ଟାଣ୍ଡିଂ ଅର୍ଡର (ଆମେଣ୍ଡମେଣ୍ଟ) ରୁଲ୍‌ସ ୨୦୧୮ରେ ଥିବା ସମୟସୀମା ଭିତ୍ତିକ ନିଯୁକ୍ତିକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ବିରୋଧ ସତ୍ତ୍ୱେ ସରକାର ୟୁନିଅନ୍‌ମାନଙ୍କୁ ଅନ୍ଧକାରରେ ରଖି ସଂସଦରେ ତାହା ଗ୍ରହଣ କରାଇ ନେଇଛନ୍ତି। ସରକାର ୧୫ଟି ଆଇନରେ ଥିବା ସାମାଜିକ ସୁରକ୍ଷାକୁ ମିଶାଇ ସାମାଜିକ ସୁରକ୍ଷା ବୋର୍ଡ କରିବାକୁ ଯାଉଛନ୍ତି। ଫଳରେ ଶ୍ରମିକମାନେ ସାମାଜିକ ସୁରକ୍ଷା ପାଇବାରୁ ବଞ୍ଚିତ ହେବେ। ଏହାର ପ୍ରତିବାଦରେ ଆଜି ଅଖିଳ ଭାରତ ଟ୍ରେଡ୍‌ ୟୁନିଅନ୍‌ କଂଗ୍ରେସ (ଏଆଇଟିୟୁସି), ଓଡ଼ିଶା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ଭୁବନେଶ୍ୱରଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ସାମାଜିକ ସୁରକ୍ଷା ବୋର୍ଡ ସମ୍ବନ୍ଧୀୟ ବୈଠକକୁ ଓଡ଼ିଶାର ଟ୍ରେଡ୍‌ ୟୁନିଅନ୍‌ଗୁଡ଼ିକ ବିରୋଧ କରିଥିଲେ। ମେ’ ଫେୟାର ଲାଗୁନ୍‌ରେ ବୈଠକ ହେବାକୁ ଥିବା ବେଳେ ପ୍ରବଳ ବିରୋଧ ଓ ପ୍ରତିବାଦ ଯୋଗୁଁ ଏହା ବାତିଲ୍‌ ହୋଇଯାଇଛି। ଶହ ଶହ ୟୁନିଅନ୍‌ କର୍ମୀ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏଥିରେ ଏଆଇଟିୟୁସି, ଆଇଏନ୍‌ଟିୟୁସି, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ ସାମିଲ ହୋଇଥିଲେ। ଏଆଇଟିୟୁସିର ସାଧାରଣ ସମ୍ପାଦକ ସୌରୀବନ୍ଧୁ କର, ଉପସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା, ବିଜୟ ଜେନା, ସମ୍ପାଦକ ମହେଶ୍ୱର ରାଉତ, କାର୍ଯ୍ୟାକାରୀ କମିଟି ସଭ୍ୟ ସୁର ଜେନା, ଦେବାଶିଷ ଘୋଷ, ସତ୍ୟବାଦୀ ବାଗ, ପରିଷଦ ସଭ୍ୟ ଶୁଭାଶିଷ ସ୍ୱାଇଁ , ବାସନ୍ତି ପ୍ରାଧାନ, ପି. ରେଣୁଜା ଦୋରା ପ୍ରମୁଖ ନେତୃତ୍ୱ ନେଇଥିଲେ। ଆଇଏନଟିୟୁସିର କିଶୋର ଜେନା, ଏଚ୍‌ଏମ୍‌ଏସର ରାଜେନ୍ଦ୍ର ଦାସ, ସିଆଇଟିୟୁ ପକ୍ଷରୁ ବିଷ୍ଣୁ ଚରଣ ମହାନ୍ତି ଓ ନବକିଶୋର ମହାନ୍ତି, ଏଆଇୟୁଟିୟୁସିର ପୂର୍ଣ୍ଣଚନ୍ଦ୍ର ବେହେରା ଓ ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର