କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ରାଜ୍ୟସ୍ତରୀୟ ଶ୍ରମିକ ସମ୍ମିଳନୀ : ଜାନୁଆରି ୮ରେ ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ବର : ଦେଶରେ ଉତ୍କଟ ଆଥିର୍କ ମାନ୍ଦାବସ୍ଥା ପ୍ରଭାବରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଓ ବିକ୍ରି, କର୍ପୋରେଟ୍‌ ସପକ୍ଷରେ ଶ୍ରମ ଆଇନର କୋର୍ଡିଫିକେସନ, ବେକାରୀ, ବେରୋଜଗାରୀ ବଢ଼ିଚାଲିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାର ଇଣ୍ତିଆ, ବିଏସଏନଏଲ, କୋଇଲା, ପ୍ରତିରକ୍ଷା ଇତ୍ୟାଦି କ୍ଷେତ୍ରକୁ ବିଦେଶୀ ପୁଞ୍ଜିକୁ ଟେକିଦେବାର ଚକ୍ରାନ୍ତ ଚାଲିଛି। ବ୍ୟାଙ୍କ ମିଶ୍ରଣ କରି ବ୍ୟାଙ୍କର ଅନାଦେୟ ଋଣକୁ ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଛାଡ଼ କରାଯାଉଛି। ଆଜି ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନର ରାଜସ୍ତରୀୟ ଶ୍ରମିକ ସମ୍ମିଳନରେ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରେଡ୍‌ ୟୁନିୟନ କର୍ମକର୍ତ୍ତା।

ସଂଘ ପକ୍ଷରୁ ଅହୁରି ମଧ୍ୟ କୁହାଯାଇଛି ଯେ, ମୋଦି ସରକାର କେନ୍ଦ୍ରରେ ଶାସନକୁ ଆସିବା ଦିନଠାରୁ କର୍ପୋରେଟ୍‌ ହାଉସ୍‌, ଦେଶୀୟ ଓ ଆନ୍ତର୍ଜାତୀୟ ପୁଞ୍ଜିପତିମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ସେମାନଙ୍କ ସ୍ବାର୍ଥରେ ଶ୍ରମ ଆଇନର କୋଡ଼ିଫିକେସନ କରୁଛନ୍ତି। ଠିକା ବ୍ୟବସ୍ଥାକୁ ବ୍ୟାପକ କରାଯାଉଛି। ସ୍କିମ୍‌ ୱାର୍କର୍ସମାନଙ୍କୁ ସର୍ବନିମ୍ନ ମଜୁରି, ସରକାରୀ ମାନ୍ୟତା ଦେଉ ନାହାନ୍ତି। ସମାନ କାମକୁ ସମାନ ମଜୁରି ସରକାରଙ୍କ ନିକଟରେ ପ୍ରହସନ ପାଲଟିଛି। ଦେଶରେ ଫାସିବାଦର ବାତାବରଣ ସୃଷ୍ଟି ହୋଇଛି। ସ୍ବାଧୀନ ମତବ୍ୟକ୍ତ କରିବାର ଅଧିକାରକୁ କ୍ଷୁଣ୍ଣ କରାଯାଇଛି। ତେଣୁ ଏହା ବିରୋଧରେ ଆସନ୍ତା ଜାନୁଆରୀ ୮ ତାରିଖରେ ଦେଶବ୍ୟାପି ଧର୍ମଘଟ ପାଇଁ ସଂଘ ଆହ୍ବାନ ଦେଇଛି। ଧର୍ମଘଟକୁ ସଫଳ କରିବା ପାଇଁ ପ୍ରତ୍ୟେକ ଜିଲ୍ଲା ଓ ଶିଳ୍ପାଞ୍ଚଳମାନଙ୍କରେ ବ୍ୟାପକ ସଭା, କନ୍‌ଭେନସନ ଇତ୍ୟାଦି କରି ଶ୍ରମିକମାନଙ୍କୁ ଧର୍ମଘଟ ପାଇଁ ପ୍ରସ୍ତୁତ କରିବାକୁ ଆଲୋଚନା କରାଯାଇଛି। ଆଜିର ଏହି ସମ୍ମିଳନୀରେ ମଦନ ଧଳ, ଅଶୋକ ଦାଶ, ରାଜେନ୍ଦ୍ର ଦାସ, ବିମାନ ମାଇତି, ଶମ୍ଭୁନାଥ ନାୟକ ଓ ମହେନ୍ଦ୍ର ପରିଡ଼ା ପ୍ରମୁଖ ସଭା ପରିଚାଳନା କରିଥିବାବେଳେ କିଶୋର ଜେନା, ସୌରୀବ˚ଧୁ କର, ଯୋଗେନ୍ଦ୍ର ତ୍ରିପାଠୀ, ବିଷ୍ଣୁ ଚରଣ ମହାନ୍ତି, ଜୟସେନ ମେହେର, ରାଧାକାନ୍ତ ସେଠୀ, ପ୍ରଫୁଲ୍ଲ ତ୍ରିପାଠୀ, ରାମକୃଷ୍ଣ ପଣ୍ତା, ଦୁଷ୍ମନ୍ତ ଦାସ, ରବିନ୍ଦ୍ର ଧଳ, ଚିରଞନ ପାଣିଗ୍ରାହୀ, ମନୋଜ ରଥ, ଅଜୟ ମହାନ୍ତି, ରଞ୍ଜନ ନାୟକ, କାହ୍ନୁ ଚରଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର