ଚିଲିକାରେ ସିପ୍ଲେନ ଉଡ଼ାଣ ପ୍ରକଳ୍ପ ବାତିଲ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଚିଲିକା ରେ ପ୍ରସ୍ତାବିତ ସିପ୍ଲେନ ଉଡାଣ ପ୍ରକଳ୍ପକୁ ବାତିଲ କରିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ତେବେ ରାଜ୍ୟରେ ଏହି ପ୍ରକଳ୍ପ ପାଇଁ ବିକଳ୍ପ ସ୍ଥାନ ବାଛିବାକୁ ଏଏଆଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ଏହାପୂର୍ବରୁ ଚିଲିକାରେ ଏହି ପ୍ରକଳ୍ପକୁ ପରିବେଶବିତ, ସ୍ଥାନୀୟ ଲୋକେ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ବିରୋଧ କରାଯାଇଥିଲା ।
ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ କି ସି-ପ୍ଲେନ୍ ଉଡ଼ାଣ ହୋଇପାରିବନି ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ୩ ଦିନ ତଳେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲା । ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏହି ପ୍ରକଳ୍ପ ବିପକ୍ଷରେ ମତ ଦେଇଥିଲେ । ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ ହେଲେ ଏହାର ଜୈବ ବିବିଧତା, ଚିଲିକାକୁ ପ୍ରତିବର୍ଷ ଆସୁଥିବା ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଏବଂ ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହେବାକୁ ଥିବାରୁ ଏଠାରେ ସି ପ୍ଲେନ୍ ଉଡ଼ାଣ କରିବା ସମ୍ଭବ ନୁହେଁ ବୋଲି କୁହାଯାଇଥିଲା ।

ସମ୍ବନ୍ଧିତ ଖବର